ସିକ୍କିମରେ ପ୍ରଳୟଙ୍କାରୀ ବନ୍ୟା ତାଣ୍ଡବ: ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି, ଏବେ ବି ୧୭ ଯବାନଙ୍କ ମିଳୁନି ପତ୍ତା – Ibnodisha
[ad_1]
ଗାଙ୍ଗଟକ : ସିକ୍କିମରେ ଲୋନାକ ହିମ ହ୍ରଦ ବିସ୍ଫୋରଣ ଜନିତ ବନ୍ୟାର ଯେଉଁ ବିପର୍ଯ୍ୟୟ ଘଟିଲା ତାହା ହେବ ବୋଲି ପୂର୍ବରୁ ସତର୍କ କରାଯାଇଥିଲା । ଗତ ୧୦ ବର୍ଷ ହେଲା ବିଭିନ୍ନ ସରକାରୀ ସଂସ୍ଥା ଓ ଗବେଷକ ଏହି ହିମ ହ୍ରଦ ଭୁଶୁଡିବା ନେଇ ସତର୍କ କରିଥିଲେ । ଶେଷଥର ପାଇଁ ୨୦୨୧ରେ ମଧ୍ୟ ସତର୍କ କରାଯାଇଥିଲା । ମାତ୍ର ସବୁ ସତର୍କ ସୂଚନାକୁ ରାଜ୍ୟ ସରକାର ଅଣଦେଖା କରିଥିଲେ । ଯାହାର ଫଳ ଏତେ ଭୟାନକ ହୋଇଥିଲା ।
ନ୍ୟାସନାଲ ରିମୋଟ୍ ସେନ୍ସିଂ ସେଣ୍ଟର (ଏନ୍ଆରଏସ୍ସି) ଏବଂ ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ପକ୍ଷରୁ ୨୦୧୨-୧୩ରେ ମିଳିତ ଭାବେ କରାଯାଇଥିବା ଅଧ୍ୟୟନରୁ ଏହି ହ୍ରଦର ବିସ୍ଫୋରଣ ଆଶଙ୍କା ୪୨ ପ୍ରତିଶତ ରହିଥିବା ନେଇ କୁହାଯାଇଥିଲା । ୨୦୧୬ରେ ଲଦାଖର ଷ୍ଟୁଡେଣ୍ଟସ ଏଜୁକେସନାଲ ଆଣ୍ଡ କଲ୍ଚରାଲ ମୁଭମେଣ୍ଟର ସୋନମ ୱାଙ୍ଗଚୁକ ଲୋନାକ ହ୍ରଦ ଭୁଶୁଡି ପଡିବା ନେଇ ଆଶଙ୍କା ପ୍ରକାଶ କରିଥିଲେ । ୨୦୨୧ରେ ଏଲ୍ସିଭିଅର ପତ୍ରିକାରେ ପ୍ରକାଶିତ ଏକ ଗବେଷଣା ରିପୋର୍ଟରେ ଲୋନାକ ହ୍ରଦର ବିସ୍ଫୋରଣ ଆଶଙ୍କା ଅଧିକ ରହିଛି ବୋଲି କୁହାଯାଇଥିଲା । ରିପୋର୍ଟ ଅନୁସାରେ ୧୯୬୨ରୁ ୨୦୦୮ ଏହି ୪୬ ବର୍ଷ ଭିତରେ ହିମ ପାହାଡାର ଆକାର ୨ କି.ମି. ହ୍ରାସ ପାଇଥିଲା । ସେହିଭଳି ୨୦୦୮ରୁ ୨୦୧୯ ମଧ୍ୟରେ ୪୦୦ ମିଟର କମି ଯାଇଥିଲା । ଅର୍ଥାତ ଏହି ପାହାଡରୁ ବରଫ ତରଳି ହିମ ହ୍ରଦରେ ମିଶିଥିଲା । ଏଥିରୁ ହ୍ରଦ ପ୍ରତି ବିପଦ ରହିଥିବା ଆଶଙ୍କା ପ୍ରକାଶ ପାଇଥିଲା । ହ୍ରଦର ନିମ୍ନ ଅବବାହିକା ଜନବହୁଳ ଅଞ୍ଚଳ ହୋଇଥିବାରୁ ସେଥିପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା । ୨୦୦୧ରେ ସିକ୍କିମ ମାନବ ଉନ୍ନୟନ ରିପୋର୍ଟ ମଧ୍ୟ ଏହି ହ୍ରଦର ଭୟାବହତା ସମ୍ପର୍କରେ ଉଲ୍ଲେଖ କରିଥିଲା ।
ଲୋନାକ ହ୍ରଦ ସମୁଦ୍ର ପତ୍ତନ ଠାରୁ ୫,୨୦୦ ମିଟର ଉଚ୍ଚରେ ଅବସ୍ଥିତ । ଲୋନାକ ହିମ ପାହାଡରୁ ତରଳୁଥିବା ବରଫ ଯୋଗୁ ଏହି ହ୍ରଦ ସୃଷ୍ଟି ହୋଇଥିଲା । ସର୍ବାଧିକ ବିପଜ୍ଜନକ ୧୪ ହ୍ରଦ ମଧ୍ୟରୁ ଏହା ଅନ୍ୟତମ ଥିଲା । ଦିନକୁ ଦିନ ଅଧିକ ମାତ୍ରାରେ ବରଫ ତରଳିବାରୁ ଏହି ହ୍ରଦର ଆକାର ମଧ୍ୟ ବଢ଼ି ଚାଲିଥିଲା । ଅତ୍ୟଧିକ ପାଣି ଜମିବା, ବାହାର ପାଣି ପ୍ରବେଶ କରିବା କିମ୍ବା ଭୂମିକମ୍ପ ହେଲେ ଏଭଳି ହ୍ରଦ ବିସ୍ଫୋରଣ ହୋଇଥାଏ । ଗତ ବୁଧବାର ରାତିରେ ଏହି ହ୍ରଦ ଉପରେ ବାଦଲ ଫଟା ବର୍ଷା ହୋଇଥିଲା । ପ୍ରବଳ ବର୍ଷା ହେବା ଯୋଗୁ ହଠାତ୍ ଏହି ହିମ ହ୍ରଦ ଭୁଶୁଡି ଯାଇଥିଲା । ଉପଗ୍ରହ ଚିତ୍ରରୁ ଏହାର ଆକାର ସେପ୍ଟେମ୍ବର ୨୮ ତାରିଖ ବେଳକୁ ୧୬୭.୪ ହେକ୍ଟର ପରିବ୍ୟାପ୍ତ ରହିଥିବା ଦେଖାଯାଇଥିଲା । କିନ୍ତୁ ବିସ୍ପୋରଣ ପରେ ଏହାର ଆକାର ୪ ତାରିଖରେ ମାତ୍ର ୬୦.୩ ହେକ୍ଟର ରହିଥିବା ଦେଖିବାକୁ ମିଳିଥିଲା । ଅର୍ଥାତ ବିସ୍ଫୋରଣ ପରେ ଏହାର ଦୁଇ-ତୃତୀୟାଂଶ ପାଣି ବହି ଯାଇଥିଲା । ଏହି ପାଣି ତିସ୍ତା ନଦୀରେ ପ୍ରବେଶ କରିବା ଫଳରେ ଅବବାହିକା ଅଞ୍ଚଳରେ ହଠାତ୍ ବନ୍ୟା ମାଡି ଆସିଥିଲା ।
ଏହି ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁସଂଖ୍ୟା ୧୯କୁ ବୃଦ୍ଧି ପାଇଛି । ବୁଧବାର ୧୪ଟି ମୃତଦେହ ମିଳିଥିଲା ବେଳେ ଗୁରୁବାର ଆଉ ୫ଟି ମୃତଦେହ ଉଦ୍ଧାର କରାଯାଇଛି । ସେଥିରୁ ୩ଟି ଶବ ସିଙ୍ଗତମ ଅଞ୍ଚଳରୁ ଏବଂ ଅନ୍ୟଟି ତିସ୍ତା-୬ ପ୍ରକଳ୍ପ ସ୍ଥଳରୁ ଉଦ୍ଧାର ହୋଇଛି । ଅନ୍ୟ ୯୭ ଜଣ ନିଖୋଜ ଅଛନ୍ତି । ସେମାନଙ୍କ ମଧ୍ୟରେ ୧୭ ଜଣ ସେନା ଯବାନ । ସେମାନଙ୍କୁ ଖୋଜିବା ଲାଗି ଉଦ୍ୟମ ଜାରି ରହିଛି । ରାଜ୍ୟର ମୁଖ୍ୟ ଶାସନ ସଚିବ ଭି.ବି ପାଠକ ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଆକସ୍ମିକ ବନ୍ୟା ଯୋଗୁ ୧୪ଟି ବ୍ରିଜ୍ ଭାସିଯାଇଛି । ଯାହାଫଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହୋଇଛି । ବନ୍ୟା ଯୋଗୁ ପାକିୟଙ୍ଗ, ମାଙ୍ଗନ, ଗାଙ୍ଗଟକ ଓ ନାମଚି ଆଦି ୪ଟି ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି । ୨୨ ହଜାରରୁ ଅଧିକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ରାସ୍ତାଘାଟ ଓ ବ୍ରିଜ୍ ଭାସିଯିବାରୁ ବିଭିନ୍ନ ସ୍ଥାନରେ ୩ ହଜାର ପର୍ଯ୍ୟଟକ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରୁ ଆଜି ୧୬୬ ଜଣଙ୍କୁ ଉଦ୍ଧାର କରାଯାଇଛି । ପ୍ରଭାବିତ ଲୋକଙ୍କ ମଧ୍ୟରୁ ୨୦୧୧ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଭାବିତ ଲୋକଙ୍କ ପାଇଁ ୨୬ଟି ରିଲିଫ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।
[ad_2]