ମୁକେଶ ଅମ୍ବାନିଙ୍କୁ ସରକାର ଦେଇଥିବା ଜେଡ୍-ପ୍ଲସ୍ ସୁରକ୍ଷା ଜାରି ରହିବ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦେଶର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନି ଓ ପରିବାରକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୁରକ୍ଷା ଜାରି ରହିବ ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । ସରକାରୀ ଖର୍ଚ୍ଚରେ ମୁକେଶଙ୍କ ସୁରକ୍ଷା ପ୍ରତ୍ୟାହାର ଦାବି କରି ଆଗତ ଏକ ପିଟିସନକୁ ଖାରଜ କରି କୋର୍ଟ ଏହି ରାୟ ଦେଇଛନ୍ତି ।ମୁକେଶ ଅମ୍ବାନି ଓ ପରିବାରକୁ ସରକାରୀ ସୁରକ୍ଷା ବିରୋଧରେ ତ୍ରିପୁରାର ଜଣେ ବ୍ୟକ୍ତି ବିକାଶ ସାହା ତ୍ରିପୁରା ହାଇକୋର୍ଟରେ ଏକ ପିଟିସନ ଦାଏର କରିଥିଲେ । ଏହାର ଶୁଣାଣି କରି ତ୍ରିପୁରା ହାଇକୋର୍ଟ ମେ ୩୧ ଓ ଜୁନ ୨୧ରେ ଦୁଇଟି ଅନ୍ତରୀଣ ନିର୍ଦ୍ଦେଶ ଦେବା ସହ କେଉଁ ଅମ୍ବାନିଙ୍କ ପ୍ରତି କେଉଁ ବିପଦ ଅଛି ସ ସମ୍ପର୍କିତ ଫାଇଲ ଦାଖଲ କରିବାକୁ ଗୃହ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଥିଲେ ।ତେବେ ଏହା ବିରୋଧରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବା ପରେ ସୁପ୍ରିମକୋର୍ଟ ତ୍ରିପୁରା ହାଇକୋର୍ଟଙ୍କ ରାୟ ଉପରେ ସ୍ଥଗିତାଦେଶ ଲଗାଇଥିଲେ । ଏହା ସହିତ ସୁପ୍ରିମକୋର୍ଟ ସଂପୂର୍ଣ୍ଣ ମାମଲାକୁ ଖାରଜ କରିଦେଇଥିଲେ ଓ ଅମ୍ବାନିଙ୍କ ସୁରକ୍ଷା ଜାରି ରଖଥିବାକୁ ନିର୍ଦ୍ଦେଶ ଦେଇଥିଲେ ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଦାଲତରେ ହାଜିର ହୋଇଥିବା ସୋସିସିଟର ଜେନେରାଲ ତୁଷାର ମେହେଟା କହିଥିଲେ ଯେ ମୁମ୍ବାଇରେ ରହୁଥିବା ବ୍ୟକ୍ତିଙ୍କ ସୁରକ୍ଷା ସହିତ ତ୍ରିପୁରାରେ ରହୁଥିବା ବ୍ୟକ୍ତିଙ୍କ ସହ କୌଣସି ସମ୍ପର୍କ ନାହିଁ ।