ଦେଶ

ଟନେଲ ଭିତରର ଅନୁଭୂତି ବଖାଣିଲେ ଓଡ଼ିଆ ଶ୍ରମିକ, କହିଲେ ୧୦ ଦିନ ମୁଢ଼ି ଖାଇ କାଟିଲୁ – Ibnodisha

[ad_1]

ବ୍ୟୁରୋ : ଦୀର୍ଘ ୧୭ ଦିନର ଅହୋରାତ୍ର ସଂଗ୍ରାମ ପରେ ଶେଷରେ ଅସମ୍ଭବ ସମ୍ଭବରେ ପରିଣତ ହେଲା । ହାରିଲା ମୃତ୍ୟୁ ଆଉ ଜିତିଲା ଜୀବନ। ଟନେଲର ଅନ୍ଧକାରରୁ ବାହାରି ଆଲୋକ ଦେଖିଲେ ୪୧ ଶ୍ରମିକ । କାମ ଦେଲା ଉଦ୍ଧାରକାରୀ ଟିମର ଅକ୍ଳାନ୍ତ ପରିଶ୍ରମ। ଦେଶବାସୀଙ୍କ ପ୍ରାର୍ଥନା ବି ସଫଳ ହେଲା । ଦୀର୍ଘ ୧୭ ଦିନ ଧରି ଉତ୍ତରାଖଣ୍ଡର ଉତ୍ତରକାଶୀର ଟନେଲ ଭିତରେ ଫସି ରହିଥିବା ସମସ୍ତ ୪୧ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଗତ ରାତିରେ ଉଦ୍ଧାର କରାଯିବା ପରେ ସମଗ୍ର ଦେଶରେ ଏକପ୍ରକାର ଉତ୍ସବର ମାହୋଲ ସୃଷ୍ଟି ହୋଇଛି।। ଏହି ୪୧ ଜଣଙ୍କ ମଧ୍ୟରେ ଓଡ଼ିଶାର ୫ ଜଣ ବି ଅଛନ୍ତି। ଟନେଲରୁ ବାହାରିବା ପରେ ଗତ ୧୭ ଦିନର ଲୋମଟାଙ୍କୁରା ଅନୁଭୂତି ବଖାଣିଛନ୍ତି ଓଡ଼ିଆ ଶ୍ରମିକ । ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ଉଦଳାର ଧୀରେନ ନାୟକ ପ୍ରାୟ ୩ ବର୍ଷ ହେଲା ଉତ୍ତରାଖଣ୍ଡରେ ଟନେଲ କାର୍ଯ୍ୟ କରୁଥିଲେ ବି ଏପରି ସମସ୍ୟାର ସମ୍ମୁଖୀନ ହୋଇ ନ ଥିଲେ। ମାତ୍ର ଦୀପାବଳି ପୂର୍ବ ରାତିରେ ଟନେଇ ଭିତରକୁ ଯିବା ପରେ ସେ ଯେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି ସେ ନେଇ ସୂଚନା ଦେଇଛନ୍ତି। ଧୀରେନ କହିଛନ୍ତି, ନଭେମ୍ବର ୧୧ ତାରିଖ ରାତି ୮ଟାରେ କାମକୁ ଯାଇଥିଲୁ। ମାତ୍ର କାମ ସାରି ଫେରିଲା ବେଳକୁ ବାଟ ବନ୍ଦ ହୋଇଯାଇଥିଲା । ୧୮ ଘଣ୍ଟା ପର୍ଯ୍ୟନ୍ତ ଆମେ ଅମ୍ଳଜାନ ପାଇପାରି ନ ଥିଲୁ । ଏହାପରେ ଉପସ୍ଥିତ ବୁଦ୍ଧି ଖଟାଇ ଟନେଲ ଭିତରେ ପମ୍ପ ଚଲାଇ ପାଇପ୍‌ ବାଟେ ପାଣି ଛାଡ଼ିଥିଲୁ। ଫଳରେ ବାହାରେ ଥିବା କମ୍ପାନୀ କର୍ମଚାରୀ ଆମେ ଫସି ଯାଇଥିବା ଜାଣି ପାରିଥିଲେ। ପ୍ରଥମେ ସେହି ପାଇପ ଦ୍ୱାରା ବାହାର ସହ ଯୋଗାଯୋଗ ହୋଇଥିଲା । ସେହି ପାଇପରେ ମୁଢ଼ି, କାଜୁ, କିସମିସ୍, ଚଣା ଆଦି ଆମ ନିକଟରେ ପହଞ୍ଚିଥିଲା । ପ୍ରଥମ ୧୦ଦିନ କେବଳ ତାହାକୁ ଖାଇ ଦିନ କାଟିଥିଲୁ। ଟନେଲ ଭିତରେ ବହୁ ପ୍ରତିକୂଳ ପରିସ୍ଥିତିରେ ଥିଲେ ବି ଏକାଠି ଥିବାରୁ ମନୋବଳ ଭାଙ୍ଗି ନ ଥିଲା, ଉଦ୍ଧାର ଆଶା ରହିଥିଲା ବୋଲି ଧୀରେନ୍ କହିଛନ୍ତି । ଏହାପରେ ୬ ଇଞ୍ଚର ପାଇପ ପକାଇ ଭାତ, ରୁଟି, ଡାଲି ପଠା ଯାଇଥିଲା । ପ୍ରାୟ ୧୦, ୧୨ ଦିନ ପରେ ପରିବାର ଲୋକଙ୍କ ସହ କଥା ହୋଇ ପାରିଥିଲୁ। ଏଭଳି କଠିନ ପରିସ୍ଥିତିରେ କିନ୍ତୁ ଟନେଲ ଭିତରେ ପାଣି ଓ ଲାଇନ କଟି ନଥିଲା। ଦୀର୍ଘ ୧୭ ଦିନର ଅପେକ୍ଷା ପରେ ଗତକାଲି ରାତିରେ ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇ ପାରିଥିଲା। ଆମକୁ ଉଦ୍ଧାର କରିବା ନିମନ୍ତେ ସଂଯୋଗ କରାଯାଇଥିବା ପାଇପ୍‌କୁ ଦେଖି ସମସ୍ତେ ଖୁସି ହୋଇ ଯାଇଥିଲୁ। ଏପରିକି ଖୁବ୍‌ ଶୀଘ୍ର ଉଦ୍ଧାର ହୋଇଯିବୁ ବୋଲି ମନରେ ବିଶ୍ୱାସ ଜନ୍ମିଥିଲ। ବାହାରେ ଆମ ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଓ କେନ୍ଦ୍ରମନ୍ତ୍ରୀ ଜେନେରାଲ ଭିକେ ସିଂହ ଉପସ୍ଥିତ ଥିବା ଦେଖି ଖୁବ୍‌ ଖୁସି ଲାଗିଥିଲା। ଏହାପରେ ଆମକୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛୁ। ଗାଁକୁ ଫେରିବାକୁ ପାଖାପାଖି ଆହୁରି ସପ୍ତାହେ ଲାଗିଯିବ ବୋଲି କହିଛନ୍ତି ଧୀରେନ । ସୂଚନାଯୋଗ୍ୟ, ଟନେଲ ଭିତରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ବଡ଼ବଡ଼ ଓ ଅତ୍ୟାଧୁନିକ ମେସିନର ସହାୟତା ନିଆଯାଇଥିଲା। କିନ୍ତୁ ସବୁ କିଛି ଫେଲ୍‌ ମାରିଥିଲା। ଶେଷରେ ପାରମ୍ପରିକ ରାଟ ହୋଲ୍‌ ମାଇନିଂ ଦ୍ୱାରା ଶ୍ରମିକମାନଙ୍କ ପାଖରେ ଉଦ୍ଧାରକାରୀ ଦଳର ପାଇପ ପହଞ୍ଚିଥିଲା। ରାଟ ମାଇନିଂ ଜରିଆରେ ଶ୍ରମିକମାନେ ୨୪ ଘଣ୍ଟାରେ ୧୦ ମିଟର ଗାତ ଖୋଳିଥିଲେ। ବାକି ୨ ମିଟର ଖୋଳା ଯିବା ପରେ ଶ୍ରମିକମାନଙ୍କ ପାଖରେ ପାଇପ ପହଞ୍ଚିଥିଲା। ଉଦ୍ଧାର ପାଇଁ ପାଇପ ଯୋଗେ ଏନଡିଆରଏଫର ୩ଟି ଟିମ ଟନେଲ ଭିତରକୁ ଯାଇଥିଲେ।  ଏହି ପାଇପ ଯୋଗେ ସେମାନେ ଶ୍ରମିକମାନଙ୍କୁ ବାହାରକୁ ଆଣିଥିଲେ। ଏହାପରେ ତୁରନ୍ତ ଗ୍ରୀନ୍‌ କରିଡ଼ର କରାଯାଇ ଶ୍ରମିକମାନଙ୍କୁ ୩୦ କିମି ଦୂର ଚିନ୍ୟାଲିସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ନଭେମ୍ବର ୧୨ରେ ସମଗ୍ର ଦେଶ ଦୀପାବଳି ମନାଉଥିବା ବେଳେ ଉତ୍ତରକାଶୀର ଏହି ନିର୍ମାଣାଧୀନ ଟନେଲ ଭୁଶୁଡି ପଡିଥିଲା, ଯେଉଁଥିରେ ଫସି ଯାଇଥିଲେ ୪୧ ଜଣ ଶ୍ରମିକ। ସେମାନଙ୍କୁ ଉଦ୍ଧାର ପାଇଁ ବହୁ ଚେଷ୍ଟା କରାଯାଇଥିଲା। ଅଗର ମେସିନଠୁ ବହୁ ଡ୍ରିଲିଂ ମେସିନ୍ ଏବଂ ରୋବଟ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। କିନ୍ତୁ ସୁଡ଼ଙ୍ଗ ରାସ୍ତା ଅବରୋଧ କାରଣରୁ ସହଜ ହୋଇପାରି ନଥିଲା।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button