ରାଜ୍ୟ

ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ; ଆଜି ଭୂତକୋଠି ! କେବେ ଆରମ୍ଭ ହେବ ବିଇଡି ପାଠ୍ୟକ୍ରମ? – Ibnodisha

[ad_1]

ଆରମ୍ଭ ହୋଇପାରୁନି ଶିକ୍ଷାଦାନ, ସରଞ୍ଜାମ ଲୁଟି ନେଲେଣି ଦୁର୍ବୃତ୍ତ

ମାଲକାନଗିରି: କବାଟଗୁଡିକ ଭାଙ୍ଗି ତଳେ ଗଡୁଛି। ଲାଇଟ୍‌, ଫ୍ୟାନ୍ ଓ ସୁଇଚ୍ ବୋର୍ଡ ଉଭାନ ହେବାରେ ଲାଗିଛି। କାନ୍ଥଗୁଡିକରେ ଫାଟ ଦେବା ସହ ଆବର୍ଜନା ଗଦା ହୋଇଛି। ଚାରିଆଡେ ଅନାବନା ଗଛ ଭର୍ତ୍ତି ହୋଇଥିବା ବେଳେ ଦୂରରୁ ଜଙ୍ଗଲ ସଦୃଶ୍ୟ ଦେଖାଯାଉଛି। ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ମେଧାବୀ ଛାତ୍ରଛାତ୍ରୀଙ୍କ ଖୋଲିଥିବା ବିଇଡି କଲେଜର ଦୃଶ୍ୟ ଏମିତି ରହିଛି। ବିଇଡି ପାଠ୍ୟକ୍ରମ ଆରମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ କୋଠାକୁ ଉଦଘାଟନ କରିଥିଲେ ୫ ବର୍ଷ ହେଲା ପ୍ରଶାସନ ଏମିତି ସାଇତି ରଖିଛି। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି କୋଠା ଏବେ ଭୂତକୋଠି ପାଲଟିଯାଇଛି।

ମାଲକାନଗିରି ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ରାଜ୍ୟ ସରକାର ବିଇଡି ପାଠ୍ୟକ୍ରମ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏନେଇ ମାଲକାନଗିରି ବ୍ଲକ ଚାଲାଣଗୁଡା ପଞ୍ଚାୟତ ଅନ୍ତର୍ଗତ ଗନ୍ଧିପାଲୀ ଗ୍ରାମ ନିକଟରେ ଆଇଟିଡିଏ ପକ୍ଷରୁ ସରକାରୀ ଶିକ୍ଷକ ଶିକ୍ଷା ପ୍ରଶିକ୍ଷଣ ମହାବିଦ୍ୟାଳୟ (ବିଇଡି) କୋଠା ନିର୍ମାଣ ହୋଇଥିଲା। ୨୦୧୮ ମସିହା ଜୁଲାଇ ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କୋଠାକୁ ଉଦଘାଟନ କରିଥିଲେ। ୯ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା କୋଠାରେ ପ୍ରଶାସିକ ଭବନ, ଶ୍ରେଣୀଗୃହ, ଲାଇବ୍ରେରୀ, ଶୌଚାଳୟ ହୋଇଥିଲା। ଏଥିସହ ଷ୍ଟାଫମାନେ ରହିବା ପାଇଁ କ୍ବାଟର ଓ ଛାତ୍ରଛାତ୍ରୀଙ୍କ ହଷ୍ଟେଲ, ଗାଡି ରଖିବା ପାଇଁ ପାର୍କିଂ ସେଡ୍ ନିର୍ମାଣ ହୋଇଥିଲା। ବିଦ୍ୟୁତ ସେବା ପାଇଁ ଟ୍ରାନ୍ସଫର୍ମର ଲଗାଇବା ସହ ବିଦ୍ୟୁତ କାଟ ହେଲେ ସୁବିଧା ପାଇଁ ଜେନେରେଟର ଲଗାଯାଇଥିଲା। ସମସ୍ତ କୋଠରୀରେ କାଚ ଓ ଆଲୁମିନିମ କବାଟ ଲଗାଇବା ସହ ଲାଇଟ୍ ଓ ଫ୍ୟାନ ଆଦି ବିଭିନ୍ନ ସରଞ୍ଜାମ ଲଗାଯାଇଥିଲା। କିନ୍ତୁ ଏତେ ସବୁ ସୁବିଧା ରହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବିଇଡି ପାଠପଢ଼ା ଆରମ୍ଭ ହୋଇପାରିଲା ନାହିଁ।

ବିଇଡି କଲେଜ ପାଇଁ ହୋଇଥିବା କୋଠା ସେମିତି ଖାଲି ପଡିଥିବା ବେଳେ କୋଭିଡ୍-୧୯ ସମୟରେ କୋଭିଡ୍ କେୟାର ସେଣ୍ଟର କରାଯାଇଥିଲା। କୋଭିଡ୍ ରୋଗୀଙ୍କୁ ସେତିକି ଦିନ ସେବା ଯୋଗାଇବା ପରେ ପୁଣି ବନ୍ଦ ହୋଇ ପଡିଥିଲା। ଏହାପରେ ପଞ୍ଚାୟତ ନିର୍ବାଚନ ଆସିବା ବେଳେ ସେଠାରେ ଷ୍ଟ୍ରଙ୍ଗ ରୁମ୍ କରିବା ସହ ନିର୍ବାଚନ ପାଇଁ ତାହାକୁ ବ୍ୟବହାର କରାଯାଇଥିଲା। ନିର୍ବାଚନ ସରିବା ପରେ ପୁଣି ସେହି କୋଠାକୁ ସେଭଳି ଅବସ୍ଥାରେ ଛାଡି ଦେଇଥିଲେ। ଏହାପରେ ସେଠାରେ କୌଣସି ସୁରକ୍ଷାକର୍ମୀ ମଧ୍ୟ ନିୟୋଜିତ ମଧ୍ୟ କରିନଥିଲେ। ନିର୍ଜନ ସ୍ଥାନରେ ରହିଥିବା ଯୋଗୁଁ ଦୁର୍ବୃତ୍ତମାନେ ଚୋରି କରିବାର ସୁଯୋଗ ପାଇଗଲେ। ସେଠାରୁ କବାଟ ଭାଙ୍ଗି ନେଇଯାଇଥିବା ବେଳେ ସୁଇଚ୍ ବୋର୍ଡ, ଏଲଇଡି ଲାଇଟ୍ ଓ ଫ୍ୟାନ ଆଦି ଚୋରି କରିନେଇଗଲେଣି। କୌଣସି ଗ୍ରୀଲରେ ତାଲା ପଡୁନଥିବା ବେଳେ ଅସାମାଜିକ ବ୍ୟକ୍ତି ତାହାକୁ ଆଡ୍ଡାସ୍ଥଳୀ ପାଲଟିଛି। କେବେ ମଦ୍ୟପାନ ତ ଆଉ କେବେ ପ୍ରେମୀଯୁଗଳଙ୍କ ପାଇଁ ନିରାପଦ ସ୍ଥାନ ପାଲଟିଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷା ଉନ୍ନତି ପାଇଁ ତିଆରି ହୋଇଥିବା କୋଠାରେ ଆଜି ଏଭଳି ସ୍ଥିତି ଦେଖିବାକୁ ମିଳୁଛି।

୨୦୧୯ ସାଧାରଣ ନିର୍ବାଚନ ଯାଇ ପୁଣି ୨୦୨୪ ନିର୍ବାଚନ ପାଖେଇ ଆସିଲାଣି, କିନ୍ତୁ ନେତାମାନେ ଦେଇଥିବା ପ୍ରତିଶୃତି ପୂରଣ ହୋଇପାରିନାହିଁ। ମାଲକାନଗିରି ଜିଲ୍ଲାରେ ଶିକ୍ଷାର ଉନ୍ନତି ପାଇଁ ସରକାର ଭିତ୍ତିଭୂମି ତିଆରି କରୁଛନ୍ତି ସତ କିନ୍ତୁ ପାଠପଢ଼ା ହୋଇପାରୁ ନାହିଁ। ଏହି କଲେଜକୁ ଖୋଲିବା ପାଇଁ ବହୁ ସମୟରେ ବିଭିନ୍ନ ଦଳ ପକ୍ଷରୁ ଦାବି ହେଉଥିଲେ ମଧ୍ୟ ସେଥିପ୍ରତି କୌଣସି ଅଧିକାରୀ ଦୃଷ୍ଟି ହିଁ ଦେଉନାହାନ୍ତି। ପ୍ରତିବର୍ଷ ଶହ ଶହ ଛାତ୍ରଛାତ୍ରୀ ବିଇଡି ପାଠ୍ୟକ୍ରମ ପାଇଁ ଚାହିଁ ରହିଥିବା ବେଳେ କଲେଜର ଭାଗ୍ୟ କେବେ ବଦଳିବ ଚାହିଁ ବସିଛନ୍ତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button