ମନୋରଞ୍ଜନ

ଶ୍ରେଷ୍ଠ ୧୦ରେ ରହି ବି ଖୁସି ନାହାନ୍ତି ହିନା

୨୦୨୪ ମସିହାରେ ଗୁଗଲ୍‌ରେ ସବୁଠାରୁ ଅଧିକ ଖୋଜା ଯାଇଥିବା ବା ସର୍ଚ କରାଯାଇଥିବା ୧୦ କଳାକାରଙ୍କ ମଧ୍ୟରେ ଅଭିନେତ୍ରୀ ହିନା ଖାନ୍ ରହିଛନ୍ତି। ନିକଟରେ ଗୁଗଲ୍‌ ପକ୍ଷରୁ ପ୍ରକାଶିତ ତାଲିକାରେ ତାଙ୍କ ନାମ ସହିତ ଅଭିନେତ୍ରୀ ନିମ୍‌ରତ୍‌ କୌର୍‌ ଓ ଅଭିନେତା ପବନ କଲ୍ୟାଣଙ୍କ ନାମ ରହିଛି। ଏନେଇ ତାଙ୍କ ପାଖକୁ ଅନେକ ଶୁଭେଚ୍ଛା ବାର୍ତ୍ତା ଆସିଥିଲେ ବି ହିନା କିନ୍ତୁ ଖୁସି ନାହାନ୍ତି। ହିନାଙ୍କ କହିବା କଥା ହେଲା, କୌଣସି ସଫଳତା ପାଇଁ ନୁହେଁ, ବରଂ ତାଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଲୋକେ ଖୋଜିଛନ୍ତି। ଏହା ଆଦୌ ଆନନ୍ଦର ବିଷୟ ନୁହେଁ।

ପବନ କଲ୍ୟାଣ ଓ ନିମ୍‌ରତ୍‌ କୌର୍‌ଙ୍କ ସହିତ ନିଜ ନାମ ଉଲ୍ଲେଖ ଥିବା ତାଲିକାକୁ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ସେୟାର୍ କରି ହିନା ଲେଖିଛନ୍ତି, ‘‘ମୁଁ ଦେଖିଲି ଅନେକ ଲୋକ ମୋ ଫଟୋକୁ ସେମାନଙ୍କ ଷ୍ଟୋରିରେ ରଖି ମୋତେ ଅଭିନନ୍ଦନ ଜଣାଇଛନ୍ତି। ମାତ୍ର ସତ କହିବାକୁ ଗଲେ ଏହା ମୋ ପାଇଁ କୌଣସି ସଫଳତା ବା ଗର୍ବର ବିଷୟ ନୁହେଁ। ତେଣୁ ମୁଁ ଖୁସି ହେବାର କୌଣସି କାରଣ ନାହିଁ।’’

ତୃତୀୟସ୍ତରରେ ପହଞ୍ଚିଥିବା ସ୍ତନ କର୍କଟ ସହ ସଂଗ୍ରାମ କରୁଥିବା ହିନା କହିଛନ୍ତି, ‘‘ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହେତୁ ଅନ୍ୟ କାହାକୁ ବି ଇଣ୍ଟର୍‌ନେଟ୍‌ରେ ଏମିତି ଖୋଜା ନଯାଉ ବୋଲି ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି।’’ ନିକଟରେ କେମୋଥେରାପି ପରେ ହସ୍‌ପିଟାଲରୁ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଫଟୋ ସେୟାର୍‌ କରିଥିଲେ ସେ। ୨୦୨୪ ମସିହା ଜୁନ୍ ମାସରେ ତାଙ୍କୁ କର୍କଟ ହୋଇଥିବା କଥା ସୋସିଆଲ୍ ମିଡିଆ ପୋଷ୍ଟ୍ ଜରିଆରେ ସେ ସମସ୍ତଙ୍କୁ ଜଣାଇଥିଲେ। ତା’ପରଠାରୁ ସେ ତାଙ୍କ ଚିକିତ୍ସା ସଂପର୍କିତ ଅନେକ କଥା ସୋସିଆଲ୍ ମିଡିଆରେ ସେୟାର୍ କରି ଆସୁଛନ୍ତି ଏବଂ ଲୋକେ ବହୁ ସଂଖ୍ୟାରେ ଏ ବିଷୟ ଜାଣିବା ଲାଗି ତାଙ୍କୁ ସର୍ଚ କରୁଛନ୍ତି। ଟେଲି ଅଭିନେତ୍ରୀ ହିନା ଧାରାବାହିକ ‘ୟେ ରିସ୍ତା କ୍ୟା କେହେଲାତା ‌େହୖ’ ଜରିଆରେ ଦର୍ଶକମାନଙ୍କର ପ୍ରିୟ ପାଲଟିଥିଲେ। ସେହିପରି ‘କସୌଟି ଜିନ୍ଦଗୀ କେ’ର କମଲିକା ଚରିତ୍ରରେ ମଧ୍ୟ ସେ ବେଶ୍‌ ଦର୍ଶକୀୟ ପ୍ରଶଂସା ସାଉଁଟି ଥିଲେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button