ପର୍ଯ୍ୟଟନରାଜ୍ୟ

ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ

ପୁରୀ : ରଥଯାତ୍ରା ପରେ ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନଠୁ ଚିଠି ପାଇବା ପରେ ଭୋଇ ସର୍ଦ୍ଦାରଙ୍କ ନେତୃତ୍ବରେ ୧୦ ଜଣ ଭୋଇ ସେବକ ରବିବାର ଦିନ ରଥ ଭଙ୍ଗା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ପ୍ରଥମ ଦିନରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଭଙ୍ଗା ଯାଇଛି। କଳସରୁ ଆରମ୍ଭ କରି ପାରା ଭାଡ଼ି ଓ ଦ୍ବାରବେଢ଼ା ପର୍ଯ୍ୟନ୍ତ ଭଙ୍ଗାଯାଇଛି। ଦେବଦଳନ ରଥ ଭଙ୍ଗା କାର୍ଯ୍ୟ ଶେଷ ହେବା ପରେ ବଳଭଦ୍ରଙ୍କ ତାଳଧ୍ବଜ ରଥ ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭଙ୍ଗାକାର୍ଯ୍ୟ ଆରମ୍ଭ ହେବ।
‌ଏନେଇ ଭୋଇ ସର୍ଦ୍ଦାର ରବି ଭୋଇ କହିଛନ୍ତି, ଗୋଟିଏ ରଥକୁ ଭାଙ୍ଗିବା ପାଇଁ ଅନ୍ୟୁନ ୩ରୁ ୪ ଦିନ ସମୟ ଲାଗିବ। ତେଣୁ ୩ ରଥ ଭଙ୍ଗା କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ବେଳକୁ ୧୦ରୁ ୧୨ ଦିନ ସମୟ ଲାଗିବ। ରଥ ଭଙ୍ଗା ଯିବା ପରେ ସିଂହାସନ, ପ୍ରଭା, ନାଟଗୋଡ଼, ଗୁଜକୁ ନେଇ ଗୁଣ୍ଡିଚା ମନ୍ଦିର ମଧ୍ୟରେ ରଖାଯିବ। ଏହାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିକ୍ରି ବ୍ୟବସ୍ଥା କରାଯିବ। ତେବେ ମହାରଣା ସେବକଙ୍କୁ ରଥର ଦ୍ବାରବେଢ଼ା ପ୍ରଦାନ କରାଯିବ। ତିନି ରଥର ମୁଖ୍ୟ ମହାରଣା ନିଜ ଦଳ ଦ୍ବାରା ନିର୍ମିତ ରଥର ଦ୍ବାର ବେଢ଼ା ନେବାର ବିଧି ଚଳିଆସିଛି। ରଥ ଭାଙ୍ଗିବା ପରେ ବଳି ପଡ଼ୁଥିବା ଅନ୍ୟ କାଠସବୁକୁ ଦୋଳବେଦି କୋଣରେ ରଖାଯିବ। ଆବଶ୍ୟକ ସମୟରେ ସେଇ କାଠ ନେଇ କୋଠ‌ ରୋଷେଇରେ ଜାଳେଣି ଭାବେ ବ୍ୟବହୃତ କରାଯିବ। ବହୁ ଭକ୍ତ ରଥ କାଠ କିଣିବା ପାଇଁ ନିବେଦନ କରନ୍ତି। ରଥ ଭଙ୍ଗା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button