ପିଲା ଚୋର ସନ୍ଦେହରେ ସାଧୁଙ୍କୁ ନିସ୍ତୁକ ପିଟିଲେ ଲୋକେ – Ibnodisha

[ad_1]
କୋଲକାତା: ପଶ୍ଚିମବଙ୍ଗରୁ ଅତ୍ୟନ୍ତ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଗଙ୍ଗାସାଗର ମେଳାକୁ ଯାଉଥିବା ୩ ଜଣ ସାଧୁଙ୍କୁ ପିଲା ଚୋର ଭାବି ନିସ୍ତୁକ ମାଡ ମରାଯାଇଛି । କିଛି ଲୋକେ ମିଶି ସେମାନଙ୍କୁ ନିବସ୍ତ୍ର କରି ଖୁବ୍ ମାରପିଟ୍ କରିଥିବା ଜଣାପଡିଛି । ସେହି ସାଧୁମାନେ ମେଳାକୁ ବାଟ ନପାଇବାରୁ କିଛି ନାବାଳିକାଙ୍କୁ ରାସ୍ତା ପଚାରିଥିଲେ । ହେଲେ ନାବାଳିକାମାନେ ସାଧୁଙ୍କ ଦେଖି ଭୟରେ ଦୌଡ଼ି ପଳାଇଯାଇ ଲୋକଙ୍କ ଆଗରେ ପିଲା ଚୋର ବୋଲି କହିଥିଲେ । ଏଥିରେ ଉତ୍ୟକ୍ତ ହୋଇ ଲୋକେ ସାଧୁମାନଙ୍କ ଉପରେ ଆକ୍ରମଣ କରିଥିଲେ । ଘଟଣାଟି ଗୁରୁବାର ସନ୍ଧ୍ୟାର । ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାରେ ଏହା ଘଟିଛି । ଯାହା ସୂଚନା ମିଳିଛି, ମକର ସଂକ୍ରାନ୍ତି ଉତ୍ସବ ପାଇଁ ଜଣେ ସାଧୁ ନିଜର ଦୁଇ ପୁଅ (ସାଧୁ)ଙ୍କ ସହ ଏକ ଗାଡ଼ିରେ ଉତ୍ତରପ୍ରଦେଶରୁ ପଶ୍ଚିମବଙ୍ଗରେ ହେଉଥିବା ଗଙ୍ଗାସାଗର ମେଳାକୁ ଆସୁଥିଲେ । ହେଲେ ବାଟରେ ସେମାନେ ରାସ୍ତା ଜାଣି ପାରିନଥିଲେ । ତେଣୁ ସେହି ବାଟ ଦେଇ ଯାଉଥିବା ୩ ଜଣ ନାବାଳିକାଙ୍କୁ ମେଳାକୁ ରାସ୍ତା ପଚାରିଥିଲେ ।
କିନ୍ତୁ ନାବାଳିକାମାନେ ସାଧୁମାନଙ୍କ ବେଶଭୂଷା ଦେଖି ତାଙ୍କୁ ପିଲା ଚୋର ବୋଲି ଭାବିଥିଲେ ଏବଂ ଭୟରେ ଦୌଡ଼ି ପଳାଇ ଲୋକଙ୍କୁ କହିଥିଲେ । ଏହାପରେ ସ୍ଥାନୀୟ ଲୋକେ ମଧ୍ୟ ପିଲା ଚୋର ସନ୍ଦେହରେ ସେହି ସାଧୁମାନଙ୍କୁ ଘେରି ଯାଇ ନିବସ୍ତ୍ର କରି ନିସ୍ତୁକ ମାଡ଼ ମାରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଧୁମାନଙ୍କୁ ଉଦ୍ଧାର କରି କାଶିପୁର ଥାନାକୁ ନେଇଥିଲା । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓରେ ଉତ୍ୟକ୍ତ ଲୋକେ ପୋଲିସ ଗାଡ଼ି ଭଙ୍ଗାରୁଜା କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ତେବେ ସାଧୁଙ୍କୁ ନିର୍ଯାତନା ଘଟଣାରେ ପୋଲିସ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସମସ୍ତ ଅଭିଯୁକ୍ତଙ୍କୁ ପୁରୁଲିଆ କୋର୍ଟରେ ହାଜର କରାଯିବ । ସେହିପରି ସମ୍ପୃକ୍ତ ସାଧୁମାନଙ୍କୁ ଗଙ୍ଗାସାଗର ମେଳା ପଠାଇବାକୁ ପୋଲିସ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି ।
[ad_2]




