ଖେଳ

ଇତିହାସ ରଚିଲେ ରୋହନ୍ ବୋପନ୍ନା – Ibnodisha

[ad_1]

ମେଲ୍‌ବର୍ଣ୍ଣ :  ଭାରତର ଷ୍ଟାର୍ ଟେନିସ୍ ଖେଳାଳି ରୋହନ୍ ବୋପନ୍ନା କ୍ୟାରିୟର୍‌ର ପ୍ରଥମ ଅଷ୍ଟ୍ରେଲିଆନ୍ ଓପନ୍ ଟାଇଟଲ୍ ଜିତିଛନ୍ତି । ୪୩ ବର୍ଷୀୟ ବୋପନ୍ନା ଅଷ୍ଟ୍ରେଲୀୟ ଯୋଡ଼ିଦାର ମାଥ୍ୟୁ ଏବ୍‌ଡେନ୍‌ଙ୍କ ସହ ପୁରୁଷ ଡବଲ୍ସ ଚାମ୍ପିଅନ୍ ହୋଇଛନ୍ତି । ମେଲ୍‌ବର୍ଣ୍ଣ ପାର୍କର ରଡ୍ ଲେଭର୍ ଏରିନାରେ ଶନିବାର ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍‌ରେ ଇଣ୍ଡୋ-ଅଷ୍ଟ୍ରେଲୀୟ ଯୋଡ଼ି ସିମୋନ୍ ବୋଲେଲି ଏବଂ ଆଣ୍ଡ୍ରିଆ ବାବାସୋରୀଙ୍କ ଇଟାଲୀୟ ଯୋଡ଼ିକୁ ୭-୬ (୭-୦), ୭-୫ରେ ହରାଇ ଇତିହାସ ରଚିଛନ୍ତି ।

ଏହା ବୋପନ୍ନାଙ୍କ କ୍ୟାରିୟର୍‌ର ପ୍ରଥମ ଗ୍ରାଣ୍ଡସ୍ଲାମ୍ ପୁରୁଷ ଡବଲ୍ସ ଟାଇଟଲ୍ । ସେହିପରି ଗ୍ରାଣ୍ଡ୍‌ସ୍ଲାମ୍ ଟାଇଟଲ୍ ଜିତିବାରେ ବୋପନ୍ନା ସବୁଠୁ ବୟସ୍କ ପୁରୁଷ ଖେଳାଳି ହେବାର କୀର୍ତ୍ତିମାନ ହାସଲ କରିଛନ୍ତି । ସେ ଜିନ୍ ଜୁଲିଅନ୍ ରୋଜର୍‌ଙ୍କ ନାମରେ ଥିବା ରେକର୍ଡ ଧ୍ୱସ୍ତ କରିଛନ୍ତି । ନେଦରଲାଣ୍ଡ୍‌ର ଜିନ୍ ୨୦୨୨ରେ ୪୦ ବର୍ଷ ୯ ମାସ ବୟସରେ ଫ୍ରେଞ୍ଚ୍ ଓପନ୍ ପୁରୁଷ ଡବଲ୍ସ ଟାଇଟଲ୍ ଜିତିଥିଲେ । ସେହିପରି ଗ୍ରାଣ୍ଡ୍‌ସ୍ଲାମ୍ ଟାଇଟଲ୍ ଜିତିବାରେ ବୋପନ୍ନା ତୃତୀୟ ଭାରତୀୟ ପୁରୁଷ ଖେଳାଳି ହୋଇଛନ୍ତି । ତାଙ୍କ ପୂର୍ବରୁ ଲିଆଣ୍ଡର୍ ପେସ୍ (୨୦୦୩, ୨୦୧୦, ୨୦୧୨ ଓ ୨୦୧୫) ଏବଂ ମହେଶ ଭୂପତି (୨୦୦୬ ଓ ୨୦୦୯) ଗ୍ରାଣ୍ଡ୍‌ସ୍ଲାମ୍ ଟାଇଟଲ୍ ଜିତିଥିଲେ । କ୍ୟାରିୟର୍‌ର ଦ୍ୱିତୀୟ ଗ୍ରାଣ୍ଡ୍‌ସ୍ଲାମ୍ କବ୍‌ଜା କରିଥିବା ବୋପନ୍ନା ପୂର୍ବରୁ କାନାଡାର ଗାବ୍ରିଏଲ୍ ଡବ୍ରୋଭ୍‌ସ୍କିଙ୍କୁ ସାଥୀକରି ୨୦୧୭ ଫ୍ରେଞ୍ଚ୍ ଓପନ୍ ମିକ୍ସଡ୍ ଡବଲ୍ସ ଟାଇଟଲ୍ ଜିତିଥିଲେ ।

ବୋପନ୍ନା ୨୦୧୦ରେ ପାକିସ୍ତାନର ଏସାମ୍‌-ଉଲ୍‌-ହକ୍ କୁରୋଶୀ ଏବଂ ୨୦୨୩ରେ ଏବ୍‌ଡେନ୍‌ଙ୍କ ସହ ୟୁଏସ୍ ଓପନ୍‌ରେ ଦୁଇଥର ଉପବିଜେତା ହୋଇଥିଲେ । ସେ ଗତବର୍ଷ ପୂର୍ବତନ ଭାରତୀୟ ଷ୍ଟାର୍ ସାନିଆ ମିର୍ଜାଙ୍କ ସହ ଏହି ଟୁର୍ଣ୍ଣାମେଣ୍ଟ୍‌ର ମିକ୍ସଡ୍ ଡବଲ୍ସ ଫାଇନାଲ୍ ହାରିଯାଇଥିଲେ । ଗତବର୍ଷ ବୋପନ୍ନା ଓପନ୍ ଏରାରେ ଗ୍ରାଣ୍ଡ୍‌ସ୍ଲାମ୍ (ୟୁଏସ୍ ଓପନ୍‌) ଫାଇନାଲ୍ ସ୍ଥାନ ହାସଲରେ ସବୁଠୁ ବୟସ୍କ ଖେଳାଳି ହୋଇଥିଲେ । ଏହା ବ୍ୟତୀତ ମାଷ୍ଟର୍ସ ୧୦୦୦ ଇଭେଣ୍ଟ୍‌ର ପୁରୁଷ ଡବଲ୍ସ ଟାଇଟଲ୍ ଜିତିବାରେ ମଧ୍ୟ ବୋପନ୍ନା ସବୁଠୁ ବୟସ୍କ ଖେଳାଳି । ସେ ଗତବର୍ଷ ୪୩ ବର୍ଷ ବୟସରେ ଏବ୍‌ଡେନ୍‌ଙ୍କ ସହ ଇଣ୍ଡିଆନ୍ ୱେଲ୍ସ ଟୁର୍ଣ୍ଣାମେଣ୍ଟ୍ ଜିତି ଏହି ଉପଲବ୍ଧି ହାସଲ କରିଥିଲେ ।

ଫାଇନାଲ୍ ମ୍ୟାଚ୍‌ର ପ୍ରଥମ ସେଟ୍‌ରେ ଇଟାଲୀ ଯୋଡ଼ି ବିପକ୍ଷରେ ବୋପନ୍ନା-ଏବ୍‌ଡେନ୍ ଚମତ୍କାର ପ୍ରଦର୍ଶନ ଜାରିରଖି ସେଟ୍‌କୁ ଟାଇବ୍ରେକର୍‌କୁ ନେଇଯାଇଥିଲେ । ଟାଇବ୍ରେକର୍‌ରେ ଇଣ୍ଡୋ-ଅଷ୍ଟ୍ରେଲୀୟ ଯୋଡ଼ି ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ସେଟ୍‌କୁ ୭(୭)-୬(୦)ରେ ହାତେଇ ନେଇଥିଲେ । ଦ୍ୱିତୀୟ ସେଟ୍‌ରେ ଇଟାଲୀ ଯୋଡ଼ି ଜୋର୍‌ଦାର ପ୍ରଦର୍ଶନ କରିବା ଫଳରେ ସ୍ଥିତି ଏକଦା ୫-୫ ହୋଇଥିଲା ଏବଂ ଏହା ମଧ୍ୟ ଟାଇବ୍ରେକର୍‌କୁ ଯିବ ବୋଲି ଲାଗୁଥିଲା ।

ମାତ୍ର ବୋପନ୍ନା-ଏବ୍‌ଡେନ୍ ନିଜ ପ୍ରଦର୍ଶନରେ ସୁଧାର ଆଣିବା ସହିତ ରଣନୀତି ବନାଇ ୭-୫ରେ ସେଟ୍ ସହ ମ୍ୟାଚ୍ ବିଜୟୀ ହୋଇଥିଲେ । ବିଜୟ ପରେ ବୋପନ୍ନା ସାଥୀ ଖେଳାଳି ମାଥ୍ୟୁ ଏବ୍‌ଡେନ୍‌ଙ୍କ ଜୋର୍‌ଦାର ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ମୁଁ ୪୩ ଲେଭଲ୍‌ର, ୪୩ ବର୍ଷର ନୁହେଁ ଏବଂ ଏହା ମୋ ଚମତ୍କାରୀ ଅଷ୍ଟ୍ରେଲୀୟ ସାଥୀଙ୍କ ବିନା ସମ୍ଭବ ହୋଇନଥାନ୍ତା ।’

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button