କାଲି କୃଷକମାନଙ୍କ ଦିଲ୍ଲୀ ଚଲୋ ଅଭିଯାନ – Ibnodisha

[ad_1]
ନୂଆଦିଲ୍ଲୀ : ହରିୟାଣା ଏବଂ ପଞ୍ଜାବର କୃଷକମାନେ ପୁଣି ଥରେ ନିଜର ଆନ୍ଦୋଳନକୁ ଜୋରଦାର କରିବାକୁ ପ୍ରସ୍ତୁତ ହେଉଛନ୍ତି। କୃଷକ ନେତା ସରୱନ ସିଂ ପନ୍ଧେର୍ ଏବଂ ଜଗଜିତ୍ ସିଂ ଡଲେୱାଲଙ୍କ ନେତୃତ୍ୱରେ ପଞ୍ଜାବ ଏବଂ ହରିୟାଣାର ଶମ୍ଭୁ ସୀମାରେ ହଜାର ହଜାର କୃଷକ ଏକଜୁଟ ହୋଇଛନ୍ତି। ମାର୍ଚ୍ଚ ୬ ତାରିଖରେ କୃଷକମାନେ ଦିଲ୍ଲୀ ଚଲୋ ଅଭିଯାନ କରିବାକୁ ଘୋଷଣା କରିଛନ୍ତି। ଏହା ସହିତ ମାର୍ଚ୍ଚ ୧୦ ରେ କୃଷକମାନେ ସାରା ଦେଶରେ ୪ ଘଣ୍ଟିଆ ଟ୍ରେନ୍ ରୋକୋ କରିବାକୁ ଘୋଷଣା କରିଛନ୍ତି। ମିଳିତ କିଷାନ ମୋର୍ଚ୍ଚା (ଏସକେଏମ) ମାର୍ଚ୍ଚ ୧୪ ରେ ଦିଲ୍ଲୀର ରାମଲୀଳା ମୈଦାନ କିମ୍ବା ଜନ୍ତର ମନ୍ତରରେ ଏକ ‘କିଷାନ ମହାପଞ୍ଚାୟତ’ ଆୟୋଜନ କରିବ ବୋଲି ଘୋଷଣା କରିଛି। ଏଥିପାଇଁ ସେମାନେ ପ୍ରଥମେ ଦିଲ୍ଲୀରେ ପ୍ରବେଶ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଫେବୃଆରୀ ୧୨ ରେ ଆରମ୍ଭ ହୋଇଥିବା କୃଷକ ଆନ୍ଦୋଳନ ଫେବୃଆରୀ ୨୧ ପର୍ଯ୍ୟନ୍ତ ବନ୍ଦ ରହିଥିଲା । ଯେତେବେଳେ ଖାନୌରି ସୀମାରେ ଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ ପୋଲିସ ସହ କୃଷକମାନଙ୍କର ସଂଘର୍ଷ ହୋଇଥିଲା ଏବଂ ଭଟିଣ୍ଡା ବାସିନ୍ଦା ଶୁଭକରନ୍ ସିଂଙ୍କର ଏହି ସଂଘର୍ଷରେ ମୃତ୍ୟୁ ଘଟିଥିଲା। ପଞ୍ଜାବର ହଜାର ହଜାର କୃଷକ ହରିୟାଣା ସୀମା ଶମ୍ଭୁ ଏବଂ ଖାନୌରିରେ ଅଛନ୍ତି।ହରିୟାଣା ପ୍ରଶାସନ ସୋମବାର ଅମ୍ବାଲା ଏବଂ ଚଣ୍ଡିଗଡ଼ ଜାତୀୟ ରାଜପଥରେ ଲଗାଯାଇଥିବା ବ୍ୟାରିକେଡଗୁଡ଼ିକୁ ହଟାଇ ଦେଇଥିବାବେଳେ କୃଷକ ନେତା ସରୱନ ସିଂ କହିଛନ୍ତି ଆମେ ପ୍ରତିବାଦ ଜାରି ରଖିବୁ। ଏଥର କୃଷକମାନେ ନୂଆ ଢଙ୍ଗରେ ଦିଲ୍ଲୀ ଯିବେ। ଏଥର କୃଷକମାନେ ଟ୍ରାକ୍ଟର-ଟ୍ରଲି ନେଇ ଆସିବେ ନାହିଁ, ବରଂ ଟ୍ରେନ ଏବଂ ବସ୍ରେ ଦିଲ୍ଲୀ ଯିବେ। କିଛି କୃଷକ ପାଦରେ ଦିଲ୍ଲୀ ଯାତ୍ରା କରିବେ।
[ad_2]