ଶିଶୁମଙ୍ଗଳ କମିଟି ସଦସ୍ୟାଙ୍କୁ ହତ୍ୟା – Ibnodisha

[ad_1]
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଳା ଶିଶୁମଙ୍ଗଳ କମିଟିର ସଦସ୍ୟା ସୌଦାମିନୀ ରଥଙ୍କୁ ହତ୍ୟା କରାଯାଇଛି । ଗୋସାଇଁ ନୂଆଗାଁ ଥାନା ଅମ୍ବିକାନଗରସ୍ଥିତ ଶ୍ରୀମତୀ ରଥଙ୍କ ବାସଭବନରୁ ପୁଲିସକୁ ମୃତଦେହ ମିଳିଛି । ମୁଣ୍ଡକୁ ପ୍ରହାର କରାଯିବାରୁ ସୌଦାମିନୀଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ତେବେ ହତ୍ୟାକାଣ୍ଡ ଭିଆଇଥିବା ସନ୍ଦେହକରି ସୌଦାମିନୀଙ୍କ ଡ୍ରାଇଭର୍କୁ ଅଟକ ରଖିଛି ପୁଲିସ୍ । ମାମଲା ରୁଜୁକରି ପୁଲିସ୍ ଡ୍ରାଇଭରକୁ ପଚରାଉଚରା କରୁଛି ।
ଘଟଣା ସମ୍ପର୍କରେ ଟାଉନ୍ ଏସ୍ଡିପିଓ ରାଜୀବ ଲୋଚନ ପଣ୍ଡା ଗଣମାଧ୍ୟମକୁ କହିଛନ୍ତି, ସୌଦାମିନୀ ପ୍ରାୟ ୧୨ବର୍ଷ ହେବ ଏକ ବେସରକାରୀ ସଂସ୍ଥା ‘ଅରୁଣା’ର ସମ୍ପାଦିକା ଥିଲେ । ୨-୩ଦିନ ତଳେ ଭୁବନେଶ୍ୱରକୁ କୌଣସି କାମରେ ଯାଇଥିଲେ । ଗଲାବେଳେ ତାଙ୍କ ଡ୍ରାଇଭରକୁ ଏସମ୍ପର୍କରେ ଜଣାଇ ତାକୁ ଛୁଟିରେ ରହିବାକୁ କହିଥିଲେ । କିନ୍ତୁ କୌଣସି କାରଣବଶତଃ ବୁଧବାର ରାତିରେ ସେ ଘରକୁ ଫେରିଆସିଥିଲେ ଏବଂ ଘରେ ଡ୍ରାଇଭର ଥିବା ଦେଖିବାକୁ ପାଇଥିଲେ । ସେ ଚୋରି ବା ଅନ୍ୟ କୌଣସି କାରଣରୁ ଘରକୁ ଆସିଥାଇପାରେ ବୋଲି ସନ୍ଦେହ କରାଯାଉଛି । ବୋଧହୁଏ ସେ ସମ୍ପର୍କରେ ଜାଣିଦେବାରୁ ପାଖରେ ଥିବା ଏକ କଟର୍ରେ ସୌଦାମିନୀଙ୍କ ମୁଣ୍ଡକୁ ପିଟି ଡ୍ରାଇଭର ହତ୍ୟାକରିଛି । ଘଟଣାଦିନ ଘରକୁ ଫେରି ତାଙ୍କର କୌଣସି ଷ୍ଟାଫ୍ ସହ ସେ କଥା ହେଉଥିବା ବେଳେ ଏହିସବୁ ଘଟଣା ଘଟିଥିବା ସନ୍ଦେହ କରାଯାଉଛି । କାରଣ ମୋବାଇଲ୍ରେ ସେ ମରିଗଲି ବୋଲି କହୁଥିବା ଶୁଣି ଫୋନ୍ ଧରିଥିବା ଷ୍ଟାଫ୍ଙ୍କ ସନ୍ଦେହ ହୋଇଥିଲା । ତେଣୁ ସେ ଅନ୍ୟ ଷ୍ଟାଫ୍ଙ୍କ ସହ ମିଶି ସୌଦାମିନୀଙ୍କ ଘରକୁ ଆସି ଦେଖିଲା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ସେମାନେ ପୁଲିସକୁ ଖବର ଦେଇଥିଲେ । ଆଖପାଖର ସିସିଟିଭିକୁ ପୁଲିସ ଯାଞ୍ଚକରୁଥିବା ଏସ୍ଡିପିଓ କହିଛନ୍ତି । ତେବେ ଡ୍ରାଇଭର ତାଙ୍କୁ କାହିଁକି ମାରିଲା? ସୌଦାମିନୀ ଘରକୁ ଫେରିବା ପରେ ତାଙ୍କୁ ପିଛାକରି ଅଭିଯୁକ୍ତ ଆସିଥିଲା ନା ପୂର୍ବରୁ ଘରେ ରହିଥିଲା? ସୌଦାମିନୀଙ୍କୁ ହତ୍ୟାପାଇଁ ନା ଚୋରି ଉଦ୍ଦେଶ୍ୟରେ ଯାଇଥିଲା? ଯଦି ହତ୍ୟା ଉଦ୍ଦେଶ୍ୟରେ ଯାଇଥିଲା, ତା’କୁ କେହି ପଠାଇଥିଲା ନା ଏହାପଛରେ କୌଣସି ବ୍ୟକ୍ତିଗତ କାରଣ ଲୁଚି ରହିଛି? ବିଭିନ୍ନ ମହଲରୁ ଏଭଳି ପ୍ରଶ୍ନ ସୃଷ୍ଟିହେଉଛି । ଗୁରୁବାର ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଶବ ଜବତ ପରେ ବ୍ୟବଚ୍ଛେଦ ପାଇଁ ପଠାଇଯାଇଛି । ଏହି ହତ୍ୟାକାଣ୍ଡ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇଦେଇଛି ।
[ad_2]