ଦେଶରେ ନିଶା ସେବନରେ ତୃତୀୟ ସ୍ଥାନରେ ରହିଛି ଭୁବନେଶ୍ବର – Ibnodisha

[ad_1]
ଭୁବନେଶ୍ବର: ନିଶା ସେବନରେ ଲିପ୍ତ ରହୁଛନ୍ତି ଯୁବପିଢ଼ି। ନିଶାଦ୍ରବ୍ୟ ସେବନରେ ରାଜଧାନୀ ଭୁବନେଶ୍ବର ଦେଶରେ ତୃତୀୟ ସ୍ଥାନରେ ରହିଛି। ଭୁବନେଶ୍ବରର ୩୭% ଯୁବପିଢ଼ି ବିଭିନ୍ନ ନିଶାଦ୍ରବ୍ୟର ସେବନ କରୁଥିବା ବେଳେ ଚେନ୍ନାଇରେ ୪୬.୩% ଓ ବେଙ୍ଗାଲୁରୁ ୫୪.୫% ସହ ଶୀର୍ଷରେ ରହିଛି। ନିକଟରେ ଦେଶର ୧୫ଟି ରାଜ୍ୟରେ ହୋଇଥିବା ଗବେଷଣାରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି। କେମ୍ବ୍ରିଜ୍ ପ୍ରିଜିମ୍ସ : ଗ୍ଲୋବାଲ ମେଣ୍ଟାଲ ହେଲ୍ଥରେ ଏ ସଂପର୍କିତ ରିପୋର୍ଟ ସ୍ଥାନ ପାଇଛି। ବିଶ୍ବରେ ତମାଖୁ ସେବନରେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି। ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ଯେପରି ତମାଖୁ, ମଦ, କୋକେନ୍, ହେରୋଇନ, ମେଥାମ୍ଫେଟାମାଇନ୍ସ, ହଲୁସିନୋଜେନ୍ସ ଓ ଏକ୍ସଟାସିକୁ ଗ୍ରହଣ କରୁଛନ୍ତି ଯୁବପିଢ଼ି। ଯାହାକି ଗୁରୁତର ସ୍ବାସ୍ଥ୍ୟ ସମସ୍ୟାକୁ ଡାକି ଆଣୁଛି। ୨୦୨୨ ମସିହା ମାର୍ଚ୍ଚରୁ ଅକ୍ଟୋବର ମାସରେ ୧୫ଟି ରାଜ୍ୟର ଗୋଟିଏ ଲେଖାଏ ମେଡିକାଲ କଲେଜରୁ ଏହି ତଥ୍ୟ ସଂଗ୍ରହ ହୋଇଥିଲା। ୧୦-୨୪ବର୍ଷର ୧୬୩୦ ଜଣ ଯୁବପିଢ଼ି ଚିକିତ୍ସା ପାଇଁ ଯେଉଁସବୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର(ପିଏଚ୍ସି)କୁ ଆସୁଥିଲେ ସେମାନଙ୍କର ସାକ୍ଷାତକାର କରାଯାଇଥିଲା। ତହିଁରୁ ହାରାହାରି ୩୨.୮% ଯୁବପିଢ଼ି କୌଣସି ନା କୌଣସି ନିଶାଦ୍ରବ୍ୟ ସେବନ କରୁଥିବା ନଜରକୁ ଆସିଥିଲା। କିଶୋରବସ୍ଥା ଶେଷ ହେବା ପୂର୍ବରୁ ୭୫.୫% ଯେ କୌଣସି ନିଶା ଗ୍ରହଣ କରିଥିବା କହିଛନ୍ତି। ସାଧାରଣ ଭାବେ ତମାଖୁ ୩୧.୯%, ମଦ ୨୫%, ଗଞ୍ଜେଇ-ଭାଙ୍ଗ ୯.୫% ସେବନ ହେଉଛି। ଉଲ୍ଲେଖନୀୟ ବିଷୟ ହେଉଛି ନିଶା ସେବନ ଆରମ୍ଭ କରିବାର ହାରାହାରି ବୟସ ରହିଛି ୧୭.୨। ଯୁବକଙ୍କ କ୍ଷେତ୍ରରେ ଏହା ୧୭.୬ ଥିବା ବେଳେ ଯୁବତୀ ହେଉଛନ୍ତି ୧୭.୨ବର୍ଷ। ସେହିପରି ଖ୍ରୀଷ୍ଟିଆନ୍ଙ୍କ କ୍ଷେତ୍ରରେ ଏହା ୫୦.୩% ଥିବା ବେଳେ ହିନ୍ଦୁ ୨୯.୪%, ମୁସଲିମ ୧୫.୭% ଓ ଅନ୍ୟ ଧର୍ମର ୨୪.୪% ଲୋକ ନିଶା ସେବନରେ ଲିପ୍ତ ଅଛନ୍ତି। ମିଜୋରାମରେ ସର୍ବାଧିକ ୮୯% ଲୋକ ନିଶା ନେଉଥିବା ବେଳେ କେରଳରେ ସର୍ବନିମ୍ନ ୭.୫% ରହିଛି। ସର୍ବେକ୍ଷଣରେ ଭାଗ ନେଇଥିବା ଏକ ତୃତୀୟାଂଶ ଯୁବପିଢ଼ି ନିଶା ସେବନ କରିବାର ପ୍ରମୁଖ କାରଣକୁ ସହଜରେ ତମାଖୁ ଓ ମଦ୍ରର ଉପଲବ୍ଧତା ବୋଲି ଦର୍ଶାଇଛନ୍ତି। ଏହାସହ ଦୁଇ ତୃତୀୟାଂଶ ସେବନକାରୀଙ୍କ ପିତାମାତାଙ୍କ ମଧ୍ୟରୁ ଜଣେ ନିଶା ସେବନ କରୁଛନ୍ତି। ସାଙ୍ଗ ପାଇଁ ୯୦% ଯୁବପିଢ଼ି ନିଶା କବଳରେ ପଡ଼ିଥିବା କହିଛନ୍ତି। ହେଲେ ନିଶା ସେବନ କରୁଥିବା ଅନେକ ଯୁବପିଢ଼ି ଏହାକୁ ବର୍ଜନ କରିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି। ନିଶା ଛଡ଼ିବା ଲାଗି ୪୦% ନିଜର ଇଚ୍ଛା ଜାହିର କରିଥିବା ବେଳେ ୧୯.୫% ନିଶା ଛାଡ଼ିବା ଲାଗି ବିଚାର କରିବେ ବୋଲି କହିଛନ୍ତି। ନିଶାର ବ୍ୟବହାର କମାଇବା ଲାଗି କମ୍ ବୟସରେ ତମାଖୁ ଓ ମଦର ସହଜରେ ଉପଲବ୍ଧତାକୁ ନିୟନ୍ତ୍ରଣ କରାଯିବା ଉପରେ ଏହି ସର୍ବେକ୍ଷଣରେ ଗୁରୁତ୍ବ ଦିଆଯାଇଛି। ଏହା ସହ ଗୋଷ୍ଠୀସ୍ତରରେ ବ୍ୟାପକ ସଚେତନତା ଓ ପିଲାମାନେ ନିଶା ସେବନ କରୁଛନ୍ତି କି ନାହିଁ ତାହାର ଲକ୍ଷଣ ସଂପର୍କରେ ପିତାମାତାଙ୍କୁ ସଚେତନ କରିବା ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। କାଉନସେଲିଂ, ଗବେଷଣା ଓ ତଦାରଖ ମଧ୍ୟ ଏଥିରେ ସହାୟକ ହୋଇପାରିବ ବୋଲି ଗବେଷଣାରେ କୁହାଯାଇଛି।
[ad_2]




