କୋରାଖଇରେ ଶ୍ରୀଲିଙ୍ଗରାଜଙ୍କ ମନ
ପୁରୁଣା ଭୁବନେଶ୍ବର: କୋରାଖଇ ହେଉଛି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରିୟ ଶୁଖୁଲି ଭୋଗ। ଭକ୍ତ ତଥା ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରିବା ସମୟରେ କୋରାଖଇ ଭୋଗ କରିଥାନ୍ତି। ଏହି ଭୋଗ ବା ପ୍ରସାଦ ପ୍ରଭୁ ଲିଙ୍ଗରାଜଙ୍କ ସଂସ୍କୃତି ସହ ଆବାହମାନ କାଳରୁ ଜଡ଼ିତ। ତେଣୁ କୋରାଖଇ ଭୋଗର ଏକ ଭାବଗତ ସମ୍ପର୍କ କାହିଁ କେତେକାଳରୁ ରହି ଆସିଛି। କୋରାଖଇ ପ୍ରସାଦ ସେବନ ବିନା ଏକାମ୍ର କ୍ଷେତ୍ର ଦର୍ଶନର ମାନେ କିଛି ନଥାଏ ବୋଲି ଆଜି ବି ବିଶ୍ବାସ ରହିଛି। ତେଣୁ ଦେଶ ବିଦେଶରେ ପୁରୁଣା ଭୁବନେଶ୍ବର କୋରାଖଇର ନାଁ ଅଛି। ଆଜି ଏକାମ୍ର କ୍ଷେତ୍ର କୋରାଖଇ ଓଡ଼ିଆ ଲୋକଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ଦଖଲ କରିଛି। ଏବେ ମଧ୍ୟ ନେପାଳ, ଶ୍ରୀଲଙ୍କା, ଇଣ୍ଡୋନେସିଆ, ଆମେରିକା ଓ ୟୁରୋପୀୟ ଦେଶ ସମୂହରେ ଏହି ଭୋଗର ଆଦର ରହିଛି। ଓଡ଼ିଶା ଭ୍ରମଣରେ ଆସୁଥିବା ବିଦେଶୀ ପର୍ଯ୍ୟଟକମାନେ ଏକାମ୍ର କ୍ଷେତ୍ରର କୋରାଖଇର ସ୍ବାଦ ଚାଖିବା ବିନା ଓଡ଼ିଶା ଭ୍ରମଣ ଅଧୁରା ବୋଲି ମନେକରନ୍ତି। ଅପରପକ୍ଷରେ ଆସନ୍ତା ସୋମବାର ଧନୁ ସଂକ୍ରାନ୍ତି ଉପଲକ୍ଷେ ଧନୁ ମୁଆଁ ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ପ୍ରତିଘରେ ଧନୁ ମୁଆଁ ପୂଜା ହେବାକୁ ବିଧି ରହିଥିବା ବେଳେ ବଜାରରେ ମିଳୁଛି ବିଭିନ୍ନ ପ୍ରକାରର ମୁଆଁ।
ପରମ୍ପରା ଓ ସଂସ୍କୃତି ସହ ଜଡ଼ିତ
ଓଡ଼ିଆ ପରମ୍ପରା ଓ ସଂସ୍କୃତି ସହ ଜଡ଼ିତ ହୋଇ ରହିଆସିଛି କୋରାଖଇ। କୁହାଯାଏ କେବଳ ପ୍ରଭୁ ଲିଙ୍ଗରାଜ ନୁହନ୍ତି, ଓଡ଼ିଶାର ପ୍ରାୟ ସବୁ ଦେବଦେବୀଙ୍କ ସଂସ୍କୃତି ସହ ଏହି ପ୍ରସାଦ ଯୋଡ଼ି ହୋଇରହିଛି। ଏମିତିକି ବଡ଼ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରିୟ ପ୍ରସାଦ ମଧ୍ୟରେ କୋରାଖଇର ସ୍ବତନ୍ତ୍ର ସ୍ଥାନ ରହିଛି। ଓଡ଼ିଶାର ଘରେ ଘରେ ସମସ୍ତେ ପୂଜା ଘରେ ଏହି ଭୋଗ ବାଢ଼ିବା ଏକ ନିତିଦିନିଆ କଥା। ସେହିଭଳି ବିଭିନ୍ନ ପୂଜାପର୍ବାଣୀ, ଘର ପ୍ରତିଷ୍ଠା, ଜନ୍ମଦିନରେ ଓ ବିବାହ ଉତ୍ସବ ନିର୍ବନ୍ଧ ଆଦି ଶୁଭ କାର୍ଯ୍ୟରେ କୋରାଖଇ ଲାଗି କରିବା ଏକ ବିଧି ହୋଇରହିଛି। ଏବେ ଧନୁ ସଂକ୍ରାନ୍ତି ଉପଲକ୍ଷେ ୫୦୦ଗ୍ରାମରୁ ଆରମ୍ଭ କରି ୨୦କେଜିଆ ଧନୁ ମୁଆଁ ପ୍ରସ୍ତୁତ କରାଯାଇଛି। ବଇଆ କୋରାଖିଇ ଦୋକାନର କୌଶିକ କୁମାର ସାହୁ କୁହନ୍ତି, ଲୋକଙ୍କ ଚାହିଦା ଅନୁଯାୟୀ ମୁଆଁ ପ୍ରସ୍ତୁତ କରାଯାଉଛି। ଏଥିସହ ଠାକୁରଙ୍କ ଭୋଗ ପାଇଁ ଗଜା, ରାଶି ଲଡ଼ୁ, ଫେଣି ଗଜା, ଧଳା ଖଇ, ଚୁଡ଼ା ପୁଆ, ଗୁଡ଼ ଉଖୁଡ଼ା ମଧ୍ୟ ପ୍ରସ୍ତୁତ କରାଯାଉଛି।
ପ୍ରସ୍ତୁତି ପାଇଁ ପ୍ରସିଦ୍ଧି
କୋରାଖଇ ପ୍ରସ୍ତୁତି ହିଁ ତାକୁ ସ୍ବତନ୍ତ୍ର ସ୍ଥାନରେ ରଖିଆସିଛି। ଏହାର ପ୍ରସ୍ତୁତି ବେଶ୍ ଜଟିଳ ଓ ବ୍ୟୟବହୁଳ। ସ୍ବତନ୍ତ୍ର ଧାନରୁ ଖଇ ଭାଜିବା ପରେ ଚିନି ଓ ଗୁଡ଼ ସିରା ପ୍ରସ୍ତୁତ କରି ସେଥିରେ ଖଇକୁ ମିଶାଯାଇଥାଏ। ଏହା ପୂର୍ବରୁ ନଡ଼ିଆ ପାତି ପ୍ରସ୍ତୁତି ହୋଇ ରହିଥାଏ। ଶୁଖିଲା ନଡ଼ିଆ ପାତିକୁ ଗୁଆଘିଅ ଓ ଗୁଡ଼ସିରାରେ ମିଶାଇ ଏକ ସ୍ବତନ୍ତ୍ର ପାଗ କରି ଭାଜିବାକୁ ପଡ଼େ। ପରେ ଖଇକୁ ସିରା ସହ ମିଶାଇବା ବେଳେ ଏହି ନଡ଼ିଆପାତି ସାଙ୍ଗରେ ଗୋଲମରିଚ, ଗୁଜୁରାତି, ଜାଇଫଳ, କର୍ପୂର ଓ ପାନମଧୁରୀ ପକାଇ ବଡ଼ବଡ଼ କଡ଼େଇରେ ଘାଣ୍ଟିବାକୁ ପଡ଼େ। ସେହିଭଳି କୋରା ତିଆରି ପାଇଁ ନଡ଼ିଆକୁ କୋରି ଶୁଖାଇବାକୁ ପଡ଼େ। ଏହି ଶୁଖିଲା ଗୁଣ୍ଡକୁ ଗୁଆଘିଅ ଓ ଚିନି ସିରା ସହ ମିଶାଇ ପାଗ କରାଯାଏ ଓ ପରେ ଗୋଲ ଗୋଲ କରି ବୋଳାଯାଏ। କୋରାରେ ବି ଗୁଜୁରାତି, ଜାଇଫଳ, ମଧୁରୀ ଭଳି ମସଲା ଦେଇ ଅଧିକ ସ୍ବାଦିଷ୍ଟ କରାଯାଏ।
ବୃତ୍ତି ବଞ୍ଚିଛି
ଦିନ ଥିଲା ଏକାମ୍ର କ୍ଷେତ୍ରରେ ବଇଆ କୋରାଖଇ କିଣିବା ପାଇଁ ଶ୍ରଦ୍ଧାଳୁମାନେ ଭିଡ଼ କରୁଥିଲେ। କିନ୍ତୁ ଆହୁରି ଅନେକ ଏହି ବୃତ୍ତିକୁ ଆପଣେଇଥିଲେ। ଏବେ ବଇଆ ନାହାନ୍ତି। କିନ୍ତୁ ତାଙ୍କ ନାଁରେ ବେପାର ଚାଲୁଛି। ଆଜି ପୁରୁଣା ଭୁବନେଶ୍ବରର ଅନେକ ପରିବାର କୋରାଖଇ ବୃତ୍ତିରେ ଅଛନ୍ତି। ପୁରୁଣା ଭୁବନେଶ୍ବର ବଡ଼ଦାଣ୍ଡ ସାହିରେ ପୁରୁଣା ଦୋକାନ ସବୁ ରହିଛି। ଜେଜେବାପା ଅମଳରୁ ସେମାନେ ଏହାକୁ ବୃତ୍ତି ଭାବେ ଆଦରି ନେଇଛନ୍ତି। ଗୁଣବତ୍ତା ଅନୁସାରେ ଏହାର ଦାମ୍ କିଲୋ ପିଛା ୨୦୦ ଟଙ୍କାରୁ ୨୪୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଆକଳନ କୁହେ, ଏଠାରେ ଦୈନିକ ୫ କ୍ବିଣ୍ଟାଲ କୋରାଖଇ ବିକ୍ରି ହୋଇଥାଏ। ଶ୍ରଦ୍ଧାଳୁମାନେ ଭୋଗ ଲାଗି ପାଇଁ ଯେତିକି କିଣନ୍ତି, ତା’ଠୁ ବହୁ ଅଧିକ ଅନ୍ୟ ମନ୍ଦିରର ପୂଜା ସାମଗ୍ରୀ ବିକ୍ରେତାମାନେ ବରାଦ କରି କିଣିନିଅନ୍ତି।
ଜିଆଇ ଟ୍ୟାଗ୍ ମାନ୍ୟତା ଦାବି
ପରିତାପର କଥା ଏଭଳି ଏକ ପ୍ରମୁଖ ପ୍ରସାଦକୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିପାରିନାହିଁ। ପ୍ରାୟ ୩ ଶହ ବର୍ଷ ପୁରୁଣା ଏଭଳି ଭୋଗପ୍ରସାଦ ଜିଆଇ ମାନ୍ୟତା ପାଇଁ ହକ୍ଦାର ହୋଇଥିଲେ ବି ଆନ୍ତରିକତା ଅଭାବରୁ ଏହା ମିଳିପାରିନାହିଁ। ବିଶ୍ବ ଦରବାରରେ ଏକ ସ୍ବତନ୍ତ୍ର ମର୍ଯ୍ୟାଦା ପାଇଥିବା ଓଡ଼ିଶାର ଏହି ଭୋଗ ଜିଆଇ ମାନ୍ୟତା ପାଇବାକୁ ବିଭିନ୍ନ ମହଲରୁ ଦାବି ହେଉଛି, କିନ୍ତୁ ଆଖିଦୃଶିଆ ହେଉନାହିଁ ବୋଲି ବଇଆଙ୍କ ବଂଶଧର ଭାଗବତ ସାହୁ କହିଛନ୍ତି। ଏବେ ଅନ୍ଲାଇନ୍ରେ ଏହି ବେପାର ଜମିଲାଣି ଓ ରାଜ୍ୟ ବାହାରୁ ଏପରିକି ବିଦେଶରୁ ଲୋକେ ବରାଦ କରି କିଣୁଛନ୍ତି। ତେଣୁ ସରକାର ଇଚ୍ଛା କଲେ, ଓଡ଼ିଆ କୋରାଖଇର ମହକ ସାରା ବିଶ୍ବକୁ ଖେଳାଇ ହୋଇଯାଆନ୍ତା ବୋଲି ପୁରୁଣା ଭୁବନେଶ୍ବରର ପ୍ରସ୍ତୁତ କର୍ତ୍ତାମାନେ କହିଛନ୍ତି।