ନୋଟ୍ ଫର ଭୋଟ୍ ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ; ଏଣିକି ଛାଡ଼ ପାଇବେନି ଜନପ୍ରତିନିଧି – Ibnodisha

[ad_1]
ନୂଆଦିଲ୍ଲୀ: ଲାଞ୍ଚ ନେଇ ସଦନ ଗୃହ (ବିଧାନସଭା କିମ୍ବା ସଂସଦ)ରେ ଭୋଟ୍ ଦେବା କିମ୍ବା ପ୍ରଶ୍ନ କରିବା ଭଳି ଘଟଣାରେ ଏଣିକି ଆଉ ସାଂସଦ କିମ୍ବା ବିଧାୟକଙ୍କୁ ବିଶେଷ ଅଧିକାର ଅନ୍ତର୍ଗତ ଆଶ୍ୱସ୍ତି ପ୍ରଦାନ କରାଯିବ ନାହିଁ । ସିଧାସଳଖ କହିଲେ ନୋଟ୍ ଫର୍ ଭୋଟ୍ ମାମଲାରେ ଜନପ୍ରତିନିଧିମାନେ ଆଉ ଆଇନଗତ ସୁରକ୍ଷା ପାଇବେ ନାହିଁ । ଏପ୍ରକାର ଘଟଣାରେ ଏଣିକି ଅପରାଧିକ ମାମଲା ରୁଜୁ ହେବା ସହ ଅଭିଯୁକ୍ତ ଜନପ୍ରତିନିଧିମାନେ ତଦନ୍ତ ପ୍ରକ୍ରିୟାର ସମ୍ମୁଖୀନ ହେବେ । ଏହି ଆଧାରରେ ମାମଲାର ଶୁଣାଣି ମଧ୍ୟ ହେବ ଏବଂ ଉପଯୁକ୍ତ ଦଣ୍ଡବିଧାନ ମଧ୍ୟ କରାଯିବ ।” ଏକ ମାମଲାର ଶୁଣାଣି କରିବାକୁ ଯାଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଆଜି ଏଭଳି ଏକ ଐତିହାସିକ ରାୟ ଦେଇଛନ୍ତି । ଏଥିସହ ୨୫ ବର୍ଷ ପୁରୁଣା ଅର୍ଥାତ୍ ୧୯୯୮ ମସିହାରେ ଦେଇଥିବା ନିଜ ରାୟକୁ ମଧ୍ୟ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି । ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱାଧୀନ ୭ ଜଣିଆ ଖଣ୍ଡପୀଠରେ ସାମିଲ ଥିବା ଅନ୍ୟ ୬ ବିଚାରପତି ହେଲେ ଜଷ୍ଟିସ୍ ଏଏସ୍ ବୋପନ୍ନା, ଜଷ୍ଟିସ୍ ଏମ୍ଏମ୍ ସୁନ୍ଦରେଶ, ଜଷ୍ଟିସ୍ ପିଏସ୍ ନରସିମ୍ହା, ଜଷ୍ଟିସ୍ ଜେବି ପାରଦିୱାଲା, ଜଷ୍ଟିସ୍ ସଞ୍ଜୟ କୁମାର ଏବଂ ଜଷ୍ଟିସ୍ ମନୋଜ ମିଶ୍ରା ପ୍ରମୁଖ ।
ସୁପ୍ରିମକୋର୍ଟଙ୍କ ଏପ୍ରକାର ରାୟ ଏପରି ଏକ ସମୟରେ ଆସିଛି ଯେତେବେଳେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍)ର ତତ୍କାଳୀନ ବିଧାୟକ ସୀତା ସୋରେନ୍ଙ୍କ ମାମଲା ନ୍ୟାୟପାଳିକାରେ ବିଚାରାଧୀନ ରହିଛି । ୨୦୧୨ରେ ରାଜ୍ୟସଭା ନିର୍ବାଚନ ସମୟରେ ସେ ଭୋଟ୍ଦେବା ପାଇଁ ଲାଞ୍ଚ ଗ୍ରହଣ କରିଥିବା ଅଭିଯୋଗ ହୋଇଥିଲା । ପରେ ସେ ସୁରକ୍ଷା ଆଇନ ଆଧାରରେ ଆଶ୍ୱସ୍ତି ମାଗିଥିଲେ । ଏବେ କିନ୍ତୁ ତାଙ୍କୁ ଆଉ ଆଶ୍ୱସ୍ତି ମିଳିବନି ବୋଲି ପଥ ପରିଷ୍କାର ହୋଇଯାଇଛି । ସେହିପରି ୧୯୯୩ରେ ପିଭି ନରସିମ୍ହା ରାଓଙ୍କ ସରକାରକୁ ସମର୍ଥନ କରିବା ପାଇଁ ଜେଏମ୍ଏମ୍ର ସାଂସଦମାନେ ମଧ୍ୟ ଲାଞ୍ଚ ଗ୍ରହଣ କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ୧୯୯୮ରେ ସୁପ୍ରିମକୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ ଜେଏମ୍ଏମ୍ ସାଂସଦମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିଥିଲେ । ୧୯୯୮ ମସିହାରେ ଜଷ୍ଟିସ୍ ପିଭି ନରସିମ୍ହାଙ୍କ ନେତୃତ୍ୱାଧୀନ ସୁପ୍ରିମକୋର୍ଟଙ୍କ ୫ଜଣିଆ ବିଚାରକ ମଣ୍ଡଳୀ (ସାମ୍ବିଧାନିକ ବେଞ୍ଚ୍) ୩:୨ ସହମତି ଭିତ୍ତିରେ ସାଂସଦ ଏବଂ ବିଧାୟକଙ୍କ ସପକ୍ଷରେ ରାୟ ଶୁଣାଇଥିଲେ । ଜେଏମ୍ଏମ୍ ସାଂସଦଙ୍କୁ ନ୍ୟାୟାଳୟରୁ ଆଶ୍ୱସ୍ତି ପ୍ରଦାନ କରାଯିବା ସହ ମୋକଦ୍ଦମା ଆଦି ପ୍ରକ୍ରିୟାରୁ ମଧ୍ୟ ଏମାନଙ୍କୁ ମୁକ୍ତ ରଖାଯାଇଥିଲା । ୧୯୯୮ରେ ସୁପ୍ରିମକୋର୍ଟଙ୍କ ଏହି ୫ଜଣିଆ ଖଣ୍ଡପୀଠ ଅବଶ୍ୟ ଧାରା ୧୦୫ (୨) ଆଧାରରେ ଏହି ରାୟ ଶୁଣାଇଥିଲେ । କିନ୍ତୁ ଏବେ ଏକ ରାୟକୁ ପରିବର୍ତ୍ତନ କରିଦିଆଯାଇଛି ।
ସିଜେଆଇ ଡିୱାଇ ଚନ୍ଦ୍ରଚୂଡ ଆଜି ରାୟ ପ୍ରକାଶ କରିବାକୁ ଯାଇ କହିଛନ୍ତି, ‘ଲାଞ୍ଚ ସେତେବେଳେ ସମ୍ପୂର୍ଣ୍ଣ ହୋଇଥାଏ, ଯେତେବେଳେ ତାହାକୁ ଗ୍ରହଣ କରାଯାଏ ।’ ସୁତରାଂ ଏଣିକି ଆଉ ଜନପ୍ରତିନିଧିମାନଙ୍କୁ ଲାଞ୍ଚ ନେବା ମାମଲାରେ ଆଇନ୍ଗତ ସୁରକ୍ଷା ପ୍ରଦାନ କରାଯିବ ନାହିଁ । ତେବେ ସାଂସଦ ଓ ବିଧାୟକମାନଙ୍କୁ ଧାରା ୧୦୫(୨) ଏବଂ ଧାରା ୧୯୪ (୨) ଅନ୍ତର୍ଗତ ଗୃହଭିତର କାର୍ଯ୍ୟକଳାପ ପାଇଁ ସାମ୍ନା କରିବାକୁ ପଡୁଥିବା ମୋକଦ୍ଦମାରୁ ଆଶ୍ୱସ୍ତି ପ୍ରଦାନ କରାଯିବା ପ୍ରକ୍ରିୟାକୁ ବଳବତ୍ତର ରହିଛି । ଏଥିରେ କୌଣସି ପରିବର୍ତ୍ତନ ସୁପ୍ରିମକୋର୍ଟଙ୍କ ପକ୍ଷରୁ କରାଯାଇନାହିଁ । ଅନ୍ୟପକ୍ଷେ ସୁପ୍ରିମକୋର୍ଟଙ୍କ ଏହି ଐତିହାସିକ ରାୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ ତଥା ପ୍ରଶଂସା କରିଛନ୍ତି । ମୋଦୀ ନିଜ ଏକ୍ସ’ ହ୍ୟାଣ୍ଡେଲରେ ଏସମ୍ପର୍କରେ ଉଲ୍ଲେଖ କରିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ଏପ୍ରକାର ବଡ଼ ରାୟ, ଦେଶରେ ସ୍ୱଚ୍ଛ ରାଜନୀତିକୁ ନିର୍ଦ୍ଧାରିତ କରିବ ଏବଂ ନ୍ୟାୟିକ ବ୍ୟବସ୍ଥା ପ୍ରତି ଜନସାଧାରଣଙ୍କ ବିଶ୍ୱାସକୁ ଅଧିକ ମଜବୁତ୍ କରିବ ।
[ad_2]