ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପ୍ରଦୀପ ମାଝୀ

IBN ଓଡିଶା(ବ୍ୟୁରୋ):-ଭୁବନେଶ୍ୱର: ରାଜ୍ୟରେ ବାତ୍ୟା ସ୍ଥିତି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । ବାତ୍ୟା ଅଞ୍ଚଳ ପରିଦର୍ଶନ ପରେ କଂଗ୍ରେସ ଟାସ୍କ ଫୋର୍ସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ରାଜ୍ୟ ସରକାର ବାତ୍ୟା ପରେ ନିଜ ଛବି ବଞ୍ଚାଇବା ପାଇଁ ଅଧିକ ଚେଷ୍ଟା କରିଛନ୍ତି । କେବଳ ଚୁଡା, ଗୁଡ ଓ ପଲିଥିନରେ ଦେଇ ସୀମିତ ରହିଛନ୍ତି ସରକାର ।
ବାଲେଶ୍ୱର ଉପନିର୍ବାଚନ ବେଳେ ସରକାର ଯେତିକି ତତ୍ପରତା ଦେଖାଇଥିଲେ ବାତ୍ୟା ବେଳେ ସେତିକି ଦେଖାଇ ନାହାନ୍ତି ବୋଲି କହିଛନ୍ତି ପ୍ରଦୀପ ମାଝୀ । 27 ଓ 28 ତାରିଖରେ ଲୋକେ ଭୋକ ଉପାସରେ ଥିଲେ । 29 ତାରିଖରୁ ରିଲିଫ ବଣ୍ଟା ହେଉଛି । କୌଣସି ପ୍ରଶାସନିକ ଅଧିକାରୀ ଲୋକଙ୍କ ପାଖରେ ପହଂଚି ନାହାନ୍ତି । ସରକାରଙ୍କ ପାଖରେ ସାଧନ ନାହିଁ ଜଳ ବନ୍ଦୀ ଘେରରେ ଥିବା ଲୋକଙ୍କୁ ରିଲିଫ ଦେବା ପାଇଁ ।ମୁଖ୍ୟମନ୍ତ୍ରୀ 7 ଦିନ କାଳ ରନ୍ଧା ଖାଦ୍ୟ ପାଇଁ ଘୋଷଣା କଲେ, ହେଲେ କୌଣସି ଏସଏସଜିକୁ ଟଙ୍କା ଟିଏ ବି ଦିଆହୋଇନି ବୋଲି କହିଛନ୍ତି ପ୍ରଦୀପ ମାଝୀ । ସେହିପରି 128 ଟି ଗାଁର ଲୋକ ଏବେ ବି ପାଣି ଘେରରେ । 10 ହଜାର ଘର ଭାଙ୍ଗି ଯାଇଛି । ପକ୍କା ଘର ପାଇଁ ଦୃଷ୍ଟି ଦେଇ ନାହାନ୍ତି ସରକାର । ତୁରନ୍ତ ତାଙ୍କ ପାଇଁ ରନ୍ଧା ଖାଦ୍ୟ ଯୋଗାଇବାକୁ ଦାବି କରିଛି କଂଗ୍ରେସ । ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡାରେ ଚାଷ ଉଜୁଡି ଯାଇଛି । 500 ରୁ 700 କୋଟି ଟଙ୍କାର ଚିଙ୍ଗୁଡ଼ି ଚାଷ ନଷ୍ଟ ହୋଇଛି । ସମସ୍ତ ଚାଷୀ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ପାଇଁ ଦାବି କରିଛି କଂଗ୍ରେସ ।




