ରାଜ୍ୟ

ରତ୍ନଭଣ୍ଡାର କାନ୍ଥ ଓ ଚଟାଣରେ ଫାଟ – Ibnodisha

[ad_1]

ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର କାନ୍ଥ ଓ ଚଟାଣରେ ଫାଟ ରହିଛି। ଲେଜର ସ୍କାନିଂ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ଦୁଇଦିନ ଧରି ଚାଲିଥିବା ଲେଜର ସ୍କାନିଂ ବୁଧବାର ଶେଷ ହୋଇଛି। ଭିତର ଓ ବାହାର ରତ୍ନଭଣ୍ଡାରର ବାହାର କାନ୍ଥରୁ ସ୍କାନିଂ କରାଯାଇଛି। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‍ଆଇ), ଶ୍ରୀମନ୍ଦିର ପ୍ରଶାସନ ଏବଂ ବୈଷୟିକ କୋର କମିଟି ସଭ୍ୟଙ୍କ ଉପସ୍ଥିତିରେ ବିଭିନ୍ନ ସ୍ଥାନରେ ଲେଜର ସ୍କାନିଂ କରାଯାଇଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନ ପାଖରେ ଖୁବଶୀଘ୍ର ସ୍କାନିଂ ରିପୋର୍ଟ ଦାଖଲ କରାଯିବ। ସ୍କାନିଂ ରିପୋର୍ଟରୁ ଫାଟ ସମ୍ପର୍କରେ ସୁରାକ ମିଳିଥିବା ଏଏସ୍‍ଆଇର ଜଣେ ଅଧିକାରୀ କହିଛନ୍ତି।

ରାଜ୍ୟ ସରକାର ଏବଂ ମନ୍ଦିର ପ୍ରଶାସନ ଅନୁମତି ଦେଲେ ରତ୍ନଭଣ୍ଡାର ମରାମତି କରାଯିବ ବୋଲି ସେ ମତ ଦେଇଛନ୍ତି। ଲେଜର ସ୍କାନିଂ ମାଧ୍ୟମରେ ରତ୍ନଭଣ୍ଡାର କାନ୍ଥ, ଚଟାଣ ଏବଂ ଛାତ ତଳପାର୍ଶ୍ବ ଚିତ୍ର ଉତ୍ତୋଳନ କରାଯାଇଛି। ଏହି କାର୍ଯ୍ୟରେ ନିୟୋଜିତ ହୋଇଥିବା ଘରୋଇ ସଂସ୍ଥା ଖୁବଶୀଘ୍ର ସ୍କାନିଂ ଚିତ୍ର ପ୍ରଦାନ କରିବ। ରତ୍ନଭଣ୍ଡାର କାନ୍ଥ ଓ ଚଟାଣର କିଛି ସ୍ଥାନରେ ପାଣି ଜକାଉଥିବା ସୂଚନା ମିଳିଛି। ତେଣୁ ଦୁଇଟି ରତ୍ନଭଣ୍ଡାରର ମରାମତି ଆବଶ୍ୟକ ବୋଲି ପୁଣିଥରେ ସ୍ପଷ୍ଟ ହୋଇଛି।

୨୦୨୪ ରଥଯାତ୍ରା ସମୟରେ ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିର ଆଡପମଣ୍ଡପରେ ବିଜେ କରିବା ପରେ ଭିତର ଓ ବାହାର ରତ୍ନଭଣ୍ଡାର ଖୋଲାଯାଇ ମରାମତି କରାଯିବ। ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏଥିପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେବେ ରତ୍ନଭଣ୍ଡାରରେ ରହିଥିବା ମହାପ୍ରଭୁଙ୍କ ମୂଲ୍ୟବାନ ସୁନାରୂପା ଏବଂ ହିରାନୀଳାଗୁଡିକର ଗଣତି କରାଯିବ କି ନାହିଁ ସେଥିନେଇ ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ। ଲେଜର ସ୍କାନିଂ ରିପୋର୍ଟ ଆଗାମୀ ପରିଚାଳନା ବୈଠକରେ ଉପସ୍ଥାପନ କରାଯିବ। ତାହାକୁ ଭିତ୍ତିକରି ମନ୍ଦିର ପ୍ରଶାସନ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଷୟିକ କମିଟି ଗଠନ କରାଯିବ। ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ସରକାରଙ୍କ ଠାରୁ ଅନୁମତି ଅଣାଯିବ।

ତେବେ ଭିତର ରତ୍ନଭଣ୍ଡାର ଖୋଲାଯିବା ପରେ ମୂଲ୍ୟବାନ ଅଳଙ୍କାରଗୁଡିକର ସ୍ଥିତି ଜଣାପଡିବ ବୋଲି ଜଣେ ଅଧିକାରୀ କହିଛନ୍ତି। ଭିତର ରତ୍ନଭଣ୍ଡାର ଖୋଲି ଆବଶ୍ୟକ ମରାମତି ସମେତ ମହାପ୍ରଭୁଙ୍କ ମୂଲ୍ୟବାନ ଗହଣା ଯାଞ୍ଚ ପାଇଁ ଦୀର୍ଘଦିନ ଧରି ଦାବି ହୋଇ ଆସୁଛି। ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ କ୍ରମେ ୨୦୧୮ ଏପ୍ରିଲ ମାସରେ ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନେତୃତ୍ୱରେ ଏକ କମିଟି ମନ୍ଦିର ଭିତରକୁ ଯାଇଥିଲେ। ତେବେ ଚାବି ନ ଥିବା ଦର୍ଶାଇ ରତ୍ନଭଣ୍ଡାର ନ ଖୋଲି ସେମାନେ ଫେରି ଆସିଥିଲେ। ଲେଜର ସ୍କାନିଂ ରିପୋର୍ଟରେ ଫାଟ ସମ୍ପର୍କରେ ସୂଚନା ମିଳିଥିବାରୁ ଭିତର ରତ୍ନଭଣ୍ଡାର ଖୋଲି ମରାମତି କରାଯିବା ଆଶା ଉଜ୍ଜ୍ବଳ ହୋଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button