ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ’କୁ ମାଡ୍ରାସ ହାଇକୋର୍ଟଙ୍କ ଅନୁମତି; ମନା କରିଥିଲା ପୁଲିସ – Ibnodisha
[ad_1]
ଚେନ୍ନାଇ: ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ’କୁ ଅନୁମତି ଦେଲେ ମାଡ୍ରାସ ହାଇକୋର୍ଟ । ଆସନ୍ତା ୧୮ ତାରିଖରେ ତାମିଲନାଡୁର କୋଏମ୍ବାଟୁରରେ ହେବ ବିଶାଳ ରାଲି । ଏଥିପାଇଁ ଜିଲ୍ଲା ପୁଲିସଠୁ ଅନୁମତି ଲୋଡ଼ିଥିଲା ଭାରତୀୟ ଜନତା ପାର୍ଟି । ହେଲେ ବିଭିନ୍ନ କାରଣ ଦର୍ଶାଇ ଅନୁମତି ଦେବାକୁ ମନା କରିଥିଲା ଜିଲ୍ଲା ପୁଲିସ । କୋଏମ୍ବାଟୁରର ସାମ୍ପ୍ରଦାୟିକ ଇତିହାସ ଦୃଷ୍ଟିରୁ ଅନୁମତି ଦିଆଯିବ ନାହିଁ ଜିଲ୍ଲା ପୁଲିସ କାରଣ ଦର୍ଶାଇଥିଲା । ଏହାସହ ରୋଡ୍ ଶୋ’ କାରଣରୁ ସାଧାରଣ ଜନତାଙ୍କ ସମେତ ଛାତ୍ରଛାତ୍ରୀ ବିଶେଷ ଭାବେ ପ୍ରଭାବିତ ହେବେ ବୋଲି ଆଶଙ୍କା ରହିଥିବା କହିଥିଲା ଜିଲ୍ଲା ପୁଲିସ ।
ଏପରିକି ଆସନ୍ତା ୧୮ ଓ ୧୯ ତାରିଖରେ ବୋର୍ଡ ପରୀକ୍ଷା ଥିବାରୁ ଛାତ୍ରଛାତ୍ରୀଙ୍କ ଗମନାଗମନରେ ବାଧା ସୃଷ୍ଟି ହେବ ବୋଲି ଜିଲ୍ଲା ପୁଲିସ ପକ୍ଷରୁ କୁହାଯାଇଥିଲା । ଗୋଟିଏ ପଟେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଥିବାବେଳେ ଅନ୍ୟପଟେ ଏହି ୪ କିଲୋମିଟରର ରୋଡ୍ ଶୋ’ ଯୋଗୁ ପିଲାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ରହିଥିଲା । ଏସବୁ କାରଣ ଦର୍ଶାଇ ଅନୁମତି ଦେବାକୁ ମନା କରିଦେଇଥିଲେ ପୁଲିସ ଅଧିକାରୀ । ତାମିଲନାଡୁ ପୁଲିସ ଏହି ରୋଡ୍ ଶୋ’କୁ ଅନୁମତି ଦେବାକୁ ମନା କରିଥିବାବେଳେ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ରାଜ୍ୟ ବିଜେପି । ଏହି ମାମଲାର ଶୁଣାଣି କରି ଜଷ୍ଟିସ ଏନ ଆନନ୍ଦ ଭେଙ୍କଟେଶ ବିଜେପି ସମର୍ଥନରେ ରାୟ ଶୁଣାଇଛନ୍ତି । ଶେଷରେ ପ୍ରଧାନମନ୍ତ୍ରୀଙ୍କ ଏହି ରୋଡ୍ ଶୋ’କୁ ମିଳିଛି ଅନୁମତି । ପ୍ରାୟ ୪ କିଲୋମିଟର ଧରି ବିଜେପି ନେତା ଓ ସମର୍ଥକମାନେ ଶୋଭାଯାତ୍ରାରେ ଯିବାର କାର୍ଯ୍ୟକ୍ରମ ରହିଛି । ସୂଚନା ଅନୁସାରେ, ୧୯୮୮ ମସିହାରେ କୋଏମ୍ବାଟୁର ଯେଉଁ ଅଞ୍ଚଳରେ ବୋମା ବିସ୍ଫୋରଣ ହୋଇଥିଲା ସେହିଠାରେ ହିଁ ହେବ ଏହି ରୋଡ୍ ଶୋ’ ।
[ad_2]