IBN ଓଡ଼ିଶା ଏକ୍ସକ୍ଲୁସିଭ୍ରାଜ୍ୟ

କରୋନା ଆକ୍ରାନ୍ତଙ୍କ ପରିଚୟ  ପ୍ରକାଶ ନକରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

IBN ଓଡିଶା(ବ୍ୟୁରୋ):-କଟକ: କରୋନା ଆକ୍ରାନ୍ତଙ୍କ ପରିଚୟ  ପ୍ରକାଶ ନକରିବାକୁ ରାଜ୍ୟ ସରକାରଙ୍କୁ କଡା ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି କରୋନା ସଂକ୍ରମିତଙ୍କ ପରିଚୟ ପ୍ରକାଶ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।  ଏ ସମ୍ପର୍କରେ ଗଣମାଧ୍ୟମର ଦାୟିତ୍ବ ଓ ଭୂମିକା ଉପରେ ମଧ୍ୟ ଖଣ୍ଡପୀଠ ଗୁରୁତ୍ବାରୋପ କରିଛନ୍ତି। ସୋସିଆଲ ମିଡିଆରେ ଅନେକ ସମୟରେ କରୋନା ସଂପର୍କିତଙ୍କ ପରିଚୟ ଓ ଅନ୍ୟ ତଥ୍ୟ ପ୍ରକାଶ ପାଉଥିବାବେଳେ ଏଥି ପ୍ରତି ଦୃଷ୍ଟି ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପ୍ରସଂଗରେ ସଚେତନତା ସୃଷ୍ଟି ଉପରେ ଖଣ୍ଡପୀଠ ଗୁରୁତ୍ବାରୋପ କରିଛନ୍ତି। ଏଥି ସହିତ କରୋନାରେ ମୃତ୍ୟ ବରଣ କରୁଥିବା କରୋନା ଯୋଦ୍ଧାଙ୍କ ନାଁ ସେମାନଙ୍କ ପରିବାର ସଦସ୍ୟଙ୍କ ସମ୍ମତିରେ ପ୍ରକାଶ କରିବା ପାଇଁ ଖଣ୍ଡପୀଠ ସରକାରଙ୍କୁ ଅନୁମତି ପ୍ରଦାନ କରିଛନ୍ତି।
ସୂଚନାମୁତାବକ, କରୋନା ଭୂତାଣୁ ସଂକ୍ରମଣରେ ଆକ୍ରାନ୍ତ ବ୍ୟକ୍ତିଙ୍କ ପରିଚୟ ବାହାରେ ପ୍ରକାଶ ନ କରିବା ପାଇଁ କେନ୍ଦ୍ର ସରକାର ନିୟମ କରିଥିଲେ। କିନ୍ତୁ ରାଜ୍ୟର ସଂକ୍ରମିତଙ୍କ ନାଁ ଓ ଘର ଠିକଣା ସେ କାହା ସଂସ୍ପର୍ଶରେ ଆସିଥିଲେ ଜାଣିବା ପାଇଁ ଆବଶ୍ୟକ ଦର୍ଶାଇ ବାହାରେ ପ୍ରକାଶ କରାଯାଇଥିଲା। ଏପରି କରାଯିବା ଦ୍ବାରା ନିୟମ ଉଲ୍ଲଂଘନ ହେଉଛି। ଏଥି ସହିତ କରୋନା ସଂକ୍ରମିତ ଓ ତାଙ୍କ ପରିବାର ସଦସ୍ୟ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଆବେଦନକାରୀ ଦର୍ଶାଇବା ସହିତ ଏଭଳି କାର୍ଯ୍ୟ ଉପରେ ରୋକ ଲାଗାଇବାକୁ ପ୍ରାର୍ଥନା କରିଥିଲେ। ମାମଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।
ତେବେ ହାଇକୋର୍ଟରେ ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ କରୋନା ଜନିତ ପରିସ୍ଥିତିର ମୁକାବିଲା ପାଇଁ ନିୟୋଜିତ ବ୍ୟକ୍ତିଙ୍କ ଅନେକ ସମୟରେ ମୃତ୍ୟୁ ହେଉଛି। ଏଭଳି ବ୍ୟକ୍ତିଙ୍କୁ ସରକାର କରୋନା ଯୋଦ୍ଧାର ମାନ୍ୟତା ଦେବା ସହିତ ସମ୍ମାନ ପ୍ରଦାନ କରୁଛନ୍ତି। ଏଭଳି କରୋନା ଯୋଦ୍ଧାଙ୍କ ନାଁ ତାଙ୍କ ପରିବାରର ଅନୁମତି ନେଇ ପ୍ରକାଶ କରିବା ପାଇଁ ଅନୁମତି ଦିଆଯାଉ ବୋଲି ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଏଥି ସହିତ ଖଣ୍ଡପୀଠ ଆଜି ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଆବେଦନକାରୀ ଅନଙ୍ଗ କୁମାର ଓତାଙ୍କ ପକ୍ଷରୁ ଆଇନଜୀବୀ ସୁଶାନ୍ତ କୁମାର ଦାଶ ମାମଲା ପରିଚାଳନା କରୁଥିଲେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button