ଟ୍ରମ୍ପ୍ଙ୍କୁ ୨୯୪୬ କୋଟି ଟଙ୍କାର ଜୋରିମାନା – Ibnodisha

[ad_1]
ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ପାଇଁ ଗୋଟିଏ ପରେ ଗୋଟିଏ ସମସ୍ୟା ବଢ଼ି ବଢ଼ି ଚାଲିଛି । ସଦ୍ୟ ହସ୍ତଗତ ହୋଇଥିବା ରିପୋର୍ଟ ଅନୁସାରେ ଶନିବାର ନ୍ୟୁୟର୍କ କୋର୍ଟ ଟ୍ରମ୍ପ୍ଙ୍କ ଉପରେ ୨୯୪୬ କୋଟି ଟଙ୍କାର ଜୋରିମାନା ଲାଗୁ କରିଛନ୍ତି । ଏତଦ୍ବ୍ୟତୀତ ଟ୍ରମ୍ପ୍ଙ୍କ ସମସ୍ତ ବ୍ୟବସାୟିକ ନେଟୱାର୍କକୁ ମଧ୍ୟ ଆସନ୍ତା ୩ ବର୍ଷ ପାଇଁ ବ୍ୟାନ୍ କରିଦିଆଯାଇଛି । ଟ୍ରମ୍ପ୍ଙ୍କ ବିରୋଧରେ ଏପ୍ରକାର କାର୍ଯ୍ୟାନୁଷ୍ଠାନ କରାଯିବା ପଛରେ ବେଆଇନ୍ ଭାବେ ଅର୍ଥ ହେରଫେର କରିଥିବା ଅଭିଯୋଗ ରହିଥିବା ଜଣାପଡିଛି ।
ରିପୋର୍ଟ ଅନୁସାରେ ଟ୍ରମ୍ପ୍ଙ୍କ ବିରୋଧରେ ୧୦୦ ମିଲିଅନ୍ ଡଲାର ଅର୍ଥାତ୍ ୮୩୨ କୋଟି ଟଙ୍କାରୁ ମଧ୍ୟ ଅଧିକ ଅର୍ଥ ହେରଫେର୍ କରିଥିବା ଅଭିଯୋଗ ହୋଇଛି । ଟ୍ରମ୍ପ୍ ନିଜ ଜମି, ବ୍ୟାଙ୍କ୍ ବାଲାନ୍ସ ଏବଂ ଅନ୍ୟାନ୍ୟ ସ୍ଥାବର ତଥା ଅସ୍ଥାବର ସମ୍ପତ୍ତି ସମ୍ପର୍କରେ ଆମେରିକା ସରକାର ତଥା ଆୟକର ବିଭାଗ ନିକଟରେ ମିଥ୍ୟା ତଥ୍ୟ ଦାଖଲ କରିବା ପୂର୍ବକ ନିଜ ସମ୍ପତ୍ତି ପରିମାଣ ବୃଦ୍ଧି କରିଥିବା ଏହି ଅଭିଯୋଗରେ ଦର୍ଶାଯାଇଥିଲା । ନ୍ୟୁୟର୍କ ଆଟର୍ଣ୍ଣି ଜେନେରାଲ ଲେଟିଟିଆ ଜେମ୍ସ, ଟ୍ରମ୍ପ୍ଙ୍କ ବିରୋଧରେ ଏହି ଅଭିଯୋଗ କରିଥିବା ବେଳେ ଆଜି ଏହା ଉପରେ ଶୁଣାଣି କରି ଜଷ୍ଟିସ୍ ଆର୍ଥର ଏଫ୍ ଏଙ୍ଗୋରୋନ୍ ଉପରୋକ୍ତ ରାୟ ଦେଇଛନ୍ତି ।
ସୂଚନାଯୋଗ୍ୟ ଡୋନାଲ୍ଡ ଟ୍ରମ୍ପ୍, ୨୦୧୧ରୁ ୨୦୨୧ ମଧ୍ୟରେ ବ୍ୟାଙ୍କ ଲୋନ୍ ଏବଂ ବୀମା ପ୍ରିିମିୟମ୍ ପାଇଁ ନିଜ ସମ୍ପତ୍ତିର ମୂଲ୍ୟ ପରିମାଣ ଅଧିକ ଦର୍ଶାଇଥିବା କୋର୍ଟରେ ପ୍ରମାଣିତ ହୋଇଛି । ଏହି ମାମଲାରେ ଟ୍ରମ୍ପ୍ଙ୍କ ଦୁଇ ପୁଅ ଏରିକ୍ ଟ୍ରମ୍ପ୍ ଏବଂ ଡୋନାଲ୍ଡ ଟ୍ରମ୍ପ୍ ଜୁନିଅର ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏମାନଙ୍କ ଉପରେ ମଧ୍ୟ ୩୩.୨୦ କୋଟି ଟଙ୍କାର ଜୋରିମାନା ଲାଗୁ କରାଯାଇଛି । ଅନ୍ୟପକ୍ଷେ ଟ୍ରମ୍ପ୍ କହିଛନ୍ତି ଆଟର୍ଣ୍ଣି ଜେନେରାଲ ଏବଂ ଜଷ୍ଟିସ୍ ତାଙ୍କୁ ଏକ ମିଛ ମାମଲାରେ ଫସାଇବାକୁ ଚେଷ୍ଟା କରୁଛନ୍ତି ।
[ad_2]