ଦେଶ

ଶୀତ ଅଧିବେଶନର ତ୍ରୟୋଦଶ ଦିବସ; ଲୋକସଭାରେ ୩ ଅପରାଧିକ ବିଲ୍ ପାରିତ – Ibnodisha

[ad_1]

ରାଜଦ୍ରୋହ ଆଇନ୍ ପ୍ରତ୍ୟାହାର, ନାବାଳିକାଙ୍କ ସହ ଦୁଷ୍କର୍ମ ଘଟଣାରେ ଫାଶୀଦଣ୍ଡ
ନୂଆଦିଲ୍ଲୀ: ବୁଧବାର ଅପରାଧିକ ଆଇନ୍ ସହ ଜଡ଼ିତ ତିନୋଟି ବିଲ୍ ଲୋକସଭାରେ ପାରିତ ହୋଇଛି । ଏବେ ଏହାକୁ ରାଜ୍ୟସଭାରେ ମଧ୍ୟ ଉପସ୍ଥାପନ କରାଯିବ । ରାଜ୍ୟସଭାରେ ଏହି ବିଲ୍ ପାରିତ ହେବା ପରେ ମଞ୍ଜୁରୀ ପାଇଁ ରାଷ୍ଟ୍ରପତିଙ୍କ ପାଖକୁ ପଠାଯିବ । ଆତଙ୍କବାଦ, ମହିଳାଙ୍କ ପ୍ରତି ଅପରାଧ, ଦେଶଦ୍ରୋହ ଏବଂ ଭିଡ ହିଂସା (ମୋବ୍ ଲିଞ୍ଚିଂ) ସହ ଜଡିତ ମାମଲାଗୁଡ଼ିକୁ ଏହି ନୂତନ ବ୍ୟବସ୍ଥା ବା ଏହି ନୂଆ ଆଇନରେ ପ୍ରବର୍ତ୍ତିତ ହୋଇଛି ।

ଲୋକସଭାରେ ଏହି ବିଲ୍‌କୁ ଆଗତ କରିବା ସମୟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା କହିଛନ୍ତି, ନୂଆ ଅପରାଧ ଆଇନ୍‌ରେ ଇଂରେଜ ଶାସନ ସମୟର ରାଜଦ୍ରୋହ ଆଇନ୍‌କୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରିନିଆଯାଇଛି । ରାଜଦ୍ରୋହ ଆଇନ୍ ବଳରେ ମହାତ୍ମା ଗାନ୍ଧୀ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ରାଜଗଙ୍ଗାଧର ତିଲକଙ୍କ ଭଳି ସ୍ୱତନ୍ତ୍ର ସେନାନୀ ଅନେକ ଥର ଜେଲଦଣ୍ଡ ଭୋଗିଛନ୍ତି । ଏହି ଆଇନ୍ ଆଜି ପର୍ଯ୍ୟନ୍ତ ଚାଲିଆସୁଥିଲା । କିନ୍ତୁ ମୋଦୀ ସରକାର ପ୍ରଥମ ଥର ପାଇଁ ଏକ ଐତିହାସିକ ନିଷ୍ପତ୍ତି ନେଇ ରାଜଦ୍ରୋହ ଧାରା ୧୨୪ ଭଳି ଏକ ଆଇନ୍‌କୁ ଉଚ୍ଛେଦ କରିଦେଇଛନ୍ତି । ତେବେ ରାଜଦ୍ରୋହ ବଦଳରେ ଏପ୍ରକାର ଘଟଣାକୁ ଏବେ ଦେଶଦ୍ରୋହ ଭାବେ ଅଭିହିତ କରାଯିବ । ଆଜାଦ୍ ଭାରତ ବର୍ଷରେ ପ୍ରଚଳିତ ଲୋକତାନ୍ତ୍ରିକ ବ୍ୟବସ୍ଥା ଅନ୍ତର୍ଗତ ଯେକେହି ବି ସରକାରଙ୍କ ସମ୍ପର୍କରେ ଆଲୋଚନା କରିପାରିବେ ବା ମତ ଦେଇପାରିବେ ।

କିନ୍ତୁୂ ଦେଶର ସୁରକ୍ଷା ଏବଂ ଜାତୀୟ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେବ । ସେହିପରି ନାବାଳିକା ଦୁଷ୍କର୍ମକାରୀଙ୍କୁ ସିଧାସଳଖ ଫାଶୀଦଣ୍ଡ ମିଳିବ । ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲ୍ କିମ୍ବା ବଞ୍ôଚଥିବା ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ହେବ । ପୂର୍ବରୁ ହତ୍ୟା ଅପରାଧ କ୍ଷେତ୍ରରେ ଧାରା ୩୦୨ ଲାଗୁ ହେଉଥିବା ବେଳେ ଏବେ ଏହାକୁ ଧାରା ୧୦୧ କରାଯାଇଛି । କିନ୍ତୁ ନାବାଳିକାଙ୍କ ସହ ଦୁଷ୍କର୍ମ ଏବଂ ମୋବ୍ ଲିଞ୍ଚିଂ ଭଳି ଅପରାଧରେ ଫାଶୀଦଣ୍ଡ ଭଳି ଦଣ୍ଡାଦେଶ ମିଳିବାର ପ୍ରାବଧାନ କରାଯାଇଛି । ସେହିପରି ସଶସ୍ତ୍ର ବିଦ୍ରୋହ କିମ୍ବା ଜାତୀୟ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବା ଭଳି ମାମଲାରେ ଜେଲ୍‌ଦଣ୍ଡର ପ୍ରାବଧାନ କରାଯାଇଛି । ସ୍ୱରାଷ୍ଟ୍ର ମମନ୍ତ୍ରୀ ଅମିତ୍ ଶାହା ପ୍ରସ୍ତୁତ କରିଥିବା ଏହି ଅପରାଧିକ ବିଲ୍‌ରେ ମୋଟାମୋଟି ସବୁ ପ୍ରକାର ଅପରାଧ କ୍ଷେତ୍ରରେ ସଂଶୋଧନ ତଥା ନୂଆ ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି । ଯାହାକି ନ୍ୟାୟପାଳିକା ପାଇଁ ଏଣିକି ଦଣ୍ଡାଦେଶ ଶୁଣାଇବା କ୍ଷେତ୍ରରେ ବେଶ ସହଜ ତଥା ସରଳ ହୋଇପାରିବ ବୋଲି କୁହାଯାଉଛି ।

ତେବେ ଏସବୁଥିରେ ସବୁଠୁ ବଡ଼ କଥା ହେଉଛି, ଏହି ନ୍ୟାୟିକ ବ୍ୟବସ୍ଥାରେ ପୁଲିସ୍ ପ୍ରଶାସନର ଭୂମିକାକୁ ମଧ୍ୟ ବଢ଼ାଇ ଦିଆଯାଇଛି । ପୂର୍ବରୁ କୌଣସି ଅପରାଧରେ ବ୍ୟକ୍ତିବିଶେଷଙ୍କୁ ଗିରଫ କରାଗଲେ ତା’ର ଘର ପରିବାର ଆତ୍ମୀୟ ସ୍ୱଜନକୁ ଏସମ୍ପର୍କରେ ପୁଲିସ୍ ଜଣାଇବାକୁ ପଡୁନଥିଲା । କିନ୍ତୁ ନୂଆ ଆଇନ୍ ବ୍ୟବସ୍ଥା ଅନୁସାରେ ଏଣିକି ପୁଲିସ୍ ଅଭିଯୁକ୍ତର ପରିବାର ସଦସ୍ୟଙ୍କୁ ଜଣାଇବାକୁ ବାଧ୍ୟ ହେବ । କୌଣସି ଅପରାଧିକ ମାମଲାରେ ୯୦ ଦିନ ମଧ୍ୟରେ କ’ଣ ସବୁ ଘଟିଯାଇଛି ବା ତଦନ୍ତର ଅଗ୍ରଗତି ସମ୍ପର୍କରେ ପୀଡ଼ିତଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରିବାର ଦାୟିତ୍ୱ ମଧ୍ୟ ପୁଲିସ୍ ବିଭାଗ ଉପରେ ଲଦିଦିଆଯାଇଛି । ଏତଦ୍‌ବ୍ୟତୀତ ଅଭିଯୋଗ ହେବାମାତ୍ରେ ପୁଲିସ୍‌କୁ ଏଫଆଇଆର ରେଜିଷ୍ଟର କରିବାକୁ ହେବ ଏବଂ ଅପରାଧିକ ଆଇନ୍‌ର ଧାରା ଅନ୍ତର୍ଗତ ନିର୍ଦ୍ଧାରିତ ସମୟ ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ କରିବାକୁ ହେବ । ଏଣିକି ଆଉ କୌଣସି ଅପରାଧିକ ମାମଲାରେ ପୁଲିସ୍ ତଦନ୍ତ ଚାଲିଛି ବୋଲି କହି ରିପୋର୍ଟ ଦାଖଲ କରିବାରେ ଅହେତୁକ ବିଳମ୍ବ କରିପାରିବେନି । ଏପରିକି ଅଭିଯୁକ୍ତର ଅନୁପସ୍ଥିତିରେ ମଧ୍ୟ କୋର୍ଟରେ ଟ୍ରାଏଲ୍ ଜାରି ରହିପାରିବ ସେପରି କିଛି ପ୍ରାବଧାନ ମଧ୍ୟ ନୂଆ ଆଇନ୍‌ରେ ସଂଲଗ୍ନ କରାଯାଇଛି ।

ସୂଚନାଯୋଗ୍ୟ ଏହି ବିଲ୍‌ଗୁଡ଼ିକ ଏପରି ସମୟରେ ପାରିତ ହୋଇଛି ଯେତେବେଳେ ଉଭୟ ଗୃହର ୧୪୩ ସଦସ୍ୟଙ୍କୁ ନିଲମ୍ବିତ କରାଯାଇଛି । ସଂସଦର ଉଭୟ ଗୃହରୁ ୧୪୧ ବିରୋଧୀ ସାଂସଦଙ୍କ ଅନୁପସ୍ଥିତି ମଧ୍ୟରେ ଲୋକସଭାରେ ଏହି ତିନୋଟି ସଂଶୋଧିତ ଅପରାଧିକ ଆଇନ୍ ବିଲ୍‌କୁ ପାରିତ କରାଯାଇଛି । ରାଜ୍ୟସଭାରେ ମଧ୍ୟ ଏହାକୁ ଉପସ୍ଥାପନ କରାଯିବା ପାଇଁ ଯୋଜନା କରୁଛନ୍ତି ସରକାର । ଏହି ୩ଟି ଅପରାଧ ବିଲ୍ ଅପରାଧିକ ଭାରତୀୟ ଦଣ୍ଡ ସଂହିତା, ଯାହା ଭାରତୀୟ ଦଣ୍ଡବିଧିକୁ ବଦଳାଇବାକୁ ପ୍ରସ୍ତାବ ଦେଇଛି ଏବଂ ଭାରତୀୟ ନାଗରିକ ସୁରକ୍ଷା ଯାହା ଭାରତୀୟ ସାଧୁ ସନ୍ଥିତାକୁ ପରିବର୍ତ୍ତନ କରିବ ଏବଂ ଶେଷରେ ଭାରତୀୟ ସାକ୍ଷ୍ୟ ସଂହିତା ଯାହା ଭାରତୀୟ ପ୍ରମାଣ ଆଇନ୍‌କୁ ବଦଳାଇବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button