ରାଜ୍ୟ

ବ୍ରାହ୍ମଣୀ ସେତୁ ସିଲ୍‌,ଡ଼ଙ୍ଗା ପାଲଟିଛି ସାହାରା

ଯାଜପୁର:ଜେନାପୁର:IBN ଓଡିଶା:-ଷାଠିଏ ଦଶକରେ ନିର୍ମିତ ବ୍ରାହ୍ମଣୀ ପୋଲ(କବାଟବନ୍ଧ) ଏବେ ବିପଦସଙ୍କୁଳ। ବିକଳ୍ପ ରାସ୍ତା ବ୍ୟବସ୍ଥା ନକରି ବ୍ରାହ୍ମଣୀ ସେତୁ ଦେଇ ଗାଡ଼ି ଚଳାଚଳକୁ ପ୍ରଶାସନ ସଂପୂର୍ଣ୍ଣ ବନ୍ଦ କରିଦେଇଛି। ଫଳରେ ବିକାଶର ଓଲଟା ପ୍ରଭାବ ପଡ଼ିଛି। ସେତୁ ନିର୍ମାଣ ପୂର୍ବରୁ ଯେଭଳି ଡଙ୍ଗାରେ ପାର ହେଉଥିଲେ ଏବେ ଲୋକେ ସେଭଳି ବ୍ରାହ୍ମଣୀ ନଦୀ ପାର ହେଉଛନ୍ତି।

ପ୍ରକାଶ ଥାଉକି ୧୯୬୬ରେ ପାରାଦୀପ ‌ବନ୍ଦର ଉଦ୍‌ଘାଟନ ସହିତ ପାରାଦୀପ-ଦୈତାରୀ ଜାତୀୟ ରାଜପଥ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ଆରମ୍ଭ ହୋଇ ଓଡିଶାର ପୂର୍ବ ଉପକୂଳର ବିକାଶ ଦ୍ବାର ଖୋଲିଥିଲା। ଆଜି କଳିଙ୍ଗନଗର ଇସ୍ପାତ ରାଜଧାନୀ ମୁଣ୍ଡ ଟେକିଛି। ଓଡ଼ିଶାର ବିକାଶରେ ପାରାଦୀପ-ଦୈତାରୀ ଜାତୀୟ ରାଜପଥ ପ୍ରମୁଖ ଭୂମିକା ଗ୍ରହଣ କରିଛି। ସୁରକ୍ଷା ପ୍ରତି ଆବଶ୍ୟକ ଗୁରୁତ୍ବ ଦିଆଯାଇ ନଥିବାରୁ ବ୍ରହ୍ମଣୀ ପୋଲ ଶୋଚନୀୟ ହୋଇପଡ଼ିଛି। ମରାମତି ପାଇଁ ଯାତାୟାତକୁ  ଗତ ୨୧ ତାରିଖରୁ ମାସକ ପାଇଁ ବନ୍ଦ କରିଦିଆଯାଇଛି। ଏମ୍ଏସ୍‌ଆଇଏଲ୍ ଠିକାସଂସ୍ଥା ଦ୍ବାରା ମରାମତି ପ୍ରସ୍ତୁତି ଆରମ୍ଭ ହୋଇଛି। ଫଳରେ ସ୍ଥାନୀୟ ଲୋକେ ତଥା କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଯାଉଥିବା ଶହଶହ ଶ୍ରମିକ ଓ କର୍ମଚାରୀ ନାହିଁନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି।

କିଛିଲୋକ ଡଙ୍ଗାରେ ଯାତାୟାତ କରୁଛନ୍ତି। ମାତ୍ର ଅଞ୍ଚଳର କିଛି ନିର୍ଦିଷ୍ଟ ବ୍ୟକ୍ତି ଡଙ୍ଗା ଚଳାଚଳକୁ ପରୋକ୍ଷରେ ବିରୋଧ କରୁଛନ୍ତି। ଫଳରେ ବହୁ ଖର୍ଚ୍ଚାନ୍ତ ହୋଇ ଜେନାପୁର ପୋଲରେ ଯାଜପୁରରୋଡ୍‌ ଦେଇ କଳିଙ୍ଗନଗର ଯାଉଥିବାର ଦେଖାଯାଇଛି। ଠିକାସଂସ୍ଥା ପକ୍ଷରୁ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ ଚାଲିଥିବା ବେଳେ ବିରୋଧ ପାଇଁ ଡଙ୍ଗା ଚଳାଚଳ ମଧ୍ୟ ବନ୍ଦ ହୋଇଛି। ପାଣିରେ ଲୋକମାନେ କେମିତି ଯିବେ ସେହି ଚିନ୍ତାରେ ପଡିଛନ୍ତି। ଆସନ୍ତା ଦୁଇଦିନ ମଧ୍ୟରେ ପୂର୍ଣ୍ଣ ମାତ୍ରାରେ ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି କୁହାଯାଉଛି।  ସେତେବେଳେ ସାଇକଲ ଓ ପାଦରେ ଚାଲିଚାଲି ଯାଉଥିବା ଲୋକଙ୍କୁ ମଧ୍ୟ ପୋଲ ଉପରେ ଯିବା ପାଇଁ ଅନୁମତି ମିଳିବ ନାହିଁ ବୋଲି ଠିକାସଂସ୍ଥା ପକ୍ଷରୁ କୁହାଯାଇଛି।  ଆଜି ସଚେତନ ନାଗରିକ ମଂଚ ପକ୍ଷରୁ ଜନସାଧାରଣଙ୍କ ଗମନାଗମନ ସୁବିଧା ପାଇଁ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି।  ବ୍ରାହ୍ମଣୀରେ ସରକାରୀ ଡଙ୍ଗା ଚଳାଚଳ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିଥିବାର ଜଣାଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ନସରିଲେ ସଚେତନ ନାଗରିକ ମଂଚ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଆବାହକ ସରୋଜକାନ୍ତ ବେହେରା ଚେତାବନୀ ଦେଇଛନ୍ତି।ବ୍ରାହ୍ମଣୀ ସେତୁର ମରାମତି ପାଇଁ ବାରମ୍ବାର ଆନ୍ଦୋଳନ ଓ ଦାବି କରାଯାଇଥିଲେ ହେଁ ଜିଲ୍ଲାର ଶାସକ ଓ ପ୍ରଶାସକ ଗୁରୁତ୍ବ ଦେଲେ ନାହିଁ। ଏବେ ମରାମତି ପାଇଁ ଗାଡ଼ି ଚଳଚଳ ବନ୍ଦ କରି ବିକଳ୍ପ ବ୍ୟବସ୍ଥା କରାନଯିବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button