ଦିନକୁ ୬ ଶିଶୁଙ୍କ ମୃତ୍ୟୁ: ଶିଶୁଭବନରେ ସ୍ବାସ୍ଥ୍ୟର ଯତ୍ନ ଏମିତି – Ibnodisha

[ad_1]

କଟକ:୨୦ ମାସ ଭିତରେ ଅର୍ଥାତ୍ ୨୦୨୨ ଜାନୁଆରିରୁ ଅଗଷ୍ଟ ୨୦୨୩ ମଧ୍ୟରେ ଶିଶୁଭବନରେ ଚିକିତ୍ସିତ ହେଉଥିବା ୩୪୮୭ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି। ଅର୍ଥାତ ଦିନକୁ ହାରାହାରି ଭାବେ ଶିଶୁ ଭବନରେ ୬ରୁ ଅଧିକ ଶିଶୁ ପ୍ରାଣ ହରାଉଛନ୍ତି। ଏ ଚିତ୍ର ରାଜ୍ୟର କୌଣସି ଉପାନ୍ତ ଅଞ୍ଚଳର ନୁହେଁ। ବରଂ କଟକ ସହର ଛାତି ଉପରେ ଛି଼ଡ଼ା ହୋଇଥିବା ରାଜ୍ୟର ଏକମାତ୍ର ସରକାରୀ ସ୍ବତନ୍ତ୍ର ଶିଶୁ ଚିକିତ୍ସାଳୟ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସ୍ନାତକୋତ୍ତର ଶିଶୁ ଚିକିତ୍ସା ପ୍ରତିଷ୍ଠାନ(ଶିଶୁଭବନ ନାମରେ ପରିଚିତ)ର ପରିସଂଖ୍ୟାନକୁ ନିରେଖି ଦେଖିଲେ ଏମିତି ଉଦ୍ବେଗଜନକ ଚିତ୍ର ସାମନାକୁ ଆସୁଛି। ଜାତୀୟସ୍ତରର ଖ୍ୟାତନାମା ଚିକିତ୍ସାଳୟର ଏହି ତଥ୍ୟକୁ ବିଶେଷଜ୍ଞମାନେ ମଧ୍ୟ ଗୁରୁତ୍ବର ସହିତ ଗ୍ରହଣ କରୁଛନ୍ତି। ସେମାନଙ୍କ ମତ ହେଉଛି ଯେ ଏଭଳି ଅଭାବନୀୟ ଚିତ୍ର ପାଇଁ ଦୁର୍ବଳ ଭିତ୍ତିଭୂମିକୁ ଦାୟୀ କରାଯାଇପାରେ। ପ୍ରଥମତଃ ଗୁରୁତର ଶିଶୁ ଏଠାକୁ ଆସୁଛନ୍ତି, ଦ୍ବିତୀୟତଃ ଯେତିକି ଗୁରୁତର ରୋଗୀ ଶିଶୁ ଭବନକୁ ଆସୁଛନ୍ତି, ସେମାନଙ୍କ ଆବଶ୍ୟକତା ପୂରଣ ପାଇଁ ଭିତ୍ତିଭୂମି ନାହିଁ। ଏଣୁ ଶିଶୁ ମୃତ୍ୟୁ ହାର ଉଦବେଗଜନକ ରହୁଛି। କେବଳ ଏହି ଗୋଟିଏ ବର୍ଷ ନୁହେଁ, ପରିସଂଖ୍ୟାନ ଆହୁରି କହୁଛି ଯେ ଶିଶୁଭବନରେ ୨୦୨୨ ଜାନୁଆରିରୁ ଡିସେମ୍ବର ମଧ୍ୟରେ ୨୩୬୯ ଶିଶୁଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ୨୦୨୩ ଜାନୁଆରିରୁ ଅଗଷ୍ଟ ସୁଦ୍ଧା ୧୧୧୮ଜଣ ଶିଶୁଙ୍କର ମୃତ୍ୟୁ ହେଲାଣି। ୨୦୨୩ ଜାନୁଆରିରେ ୧୫୬, ଫେବ୍ରୁଆରିରେ ୧୪୭, ମାର୍ଚ୍ଚରେ ୧୯୪, ଏପ୍ରିଲରେ ୧୬୭, ମେରେ ୧୫୫, ଜୁନ୍ରେ ୧୩୯, ଜୁଲାଇରେ ୧୫୪, ଅଗଷ୍ଟରେ ୧୬୨ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି।
୨୦ ମାସରେ ଶିଶୁଭବନରେ ଗଲାଣି ସାଢେ ତିନି ହଜାର ଶିଶୁଙ୍କ ଜୀବନ
ମାତ୍ର ୯ଟି ନିକୁ ବେଡ୍; ୪୧୨ ସାଧାରଣ ବେଡ୍କୁ ହାରାହାରି
୧ ହଜାରରୁ ଅଧିକ ରୋଗୀ
ଏଠାରେ ସ୍ମରଣଥାଉକି, ରାଜ୍ୟ ସରକାର ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ଅନେକ ପଦକ୍ଷେପ ନେଉଥିଲେ ହେଁ, ବିଭାଗର ଅଧିକାରୀମାନେ ଏହି ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠାନକୁ ଯେଭଳି ଗୁରୁତ୍ବ ଦେବା କଥା, ତାହା ପରିଲକ୍ଷିତ ହେଉନାହିଁ। ବିଶେଷକରି ନବଜାତକଙ୍କ ଚିକିତ୍ସା ପାଇଁ ଅତି ଜରୁରୀ ବୋଲି କୁହାଯାଉଥିବା ନିଓନାଟାଲ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍(ନିକୁ), ଏନ୍ଏନ୍ସିୟୁ ଓ ବେଡ୍ ଅଭାବ ଏକ ବଡ ସମସ୍ୟା ଭାବେ ମୁଣ୍ଡ ଟେକିଛି। ଶିଶୁ ଭବନରେ ମାତ୍ର ୯ଟି ନିକୁ ବେଡ୍ ରହିଛି। ଏଣୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଶିଶୁଭବନକୁ ଅନେକ ସଦ୍ୟଜାତ ଶିଶୁ ଯେତେବେଳେ ଅତି ଗୁରୁତର ଅବସ୍ଥାରେ ରେଫର ହୋଇଆସୁଛନ୍ତି, ସେତେବେଳେ ସେମାନଙ୍କୁ ନିକୁ ବେଡ୍ ମିଳିପାରୁନାହିଁ। ଯେଉଁମାନେ ଆର୍ଥିକ ଦୃଷ୍ଟିକୁ ସକ୍ଷମ, ସେମାନେ ବାଧ୍ୟ ହୋଇ ଘରୋଇ ହସ୍ପିଟାଲକୁ ଯାଉଛନ୍ତି। ଅନ୍ୟଥା ଆର୍ଥିକ ସମ୍ବଳ ନଥିବା ରୋଗୀ ସଂପର୍କୀୟ ଘରୋଇ ହସ୍ପିଟାଲକୁ ଯାଇ ନ ପାରି ଭଗବାନଙ୍କ ଭରସାରେ ଏଠାରେ ପଡି ରହୁଛନ୍ତି। ଆହୁରି ସାଂଘାତିକ କଥାଟି ହେଲା, ଶିଶୁ ଭବନରେ ଏବେ ୪୧୨ଟି ବେଡ୍ ରହିଛି। କିନ୍ତୁ ପ୍ରତିଦିନ ହାରାହାରି ଭାବେ ଚିକିତ୍ସା ପାଇଁ ଭର୍ତ୍ତି ହେଉଛନ୍ତି ୧ ହଜାରରୁ ଅଧିକ ଶିଶୁ। ଏମାନଙ୍କୁ କିଏ କେମିତି ଚିକିତ୍ସା ଦେବେ?
ଏପଟେ ଦେଢମାସରୁ ଅଧିକ ହେଲାଣି ଶିଶୁଭବନର ଜି-୭ କୋଠା ତିଆରି ହୋଇ ଲୋକାର୍ପଣ ଅପେକ୍ଷାରେ ରହିଛି। ସରକାର ଆବଶ୍ୟକ ବିଶେଷଜ୍ଞ, ପାରାମେଡିକାଲ କର୍ମଚାରୀ, ଭିତ୍ତିଭୂମି ସରକାର ଯୋଗାଇ ଦେଇନଥିବାରୁ ଏହାର ଲୋକାର୍ପଣ ହୋଇପାରୁନି। ଜାତୀୟସ୍ତରର ଏହି ଅନୁଷ୍ଠାନ ପାଇଁ ଜରୁରୀ ଭାବେ ଅଭିଜ୍ଞ କର୍ମଚାରୀ ବା ବିଶେଷଜ୍ଞ ନିଯୁକ୍ତିରେ ସମସ୍ୟା କେଉଁଠି? ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ କାହିଁକି ଏହି ପ୍ରତିଷ୍ଠାନକୁ ଆସି ସେଠାରେ ସରଜମିନ୍ ସ୍ଥିତି ଯାଞ୍ଚ କରୁନାହାନ୍ତି। ଯଦି ୩୦ କିଲୋମିଟର ଦୂରରେ ଥିବା କଟକର ଏହି ଅନୁଷ୍ଠାନର ଖବର ଲୋକସେବା ଭବନ ଯାଏ ପହଞ୍ଚିପାରୁନି, ତେବେ ରାଜ୍ୟର ଅନ୍ୟ ପ୍ରତିଷ୍ଠାନ ଖବର ସଂପର୍କରେ ସ୍ବାସ୍ଥ୍ୟ ବିଭାଗ କିଭଳି ପଦକ୍ଷେପ ନେଉଥିବ, ତାହା ସହଜରେ ଅନୁମେୟ। ଉଲ୍ଲେଖଯୋଗ୍ୟ, ଶିଶୁଭବନରେ ରହିଛି ପେଡିଆଟ୍ରିକ୍ ମେଡିସିନ୍ ଓ ପେଡିଆଟ୍ରିକ୍ ସର୍ଜରି ବିଭାଗ। ମେଡିସିନ୍ ବିଭାଗ ଅଧୀନରେ ପେଡିଆଟ୍ରିକ୍ ନେଫ୍ରୋଲୋଜିର ଏକ ୟୁନିଟ୍ ରହିଛି। ଶିଶୁଭବନରେ ରହିଛି ୪୧୨ଟି ସାଧାରଣ ଶଯ୍ୟା, ୪୮ଟି ଏସ୍ଏନ୍ସିୟୁ, ୯ଟି ନିକୁ ବେଡ୍। ୯ଟି ନିକୁ ବେଡ୍ ଉପରେ ପ୍ରତ୍ୟେକ ଦିନ ହାରାହାରି ଭାବେ ୨୦ ଗୁରୁତର ଶିଶୁଙ୍କ ଚାପ ରହୁଛି।
[ad_2]