ବନ୍ଧୁକ ମୁନରେ ଡକାୟତି।ଧରୁନି ପୋଲିସ।
କେନ୍ଦୁଝର:IBN ଓଡିଶା:- କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ଧୁକଧାରୀ ଡକାୟତ ଦଳ ମାତିଛନ୍ତି। ଅକ୍ଟୋବର ୨୩ ତାରିଖରେ ଏକ ପୁରୁଣା କ୍ରସରରୁ ଚୋରି କରିବା ପରେ ଗତ ୧୦ ତାରିଖରେ ଏକ ଠିକାଦାର କ୍ୟାମ୍ପରେ ପଶି ବନ୍ଧୁକ ଦେଖାଇ କଳାକନା ବୁଲାଇଛନ୍ତି। ଏହି ଗ୍ୟାଙ୍ଗ ପୁଲିସକୁ ଚ୍ୟାଲେଞ୍ଜ ଦେଇ ଡକାୟତି କରିବାରେ ସଫଳ ହେଉଥିବା ବେଳେ ପୁଲିସ ସେମାନଙ୍କ ପାଖରେ ପହଞ୍ଚି ପାରୁନି ପୋଲିସ।ଝୁମ୍ପୁରା ଥାନା ଅନ୍ତର୍ଗତ କଳିଙ୍ଗାଠାରୁ ମଧୁପୁରୁ ରାସ୍ତାରେ ଚାଲିଥବା ଏକ ପୋଲ ନିର୍ମାଣ କାମ କରୁଛନ୍ତି ଠିକାଦାର ଏଲିନା ସାମଲ। ସେଠାରେ ଠିକାଦାରଙ୍କ ଏକ କ୍ୟାମ୍ପ ଅଛି। ଏହି କ୍ୟାମ୍ପରେ ସିମେଣ୍ଟଠାରୁ ଆରମ୍ଭ କରି ଲୁହାରଡ୍, ବିଭିନ୍ନ ଯନ୍ତ୍ରାଂଶ ସାଙ୍ଗକୁ ନିର୍ମାଣ ସାମଗ୍ରୀ ଗଚ୍ଛିତ ରହିଛି। କ୍ୟାମ୍ପରେ ସୁରକ୍ଷାକର୍ମୀଙ୍କ ସହିତ ସୁପରଭାଇଜର, ଶ୍ରମିକମାନେ ମଧ୍ୟ ରହୁଛନ୍ତି। ଗତ ୧୦ ତାରିଖ ରାତି ପ୍ରାୟ ୯ଟାବେଳେ ଦୁଇଜଣ ଯୁବକ ଏକ ବୁଲେଟ୍ରେ ଆସି କ୍ୟାମ୍ପ ଚାରିପାଖରେ ପଇଁତରା ମାରିଥିଲେ। ଏହାପରେ ସେମାନେ ପଳାଇଥିଲେ। ରାତି ୧୨ଟା ବେଳେ ୫ଜଣ ଯୁବକ ବନ୍ଧୁକ ନେଇ କ୍ୟାମ୍ପରେ ପଶିଥିଲେ। ଶୋଇଥିବା ଶ୍ରମିକ ଏବଂ ସୁପରଭାଇଜରଙ୍କୁ ଉଠାଇ ବନ୍ଧୁକ ଦେଖାଇ ମୋବାଇଲ ଛଡ଼ାଇ ନେବା ସହ ବାହାରପଟୁ ତାଲା ପକାଇ ଦେଇଥିଲେ। ପରେ ଫୋନ୍ କରି ଏକ ଟ୍ରକ୍କୁ ଡକାଇଲେ। ଟ୍ରକ୍ରେ ୧୦ରୁ ୧୨ଜଣ ଲୋକ ଆସି ପହଞ୍ଚିଥିଲେ। କ୍ୟାମ୍ପରେ ଥିବା ଲୁହାରଡ୍, ପୋଲ ନିର୍ମାଣ କାମରେ ବ୍ୟବହାର ହେଉଥିବା ଚ୍ୟାନେଲ, ବିମ୍, ସଟର, ଓଲଡିଂ ମେସିନ, କଂକ୍ରିଟ ବ୍ରେକର, କଟର, ଡ୍ରିଲିଂ ମେସିନ, ଚାଉଳ ବସ୍ତା, ଗ୍ୟାସ ସିଲିଣ୍ଡର ଆଦି ଟ୍ରକ୍ରେ ବୋଝେଇ କରି ନେଇଯାଇଥିଲେ। ଟ୍ରକ୍ ଯିବାର ଅଧଘଣ୍ଟା ପରେ ବନ୍ଧୁକଧାରୀ ଡକାୟତମାନେ ଶ୍ରମିକ ଏବଂ ସୁପରଭାଇଜରଙ୍କୁ ମୁକ୍ତ କରିଥିଲେ। ଡକାୟତ ଦଳ କ୍ୟାମ୍ପରୁ ୨୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ନେଇଯାଇଥିବା ନେଇ ଠିକାଦାରଙ୍କ ପକ୍ଷରୁ ଝୁମ୍ପୁରା ଥାନାରେ ଅଭିଯୋଗ କରାଯାଇଛି।