ରାଜନୀତି

‘ସ୍ୱାଭିମାନ’ ଧରିଲେ ରାଜନୀତି ନାହିଁ – Ibnodisha

[ad_1]

ଭୁବନେଶ୍ୱର : ରାଜନୀତିରେ ‘ସ୍ୱାଭିମାନ’ ନାହିଁ । ରାଜନେତାଙ୍କ ଡିକ୍ସିନାରୀରେ ସ୍ୱାଭିମାନ୍ ଓ ଆତ୍ମସମ୍ମାନ ଭଳି ଶବ୍ଦ ନାହିଁ ବୋଲି ପ୍ରମାଣିତ ହୋଇ ଚାଲିଛି । ଦେଶର ବିଭିନ୍ନ ରାଜ୍ୟରେ ପ୍ରତିଷ୍ଠିତ ନେତାମାନଙ୍କ ପାଖରେ ଏହା ଦେଖାଯାଇଥିଲା । ଏହି ଧାରା ଏବେ ଗଢ଼ି ଚାଲିଛି । ଯୁବ ପୀଢ଼ିବି ଏଥିରେ ଅନୁପ୍ରାଣୀତ ହେଉଥିବା ଦେଖାଯାଇ ଆସୁଛି । ଓଡ଼ିଶାର ରାଜନୀତି ଓ ନେତାମାନେ ଏଥିରୁ ବାଦ୍ ପଡ଼ି ନଥିବା ପରିଲକ୍ଷିତ ହେଉଛି । ରାଜ୍ୟ ରାଜନୀତିରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି । ନିର୍ବାଚନ ଯେତେ ନିକଟତର ହେଉଛି ଦୈନିକ ଗୋଟିଏ ପରେ ଗୋଟିଏ ଚକିତ ଖବର ପରିଲକ୍ଷିତ ହେବାରେ ଲାଗିଛି । ଅତିତର ତିକ୍ତତାକୁ ଓ ଅପମାନକୁ ପଛରେ ପକାଇ ଆଗକୁ ବଢ଼ିବାର ଏକ ନୂଆ ଧାରା ଓଡ଼ିଶା ରାଜନୀତିରେ ଆରମ୍ଭ ହୋଇଛି । ରାଜନୀତିରେ କେହି କାହାର ଚିର ଶତ୍ରୁ କି ମିତ୍ର ନୁହଁନ୍ତି ଏକଥା ପ୍ରତିପାଦିତ ହୋଇ ଚାଲିଛି ।

ବିଜେପି ଓ ବିଜେଡି ମଧ୍ୟରେ ଯେଉଁ ତିକ୍ତତା ୨୦୦୯ରେ ସୃଷ୍ଟି ହୋଇ ବିଚ୍ଛେଦ ହୋଇଥିଲା ତାହା ପୁଣି ଏକାଠି ହେବ କେହି ଭାବି ନଥିଲେ । ରାତି ପାହିଲେ ଯେଉଁ ଦୁଇ ଦଳର ନେତାମାନେ ପରସ୍ପରର ‘ଗୋହୀ’ ଖୋଳୁଥିଲେ ଏବେ ସେମାନେ ଏକାଠି ହେବାକୁ ଯାଉଛନ୍ତି । ୨୦୨୪ ନିର୍ବାଚନରେ ଦୁଇଦଳ ମେଣ୍ଟ କରିବାକୁ ଯାଉଥିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । କେବଳ ଔପଚାରିକ ଭାବରେ ଘୋଷଣା ବାକିଅଛି । ଆସନ୍ତା ୯ କିମ୍ବା ୧୦ ତାରିଖରେ ଦୁଇଦଳ ପକ୍ଷରୁ ଏକାଠି ଏହି ଘୋଷଣା କରାଯିବ ବୋଲି ଜଣାପଡ଼ିଛି । ଏଥିନେଇ ବିଜେପିର କେନ୍ଦ୍ର ଶୀର୍ଷ ନେତୃତ୍ୱ ଓଡ଼ିଶା ଆସି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ବସି ମିଳିତ ଭାବରେ ମେଣ୍ଟ କିମ୍ବା ଆସନ ବୁଝାମଣା କଥା ପ୍ରକାଶ କରିବେ ବୋଲି ଜଣାପଡ଼ିଛି । ଏହି ଦୁଇଦଳ ପରସ୍ପର ବିରୋଧରେ ଯେଉଁସ୍ତରକୁ ଯାଇଥିଲେ ସେଥିରେ କେହି କେବେ ଭାବି ନଥିଲେ ଯେ ଉଭୟ ପୁଣି ଏକାଠି ହେବେ । ବର୍ତ୍ତମାନ ବିଜେଡି ଯେଉଁ ସ୍ଥିତିରେ ଅଛି ସେଥିରେ ତାକୁ ଚ୍ୟାଲେଞ୍ଜ ଦେବାକୁ କେହି ଦଳ ନାହିଁ । ଓଡ଼ିଶାରେ ସବୁଠାରୁ ଲୋକପ୍ରିୟ ନେତା ନବୀନ ପଟ୍ଟନାୟକ । ଆସନ୍ତା ନିର୍ବାଚନରେ ଯେ ବିଜେଡି ମେଣ୍ଟ ନକଲେ ହାରିଯିବ ଏକଥା ନୁହେଁ । ନବୀନଙ୍କ ଭାବମୂର୍ତ୍ତି ଏବେବି ଲୋକଙ୍କ ପାଖରେ ଅତୁଟ ରହିଛି । ହେଲେ ରାଜନୈତିକ ବାଧ୍ୟବାଧକତା ପାଣିପାଗକୁ ବଦଳାଇ ଦେଇଛି । ପରସ୍ପରର ଆବଶ୍ୟକତାକୁ ଅନୁଭବ କରି ମାନ, ଅଭିମାନ ଓ ସ୍ୱାଭିମାନକୁ ପଛକୁ ଛାଡ଼ି ଏକାଠି ହାତ ମିଳାଇବାକୁ ଯାଉଛନ୍ତି ।

କେବଳ ଦଳ କଥା ନୁହେଁ, ବ୍ୟକ୍ତି ବିଶେଷ କ୍ଷେତ୍ରରେ ବି ଏହା ପରିଲକ୍ଷିତ ହୋଇଛି । ନିକଟରେ ସ୍ୱର୍ଗତ ନଳୀନି ମହାନ୍ତିଙ୍କ ପୁତ୍ର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି କଂଗ୍ରେସ ଛାଡ଼ି ଆସି ବିଜେଡିରେ ମିଶିଲେ । ସେହିପରି ଆଜି(ଗୁରୁବାର) ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଜେଡିରେ ଯୋଗ ଦେଇଛନ୍ତି । ରାଜ୍ୟ ରାଜନୀତିରେ ଯେଉଁମାନେ ସାମାନ୍ୟତମ ରୂଚି ରଖିଛନ୍ତି ସେମାନେ ସମସ୍ତେ ଜାଣିଥିବେ ନଳିନୀ ଓ ବିଜୟଙ୍କ ସହ କ’ଣ ଘଟିଥିଲା । ବିଜୟ ମହାପାତ୍ର ବିଜେଡିର ପ୍ରତିଷ୍ଠାତା ଥିଲାବେଳେ ପରବର୍ତ୍ତି ସମୟରେ ନଳିନୀ ମହାନ୍ତି ସାମିଲ୍ ହୋଇଥିଲେ । ସମସ୍ତଙ୍କୁ ଏକାଠି କରି ଦଳ ଗଢ଼ିଥିବା ବା ବିଜେଡିର ମୁଖ୍ୟ ବିନ୍ଧାଣୀ ସାଜିଥିବା ବିଜୟଙ୍କୁ ଶେଷରେ ଦଳର ଅପମାନଜନିତ ଭାବରେ ବିଦା ହେବାକୁ ପଡ଼ିଲା । ଦଳର ସଭାପତି ଭାବେ ନବୀନ ପଟ୍ଟନାୟକ ଏଭଳି ଗୋଟି ଚାଳନା ୨୦୦୦ ମସିହାରୁ ଚଳାଇ ଆସିଲେ ଯେ ବିଜୟ ଆଉ ବିଧାନସଭା ମାଟି ମାଡ଼ି ପାରିଲେ ନାହିଁ । ତାଙ୍କୁ ବହୁ ଅପମାନ ଜନିତ ପରିସ୍ଥିତିର ସମ୍ମୁଖିନ ହେବାକୁ ପଡ଼ିଥିଲା ଏବଂ ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ମାମଲା ମଧ୍ୟ ହେଲା । ଏହି ମାମଲା ଏବେବି ବଳବତର ରହିଛି । ବିଜୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିବାରେ ଲାଗିଥିଲେ । ଏପରିକି ଭି.କେ ପାଣ୍ଡିଆନ୍‌ଙ୍କୁ ବି ଛାଡ଼ୁ ନଥିଲେ । ଜଗନ୍ନାଥ ପ୍ରକଳ୍ପ ଠାରୁ ଆରମ୍ଭ କରି ଜଳସେଚନ, କୃଷି ଓ ଆଇନ୍ ଶୃଙ୍ଖଳା ଭଳି ଘଟଣା ଗୁଡ଼ିକରେ ବିଜୟଙ୍କ ନବୀନ ଓ ପାଣ୍ଡିଆନ୍ ବିରୋଧୀ ମନ୍ତବ୍ୟ କହାକୁ ଅଛପା ନାହିଁ ।

ସେହିପରି ନଳିନୀ ମହାନ୍ତିଙ୍କୁ ସରକାରରୁ ଛାୟା ଦୁର୍ନୀତି ଅଭିଯୋଗରେ ବିଦା କରାଗଲା । ତାଙ୍କ ବିରୋଧରେ ଭିଜିଲାନ୍ସ କେସ୍ ମଧ୍ୟ କରାଗଲା । ଏପରିକି ବିଳମ୍ବରେ ହେଲେ ବି ନଳିନୀଙ୍କୁ ମଧ୍ୟ ଲାଗିପାଦି ନିର୍ବାଚନରେ ନବୀନ ଶେଷରେ ହରାଇବାକୁ ସମର୍ଥ ହେଲେ । ଏହି ଘଟଣାରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ । ନଳୀନିଙ୍କ ଖାସ୍ ବନ୍ଧୁମାନେ କୁହନ୍ତି ନିର୍ବାଚନରେ ହାରିଲା ପରେ ଭିଜିଲାନ୍ସ କେସ୍ କଥା ଚିନ୍ତା କରି କରି ଅକାଳରେ ତାଙ୍କ ବିୟୋଗ ଘଟିଲା ।

ଏଭଳି ଘଟଣା ପରେ କେହି କେବେ କ’ଣ ଚିନ୍ତା କରେ ଯେ ଏହି ଦୁଇ ନେତାଙ୍କ ପୁଅ ପୁଣି ନବୀନଙ୍କ ଅଧିନରେ ପରିଚାଳିତ ବିଜେଡିରେ ସାମିଲ୍ ହେବେ । କିନ୍ତୁ ସବୁ କଥାକୁ ଭୁଲ୍ ପ୍ରମାଣିତ କରି ଉଭୟଙ୍କ ପୁଅ ଏବେ ବିଜେଡିରେ । କୁହାଯାଉଛି ପୁରୁଣା କଥାକୁ ଧରି ବସିଲେ କେହି କେବେ ଆଗକୁ ବଢ଼ିପାରିବ ନାହିଁ । ରାଜନୀତିରେ ନୀତି ଓ ଆଦର୍ଶକୁ ଜଗିଲେ ପଛରେ ପଡ଼ି ରହିବେ । ଏଣୁ ଯୁବ ପୀଢ଼ି ଏକଥାକୁ ମନରେ ରଖି ଭବିଷ୍ୟତ ରାଜନୀତିକୁ ଦୃଷ୍ଟିକୁ ଆଣି ଆଗେଇ ଆସିଥିବା କଥା ଅନେକ କହୁଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button