ବଢ଼ୁଛି ଅନ୍ଲାଇନ୍ରେ ଶିଶୁଙ୍କ ଯୌନ ଶୋଷଣ; ବିପୁଳ ଟଙ୍କା ରୋଜଗାର କରୁଛନ୍ତି ଯୌନ ରାକ୍ଷସ – Ibnodisha

[ad_1]
ଭୁବନେଶ୍ବର: ଅନ୍ଲାଇନରେ ମାତିଛନ୍ତି ଯୌନ ରାକ୍ଷସ। ଶିଶୁଙ୍କୁ ଜାଲରେ ଫସାଇ ସେମାନଙ୍କ ଅଶ୍ଳୀଳ ଭିଡିଓ ତିଆରି କରିବା ପରେ ଖୋଲା ବଜାରରେ ବିକ୍ରି କରୁଛନ୍ତି। ଦେଶ ବିଦେଶରେ ଘୂରି ବୁଲୁଛି କୋମଳମତି ଶିଶୁଙ୍କ ଅଶ୍ଳୀଳ ଭିଡିଓ। ଏହାକୁ ଆଧାର କରି ବିପୁଳ ଟଙ୍କା ରୋଜଗାର କରୁଛନ୍ତି ସାଇବର ଅପରାଧୀ। ନିଲାମ ହେଉଛି ଶିଶୁଙ୍କ ଇଜ୍ଜତ। ଏମିତି ଢଙ୍ଗରେ ବଢ଼ି ଚାଲିଛି ଚାଇଲ୍ଡ ପର୍ଣ୍ଣୋଗ୍ରାଫି ବା ଅନଲାଇନରେ ଶିଶୁଙ୍କ ଅଶ୍ଳୀଳ ଭିଡିଓ ଓ ଯୌନ ଶୋଷଣ ଘଟଣା। ୨୦୨୧ରେ ‘ବୁଲି ବାଇ’ ଆପ୍ ମାମଲାରେ ସିବିଆଇ ପକ୍ଷରୁ ଦେଶବ୍ୟାପୀ ଚଢ଼ଉ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇଥିଲା। ଓଡ଼ିଶାରୁ ଜଣେ ଅଭିଯୁକ୍ତ ଗିରଫ ସହ ଏକାଧିକ ସନ୍ଦିଗ୍ଧଙ୍କୁ ନୋଟିସ୍ କରା ଯାଇଥିଲା। କିନ୍ତୁ ଅପରାଧୀଙ୍କ ଉପରେ ସେମିତି କିଛି ପ୍ରଭାବ ପକାଇ ପାରି ନାହିଁ। ଏବେ ବି ଏହି ଅପରାଧ ହୁ ହୁ ହୋଇ ବଢ଼ି ବଢ଼ି ଚାଲିଛି।
ମିଳିଥିବା ସୂଚନା ଅନୁସାରେ, ଅନ୍ଲାଇନରେ ଶିଶୁଙ୍କ ଅଶ୍ଳୀଳ ଭିଡିଓ ତିଆରି କରି ସେମାନଙ୍କୁ ଯୌନ ଶୌଷଣ କରିବା ଘଟଣା ବଢ଼ି ବଢ଼ି ଚାଲିଛି। ଶିଶୁଙ୍କ ଅଶ୍ଳୀଳ ଭିଡିଓ, ଦୁଷ୍କର୍ମ ଓ ଗଣଦୁଷ୍କର୍ମ(ଚାଇଲ୍ଡ ପର୍ଣ୍ଣୋଗ୍ରାଫି, ରେପ୍ ଆଣ୍ଡ ଗ୍ୟାଙ୍ଗରେପ୍ ବା ସିପିଆରଜିଆର) ପୋର୍ଟାଲରେ ହୋଇଥିବା ଅଭିଯୋଗ ଅନୁସାରେ, ୨୦୨୦ରେ ୩୧୦ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେହିପରି ୨୦୨୧ରେ ୫୧୨ଟି, ୨୦୨୨ରେ ୬୨୦ ଓ ୨୦୨୩ ଅଗଷ୍ଟ ସୁଦ୍ଧା ୪୧୯ ଅଭିଯୋଗ ଗ୍ରହଣ କରାଯାଇଛି। ଅର୍ଥାତ୍ ଅଭିଯୋଗ ଉପରମୁହାଁ ରହିଛି। ପ୍ରାୟ ସାଢ଼େ ତିନି ବର୍ଷ ମଧ୍ୟରେଏଭଳି ୧୮୬୧ଟି ଅଭିଯୋଗ ଗ୍ରହଣ କରିଛି କ୍ରାଇମବ୍ରାଞ୍ଚ। ଅନ୍ୟପକ୍ଷରେ ଅନୁସନ୍ଧାନ ପରେ କେତେକ ଅଭିଯୋଗକୁ ମାମଲା ରୁଜୁ କରିବା ପାଇଁ କ୍ରାଇମବ୍ରାଞ୍ଚ ସ୍ଥାନୀୟ ଥାନାକୁ ପଠାଇଛି। ଆଉ କେତେକ ଅଭିଯୋଗର ଅନୁସନ୍ଧାନ, ତଦନ୍ତ ନିଜେ କରୁଛି। ଅନ୍ୟପକ୍ଷରେ ସିଧାସଳଖ ଥାନା, ସାଇବର ଥାନାରେ ମଧ୍ୟ ଅନେକ ଲିଖିତ ଅଭିଯୋଗ କରାଯାଉଛି। ଶିଶୁ ଯୌନ ନିର୍ଯାତନା ସଂକ୍ରାନ୍ତ ମାମଲା ରୁଜୁ ହେଉଛି। ଏସବୁକୁ ହିସାବକୁ ନେଇ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଅଭିଯୋଗ ସଂଖ୍ୟା ତିନି ହଜାର ଟପିଯିବ ବୋଲି କୁହାଯାଉଛି।ବିଶେଷଜ୍ଞଙ୍କ କହିବା ଅନୁସାରେ, ଛୋଟ ଛୋଟ ଶିଶୁଙ୍କ ହାତରେ ସ୍ମାର୍ଟ ମୋବାଇଲ ଫୋନ୍ ରହୁଛି। କରୋନା ପରଠାରୁ ଏହି ଅଭ୍ୟାସ ବଢ଼ି ଚାଲିଛି। ପିଲାମାନେ ଫେସବୁକ୍, ଇନଷ୍ଟାଗ୍ରାମ୍ ଆଦି ପ୍ରତି ଆକୃଷ୍ଟ ହେଉଛନ୍ତି। ସେଠାରେ ଅଜଣା ବନ୍ଧୁଙ୍କ ସହ ଯୋଡ଼ି ହୋଇ ଯାଉଛନ୍ତି। କିଶୋର ବୟସରେ କିଏ ପ୍ରେମରେ ପଡ଼ି ଯାଉଛି ତ ଆଉ କିଏ ବ୍ଲାକମେଲିଂର ଶିକାର ହେଉଛି। ସାଇବର ଅପରାଧୀମାନେ ସେମାନଙ୍କ ସହ ସମ୍ପର୍କ ଯୋଡ଼ି ଅଶ୍ଳୀଳ ଭିଡିଓ ତିଆରି କରୁଛନ୍ତି।
ଏପରିକି ସୋସିଆଲ ମିଡିଆରେ ଝିଅ ବେଶରେ ପୁଅ ଓ ପୁଅ ବେଶରେ ଝିଅମାନେ ଏଭଳି କଳା କାରନାମା କରୁଥିବା ଜଣାପଡ଼ିଛି। ଅନ୍ତରଙ୍ଗ ଭିଡିଓ ତିଆରି କରିବା ପରେ ସେମାନଙ୍କ ଅଭିଭାବକ ଓ ସମ୍ପର୍କୀୟଙ୍କ ଆଗରେ ଘଟଣା ପ୍ରଘଟ କରିବା ବାହାନାରେ ଅଶ୍ଳୀଳ ଭିଡିଓ କରି ଦେଉଛନ୍ତି। ଥରେ ଯୌନ ରାକ୍ଷସଙ୍କ ହାତକୁ ଏହି ଭିଡିଓ ଚାଲି ଆସିବା ପରେ ସେମାନେ ଏହାକୁ ଖୋଲା ବଜାରରେ ବିକ୍ରି କରୁଛନ୍ତି। ବିଭିନ୍ନ ପର୍ଣ୍ଣ ସାଇଟ୍ରେ ଅପଲୋଡ୍ କରୁଛନ୍ତି। ଏପରିକି ହ୍ବାଟସଆପ୍ ଗ୍ରୁପ୍, ଟେଲିଗ୍ରାମ୍ ଗ୍ରୁପ୍ ତିଆରି କରି ସେଥିରେ ଭିଡିଓ ଛାଡ଼ୁଛନ୍ତି। ଯେତେବେଳେ ବୁଲି ବାଇ ଆପ୍ ମାମଲା ସାମ୍ନାକୁ ଆସିଥିଲା ସେତେବେଳେ ଏକାଧିକ ଗ୍ରୁପରେ ବିଦେଶୀ ନାଗରିକ ଥିବା ଜଣାପଡ଼ିଥିଲା। ଏବେ ମଧ୍ୟ ସେହି ଢାଞ୍ଚାରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଜାରି ରହିଛି। ଯେଉଁଥିରେ କୋମଳମତି ଶିଶୁ ଶିକାର ହେଉଛନ୍ତି। ପୂର୍ବରୁ ଅଶ୍ଳୀଳ ଭିଡିଓକୁ ନେଇ ରାଜ୍ୟରେ ଏକାଧିକ ଆତ୍ମହତ୍ୟା ଘଟଣା ମଧ୍ୟ ଘଟିଛି। ୨୦୧୫ ଏପ୍ରିଲରେ କଟକ ଗ୍ରାମାଞ୍ଚଳ ଥାନା ଅଧୀନରେ ଜଣେ ୧୬ ବର୍ଷୀୟା ନାବାଳିକା ଅଶ୍ଳୀଳ ଭିଡିଓକୁ ନେଇ ଆତ୍ମହତ୍ୟା କରିଥିଲେ। ସେହିପରି ୨୦୧୯ରେ ପାଟକୁରାରେ ମଧ୍ୟ ଅନୁରୂପ ଘଟଣା ଘଟିଥିଲା। ୨୦୧୮ ମେ ମାସରେ ନବରଙ୍ଗପୁରରେ ଜଣେ ୧୬ ବର୍ଷୀୟା ନାବାଳିକା ଆତ୍ମହତ୍ୟା କରିଥିଲେ।
ଶିଶୁଙ୍କ ସୁରକ୍ଷା ଓ ଅଧିକାର କ୍ଷେତ୍ରରେ କାମ କରୁଥିବା ରୁଚିକା ଚାଇଲ୍ଡ ଲାଇନର ଅଧିକାରୀ ବେଣୁଧର ସେନାପତି କହିଛନ୍ତି, ସ୍କୁଲ ଓ କଲେଜ ପିଲାଙ୍କ ସ୍ମାର୍ଟ ଫୋନ୍ ବ୍ୟବହାର ସଂପର୍କରେ ଶିକ୍ଷାନୁଷ୍ଠାନରେ ବ୍ୟାପକ ସଚେତନତା ହେବା ଦରକାର। ଅଭିଭାବକମାନେ ମଧ୍ୟ ସେମାନଙ୍କ ପିଲାମାନଙ୍କୁ ବୁଝାନ୍ତୁ। ପୁଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ସହ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପାରିଲେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ମାମଲା କମି ପାରିବ।
ଆଇପିସି, ଆଇଟି ଆଇନ ସହ ଜୁଭେନାଇଲ୍ ଜଷ୍ଟିସ୍ ଆଇନର ଧାରା-୭୫ ଓ ପୋକ୍ସୋ ଆଇନର ଧାରା-୧୪ ଲଗାଯାଇ ମାମଲାକୁ ଅଧିକ ଦୃଢ଼ କରାଯାଇ ପାରିବ। ସାଇବର ବିଶେଷଜ୍ଞ ପ୍ରଶାନ୍ତ ସାହୁଙ୍କ କହିବା ଅନୁସାରେ, ସ୍ମାର୍ଟ ଫୋନ୍ ବ୍ୟବହାର କରୁଥିବା ପିଲାମାନଙ୍କର ଅଭିଭାବକମାନେ ଅଧିକ ସତର୍କ ହେବା ଦରକାର। ପିଲା ପାଠ ପଢ଼ା ବ୍ୟତୀତ ଅନ୍ୟ କେଉଁ ସୋସିଆଲ ମିଡିଆ ସାଇଟ୍ ବ୍ୟବହାର କରୁଛି ତାହାର ଯାଞ୍ଚ କରିବା ଆବଶ୍ୟକତା ରହିଛି। ସୋସିଆଲ ମିଡିଆରେ ଅଚିହ୍ନା ଲୋକ ସହ ସମ୍ପର୍କ ବଢ଼ାଇବା କଥା ନୁହେଁ, ଅଚିହ୍ନା ଲୋକ ସହ ଚାଟିଂ କିମ୍ବା ଭିଡିଓ କଲ୍ କରିବା ଉଚିତ୍ ନୁହେଁ। ପିଲାକୁ ଏ ନେଇ ସଚେତନ କରିବା ଜରୁରୀ। ପିଲାକୁ ଅଧିକ ସମୟ ଦେବା ସହ ଯଦି କିଛି ମାନସିକ ଅବସାଦ ରହୁଥିବା ଅଭିଭାବକମାନଙ୍କ ନଜର କରନ୍ତି, ତେବେ ତାର କାରଣ ପଚାରି ବୁଝିବା ଦରକାର। ଏଠାରେ ଉଲ୍ଲେଖଯୋଗ୍ୟ, ନିକଟରେ ପୁଲିସ ପକ୍ଷରୁ ମଧ୍ୟ ଏ ସମ୍ପର୍କରେ ସଚେତନତା କରା ଯାଇଥିଲା।
[ad_2]