ଆପଲ୍ର ସତର୍କ ସୂଚନା, ଫୋନ ହ୍ୟାକ୍ କରୁଛନ୍ତି ସରକାର! – Ibnodisha
[ad_1]
ନୂଆଦିଲ୍ଲୀ : ବିରୋଧୀ ରାଜନେତାଙ୍କ ଉପରେ ସରକାର ଗୁଇନ୍ଦା ଆକ୍ରମଣ ପାଇଁ ଯୋଜନା କରିଛନ୍ତି। ଏଥିପାଇଁ ସେମାନଙ୍କ ଫୋନକୁ ହ୍ୟାକିଂ ଉଦ୍ୟମ କରାଯାଉଛି ବୋଲି ବିରୋଧୀ ଦଳଗୁଡିକ ପକ୍ଷରୁ ଅଭିଯୋଗ କରାଯାଇଛି। ମଙ୍ଗଳବାର କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧୀ ଦଳଗୁଡିକ ପକ୍ଷରୁ ଏପରି ଅଭିଯୋଗ କରାଯିବା ପରେ ସରକାର ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି। ଆପଲ୍ ଆଇଫୋନ ପକ୍ଷରୁ ବିଭିନ୍ନ ବିରୋଧୀ ରାଜନେତାଙ୍କ ନିକଟକୁ ଆସିଥିବା ଫୋନ୍ ହ୍ୟାକିଂ ସତର୍କ ସୂଚନାକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ରାଜନୈତିକ ତୁମ୍ବିତୋଫାନ ହୋଇଛି। ଆପଲ କମ୍ପାନୀ ପକ୍ଷରୁ ବିରୋଧୀ ରାଜନେତା ଓ ଅନ୍ୟ ବ୍ୟକ୍ତି ବିଶେଷଙ୍କ ନିକଟକୁ ଇ-ମେଲ ଯୋଗେ ଆସିଥିବା ସତର୍କ ସୂଚନାରେ କୁହାଯାଇଛି ଯେ କୌଣସି ସରକାରୀ ପ୍ରାୟୋଜିତ ହ୍ୟାକରଙ୍କ ଦ୍ବାରା ସେମାନଙ୍କ ଫୋନ ହ୍ୟାକ କରାଯିବାର ଆଶଙ୍କା ରହିଛି। ଏହି ସତର୍କ ସୂଚନା ମିଳିବା ପରେ ବିରୋଧୀ ରାଜନେତାମାନେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବିଜେପି ନେତୃତ୍ବ କେନ୍ଦ୍ର ସରକାର ବିରୋଧୀ ରାଜନେତାଙ୍କ ଉପରେ ସାଇବର ଆକ୍ରମଣ ଯୋଜନା କରିଛନ୍ତି। ଏଥିପାଇଁ ବିରୋଧୀ ରାଜନେତାଙ୍କ ଫୋନକୁ ହ୍ୟାକିଂ କରିବା ଲାଗି ଉଦ୍ୟମ କରାଯାଉଛି। ଏ ସମ୍ପର୍କରେ ସେମାନଙ୍କୁ ସତର୍କ ସୂଚନା ମିଳିଛି। ରାହୁଲ କହିଛନ୍ତି ତାଙ୍କ ଦଳର ନେତା କେସି ବେଣୁଗୋପାଳ, ପୱନ ଖେରା, ସୁପ୍ରିୟା ଶ୍ରୀନେଟ ଓ ଅନ୍ୟ କର୍ମକର୍ତ୍ତାଙ୍କ ନିକଟକୁ ଆପଲ୍ କମ୍ପାନୀ ପକ୍ଷରୁ ସତର୍କ ସୂଚନା ଆସିଛି। କଂଗ୍ରେସ ନେତାଙ୍କ ବ୍ୟତୀତ ଶିବସେନା (ୟୁବିଟି) ସାଂସଦ ପ୍ରିୟଙ୍କା ଚତୁର୍ବେଦୀ, ଟିଏମସି ସାଂସଦ ମହୁଆ ମୈତ୍ର, ସିପିଆଇ ନେତା ସୀତାରାମ ୟେଚୁରୀ, ଆପ୍ ନେତା ରାଘବ ଚଢା ଓ ଏଆଇଏମଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ ଓୱେସୀଙ୍କ ନିକଟକୁ ଏପରି ସତର୍କ ସୂଚନା ମିଳିଥିବା ଜଣାଯାଇଛି। ବିରୋଧୀ ଦଳଗୁଡିକ ପକ୍ଷରୁ କରାଯାଇଥିବା ଏପରି ଅଭିଯୋଗକୁ ବିଜେପି ଖଣ୍ଡନ କରିଛି। ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି ଯେ ରାହୁଲ ଗାନ୍ଧୀ ସରକାରଙ୍କ ବିରୋଧରେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ହାସ୍ୟାସ୍ପଦ। ତେବେ ବିରୋଧୀଙ୍କ ପକ୍ଷରୁ ହୋଇଥିବା ଅଭିଯୋଗକୁ ନେଇ କେନ୍ଦ୍ର ସରକାର ତ୍ବରିତ ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ଅଭିଯୋଗ ଉପରେ ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି। ମନ୍ତ୍ରୀ ବୈଷ୍ଣବ କହିଛନ୍ତି ଯେ ଆପଲ୍ କମ୍ପାନୀ ପକ୍ଷରୁ କେବଳ ଭାରତ ନୁହେଁ ଅନ୍ୟାନ୍ୟ ପ୍ରାୟ ୧୫୦ଟି ଦେଶରେ ଥିବା ନିଜ ଉପଭୋକ୍ତାଙ୍କୁ ଏପରି ସତର୍କ ସୂଚନା ଦେଇଛି। ତେଣୁ ବିରୋଧୀ ଦଳ ପକ୍ଷରୁ ଯେଉଁ ଅଭିଯୋଗ କରାଯାଇଛି ତାହା ଯଥାର୍ଥ ନୁହେଁ। ସେହିପରି ପୂର୍ବତନ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ଯେ କୌଣସି ରାଜନେତା ଯଦି ନିଜର ଫୋନ ହ୍ୟାକିଂ ନେଇ ଆଶଙ୍କା ପ୍ରକାଶ କରୁଥାନ୍ତି ତେବେ ସେ ଏଥିପାଇଁ ମାମଲା ରୁଜୁ କରିବା ଦରକାର। ଏହି ପ୍ରସଙ୍ଗରେ ଆପଲ୍ କମ୍ପାନୀ ପକ୍ଷରୁ ଦିଆଯାଇଥିବା ପ୍ରତିକ୍ରିୟାରେ କୁହାଯାଇଛି ଯେ ସତର୍କ ସୂଚନାରେ କୌଣସି ନିର୍ଦ୍ଦିଷ୍ଟ ଦେଶର ସରକାରଙ୍କ ଦ୍ବାରା ଫୋନ ହ୍ୟାକିଂ କରାଯିବା କୁହାଯାଇ ନାହିଁ।
[ad_2]