ଆସନ୍ତାକାଲିଠୁ ରାଜ୍ୟରେ ବଜ୍ରପାତ ସହ ବର୍ଷା ସମ୍ଭାବନା – Ibnodisha

[ad_1]
ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅସ୍ତବ୍ୟସ୍ତ କରିପକାଉଛି । ଏପରିକି ପାରଦ ଉପରମୁହାଁ ହୋଇଥିବା ବେଳେ ୪୦ଂ ବି ପାର ହୋଇଗଲାଣି । ତେବେ ଆସନ୍ତା ୪୮ଘଣ୍ଟା ମଧ୍ୟରେ ରାଜ୍ୟରେ ତାତିରୁ ତ୍ରାହି ମିଳିବ । ଆସନ୍ତାକାଲିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗକେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଜ୍ରପାତ ସମ୍ଭାବନା ରହିଛି । ଘଡଘଡି ବିଜୁଳି ସହ ଝଡ ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ୧୯ ଏବଂ ୨୦ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ନେଇ ୧୯ ତାରିଖରେ ୧୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ପ୍ରବଳ ବର୍ଷା ସହ ବଜ୍ରପାତ ପାଇଁ କଟକ, ଖୋର୍ଦ୍ଧା, ନୟାଗଡ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ଗଞ୍ଜାମ, କନ୍ଧମାଳ, କଳହାଣ୍ଡି, ବଲାଙ୍ଗିର, ରାୟଗଡା ଏବଂ ନବରଙ୍ଗପୁର କୁ ସତର୍କତା ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୭୦ ରୁ ୧୧ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବା ସହ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ବହିବ ପବନ । ଏହାସହ କିଛି ସ୍ଥାନରେ କୁଆପଥର ବର୍ଷା ନେଇ ସତର୍କତା ଜାରି କରାଯାଇଛି । ସେହିଭଳି ୨୦ ତାରିଖରେ ୪ଟି ଜିଲ୍ଲା କଟକ, ଖୋର୍ଦ୍ଧା, ନୟାଗଡ ଏବଂ କନ୍ଧମାଳକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ଉପକୂଳ ଓଡ଼ିଶା ବଙ୍ଗୋପସାଗରରେ ଏକ ଗୁରୁଚାପବଳୟ ସକ୍ରିୟ ରହିଥିବା ବେଳେ ପଶ୍ଚିମା ଝଡର ପ୍ରଭାବ ରହିଛି । ଏହି ନିୟାମକ ଅନୁସାରେ ରାଜ୍ୟରେ ପାଗ ବଦଳିବା ସହ କାଳବୈଶାଖୀ ଜନିତ ବର୍ଷା ଲାଗିରହିଛି । ୨୧ ତାରିଖ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ । ବର୍ଷା ପ୍ରଭାବରେ ସ୍ୱାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ବର୍ଷା ହେଲେ ବି କିଛି ସ୍ଥାନରେ ତାପମାତ୍ରା ୩୯ ଡିଗ୍ରୀ ପର୍ଯ୍ୟନ୍ତ ରହିବା ସହ ଗରମ ଗୁଳୁଗୁଳି ଅନୁଭୁତ ହେବାର ସମ୍ଭାବନା ରହିଛି । ଦିନକୁ ଦିନ ରାଜ୍ୟରେ ଭୟଙ୍କର ହେଉଛି ବଜ୍ରପାତ । ବିଶେଷ କରି ଖରାଦିନେ ଅତ୍ୟଧିକ ମାତ୍ରାରେ ପ୍ରଚଣ୍ଡ ଘଡଘଡି ସହ ବିଜୁଳି ଦେଖିବାକୁ ମିଳୁଛି । ଏହି ବିଜୁଳିରେ ଦୈନିକ କେଉଁଠି ନା କେଉଁଠି ଜୀବନ ଚାଲିଯାଉଛି । ଯାହାକୁ ନେଇ ଏବେ ଚିନ୍ତା ବଢିଛି ।
ଆଗକୁ ରାଜ୍ୟରେ ପ୍ରବଳ ବଜ୍ରପାତ ସମ୍ଭାବନା ଥିବାରୁ ତା ପୂର୍ବରୁ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଥରେ ବିଜୁଳି ମାରିଲେ ସେଥିରୁ ୧୦ କୋଟିରୁ ୧୦୦ କୋଟି ଭୋଲ୍ଟର ବିଦ୍ୟୁତ୍ ଉତ୍ପନ୍ନ ହୁଏ । ଗୋଟିଏ ଥର ବିଜୁଳି ମାରିଲେ ଏହାର ତାପମାତ୍ରା ୨ହଜାର ଡିଗ୍ରୀ ସେଲସିୟସ୍ ସହ ସମାନ ହୋଇଥାଏ । ଏହି ତାପମାତ୍ରା ଧାତୁକୁ ତରଳାଇବା ସହ ବାଲିକୁ ବି କାଚରେ ପରିଣତ କରିପାରେ । ବିଜୁଳି ପ୍ରଭାବରେ ସୃଷ୍ଟି ହେଉଥିବା ଏହି ଉଚ୍ଚ ତାପମାତ୍ରାରେ ମଣିଷ ସମେତ ଡେଙ୍ଗା ନଡ଼ିଆ ଏବଂ ତାଳ ଗଛ ଜଳୁଥିବାର ଦେଖା ଯାଇଥାଏ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି । ଓଡ଼ିଶାରେ ଗ୍ରୀଷ୍ମ ଋତୁରେ ଅଧିକାଂଶ ସମୟ ବଜ୍ରପାତ ବା ବିଜୁଳି ମାରିଥାଏ ।
ସ୍ଥଳଭାଗରେ ଅତ୍ୟଧିକ ତାତି, ଗୁରୁଚାପବଳୟ, ଟ୍ରପ୍ଲାଇନ୍ ଏବଂ ପଶ୍ଚିମା ଝଡର ପ୍ରଭାବରେ ବେଶିମାତ୍ରାରେ ବଜ୍ରପାତ ଅନୁଭୁତ ହୁଏ । ଏହି ବଜ୍ରପାତ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବାଲେଶ୍ୱର, ଭଦ୍ରକ, ରାୟଗଡା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର, ନୟାଗଡ, ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ, ପୁରୀ, ଖୋର୍ଦ୍ଧୋ ଆଦି ଜିଲ୍ଲାରେ ଅଧିକ ହୁଏ । ବଜ୍ରପାତ ବିଜୁଳି ଆମ ପାଇଁ ଅତ୍ୟନ୍ତ ବିପଦଜନକ ଏବଂ ବିପର୍ଯ୍ୟୟ ସୃଷ୍ଟି କରେ । ତେଣୁ ବିଜୁଳି ଘଡଘଡି ସମୟରେ ନିଜକୁ ନିରାପଦ ସ୍ଥାନରେ ସୁରକ୍ଷିତ କରିବା ଅତ୍ୟନ୍ତ ଜରୁରୀ ବୋଲି ସତର୍କ କରାଇଛି ପାଣିପାଗ କେନ୍ଦ୍ର ।
[ad_2]