ଗାଡ଼କଣ ଟିଟିଏସ୍ ସ୍ଥାନାନ୍ତର ପ୍ରସଙ୍ଗ: ଯିଏ ଆସିଲେ ସ୍ବପ୍ନ ଦେଖାଇଲେ
ଚନ୍ଦ୍ରଶେଖରପୁର: ଆଜକୁ ଠିକ୍ ବର୍ଷକ ତଳେ ଜୋର ଧରିଥିଲା ଗାଡ଼କଣ ଟିଟିଏସ୍ ତଥା ଅଳିଆ ଗଦା ତାତି। ସହର ଭିତରରୁ ଅଳିଆ ଗଦା ହଟାଇବା ଦାବିରେ ୨୦୨୩ ନଭେମ୍ବର ଶେଷ ସପ୍ତାହରେ ଆନ୍ଦୋଳନକୁ ଓହ୍ଲାଇଥିଲା ବିଜେପି। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତଥା ସେତେବେଳର ବିଧାୟକ ମୋହନ ଚରଣ ମାଝୀଙ୍କ ସମେତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ବିଧାୟକ ଏବଂ ଦଳର ବରିଷ୍ଠ ନେତାମାନେ ସତ୍ୟାଗ୍ରହକୁ ଓହ୍ଲାଇଥିଲେ। ୨୧ ଦିନ ସତ୍ୟାଗ୍ରହରେ ବସିଥିଲେ। ଅଳିଆ ଗଦା ନ ହଟିଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ମଧ୍ୟ ଦେଇଥିଲେ। ଇତିମଧ୍ୟରେ ଗୋଟିଏ ବର୍ଷ ବିତିଗଲାଣି। ବିରୋଧୀ ଦଳରେ ଥିବା ବିଜେପି ଆଜି ଶାସନ କ୍ଷମତାକୁ ଆସିଛି। ୬ ମାସ ହେଲା ବିଜେପି ଶାସନ କ୍ଷମତାରେ ରହିଥିଲେ ମଧ୍ୟ ଅଳିଆ ଗଦା ହଟାଇବା ଦିଗରେ କାଣିଚାଏ ବି ପଦକ୍ଷେପ ନିଆଯାଇ ନାହିଁ। ବରଂ ଅଳିଆ ଦୁର୍ଗନ୍ଧରେ ଦୁଇ ମାସ ହେଲା ସହରବାସୀ ଘାଣ୍ଟି ହେଉଛନ୍ତି।
ସହର ସାରା ଗନ୍ଧେଇବା ପରେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଗତ ସପ୍ତାହରେ ଅଳିଆ ଗଦା ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ମନ୍ତ୍ରୀ ଶ୍ରୀ ମହାପାତ୍ର ଆସୁଥିବା ଜାଣି ବିଏମ୍ସି ଅଧିକାରୀମାନେ ତତ୍ପରତାର ସହ ଦୁର୍ଗନ୍ଧ ରୋକିବାକୁ ପ୍ରୟାସ କରିଥିଲେ। ତଥାପି ମନ୍ତ୍ରୀ ଶ୍ରୀ ମହାପାତ୍ରଙ୍କୁ ଗନ୍ଧେଇଥିଲା ଦୁର୍ଗନ୍ଧ।ଅସନ୍ତୋଷ ଝାଡ଼ିବା ସହ ପଦକ୍ଷେପ ନେବାକୁ ଅଧିକାରୀମାାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବାବୁମାନେ ମଧ୍ୟ ତତ୍କ୍ଷଣାତ ଉତ୍ତର ରଖିଥିଲେ ସେ ମାସକ ମଧ୍ୟରେ ସବୁ କିଛି ଶେଷ କରିଦେବୁ। ଯେତେସବୁ ପ୍ରକଳ୍ପ ଚାଲିଛି ମାସକ ମଧ୍ୟରେ ଶେଷ ହୋଇଯିବ। କେବଳ ସେତିକି ନୁହେଁ, ବର୍ଷା ଋତୁ ଚାଲିଥିବାରୁ ଅଳିଆ ଦୁର୍ଗନ୍ଧ ହେଉଥିବା ବିଏମ୍ସି କମିସନର, ଡେପୁଟି କମିସନର, ମେୟର ପ୍ରମୁଖ ମନ୍ତ୍ରୀଙ୍କୁ ବୁଝାଇଥିଲେ।
ଦଶନ୍ଧିରେ ହେଲାନି, ମାସକରେ କେମିତି କରିବେ
ବଦଳିଗଲେଣି ୧୦ରୁ ଅଧିକ ବିଏମ୍ସି କମିସନର
ମନ୍ତ୍ରୀଙ୍କ ସମ୍ମୁଖରେ କହିଥିଲେ ଯେ ଘରୋଇ ବିପଜ୍ଜନକ ବର୍ଜ୍ୟବସ୍ତୁକୁ ବୈଜ୍ଞାନିକ ପଦ୍ଧତିରେ ନିଷ୍କାସନ ପାଇଁ ଟିଟିଏସ୍ରେ ଦୈନିକ ୧୦ ଟନ୍ ପ୍ଲାଜମା(ଟିପିଡି) ପ୍ରକ୍ରିୟାକରଣ ସୁବିଧା ପ୍ରତିଷ୍ଠା ହେଉଛି। ୧୫ ଟିପିଡି ସେମି-ଅଟୋମେଟିକ୍ ଏମ୍ଆରଏଫ୍ ସୁବିଧା ଜାନୁଆରିରେ କାର୍ଯ୍ୟକ୍ଷମ ହେବ। ଶୁଖିଲା ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପାଇଁ ପଳାଶୁଣିଠାରେ ୧୫୦ ଟିପିଡି ବିଶିଷ୍ଟ ସେମି-ସ୍ବୟଂଚାଳିତ ଏମ୍ଆରଏଫ୍ ସୁବିଧା ଜାନୁଆରି ସୁଦ୍ଧା କାର୍ଯ୍ୟକ୍ଷମ ହେବ। ଓଦା ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପାଇଁ ଅଏଲ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ କଂପ୍ରେସଡ୍ ବାୟୋ ଗ୍ୟାସ୍ ପ୍ଲାଣ୍ଟ ପ୍ରତିଷ୍ଠା ହୋଇଛି। ଏହା ୨୦୦ ଟିପିଡି ବିଶିଷ୍ଟ ଏବଂ ଏହାକୁ ୩୦୦ ଟିପିଡିକୁ ସମ୍ପ୍ରସାରଣ କରାଯାଇପାରିବ। ଦୈନିକ ୫୦୦ କେଜି ଫୁଲ ବର୍ଜ୍ୟ ପ୍ରକ୍ରିୟାକରଣ କ୍ଷମତା ବିଶିଷ୍ଟ ମେସିନ୍ ଜାନୁଆରିରେ କାର୍ଯ୍ୟକ୍ଷମ ହେବ। ଦୈନିକ ୨୦ରୁ ୨୫ ମେଟ୍ରିକ୍ ଟନ୍ ସବୁଜ ବର୍ଜ୍ୟ ପ୍ରକ୍ରିୟାକରଣ କରିବାକୁ ପଳାଶୁଣିଠାରେ ପ୍ରତିଷ୍ଠା କରାଯାଇଥିବା ବାୟୋମାସ୍ ବ୍ରିକେଟ୍ ପ୍ଲାଣ୍ଟ ୨୦୨୫ ଫେବ୍ରୁଆରିରୁ କାର୍ଯ୍ୟକ୍ଷମ ହେବ। ପଳାଶୁଣିଠାରେ ଦୈନିକ ୩ରୁ ୫ ଜହାର ନଡ଼ିଆ ବର୍ଜ୍ୟକୁ ପ୍ରକ୍ରିୟାକରଣ କରିବାକୁ ଏକ ୟୁନିଟ୍ ପ୍ରତିଷ୍ଠା ହେଉଛି, ଯାହାକି ଆସନ୍ତା ମାସରୁ କାର୍ଯ୍ୟକ୍ଷମ ହେବ। ପଳାଶୁଣୀରେ ୫ ମେଟ୍ରିକ୍ ଟନ୍ ଗୃହ ନିର୍ମାଣ ଓ ଭଗ୍ନାବଶେଷ ବର୍ଜ୍ୟବସ୍ତୁ ଏବଂ ୨.୫ ଟନ୍ କମ୍ ମୂଲ୍ୟଯୁକ୍ତ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁରୁ ପେଭର ବ୍ଲକ ଉତ୍ପାଦନ ପାଇଁ ଏକ ୟୁନିଟ୍ ପ୍ରତିଷ୍ଠା କରାଯିବ। ୫୦ ଟିପିଡି କ୍ଷମତା ବିଶିଷ୍ଟ ୬ଟି ବର୍ଜ୍ୟବସ୍ତୁ ସ୍ଥାନାନ୍ତର କେନ୍ଦ୍ର ବିଏମ୍ସି ଦ୍ବାରା ପ୍ରତିଷ୍ଠା କରାଯିବ ବୋଲି ସେମାନେ କହିଥିଲେ।
ସହର ମଧ୍ୟରୁ ଅଳିଆ ଗଦା ସ୍ଥାନାନ୍ତରକୁ ନେଇ ବର୍ତ୍ତମାନ ବିଏମ୍ସି କମିସନର ରାଜେଶ ପ୍ରଭାକର ପାଟିଲ୍ଙ୍କର ଏହା ପ୍ରଥମ ସୁନେଲି ସ୍ବପ୍ନ। ମାତ୍ର ପୂର୍ବରୁ ଯେଉଁମାନେ ବି ବିଏମ୍ସି କମିସନର ଦାୟିତ୍ବରେ ରହିଥିଲେ ସମସ୍ତେ ଭିନ୍ନ ଭିନ୍ନ ସମୟରେ ନୀଳ ନକ୍ସା ପ୍ରସ୍ତୁତ କରି ଅଞ୍ଚଳବାସୀଙ୍କୁ ଦେଇଛନ୍ତି। ବର୍ତ୍ତମାନର ସାଂସଦ ତଥା ତତ୍କାଳୀନ ବିଏମ୍ସି କମିସନର ଅପରାଜିତା ଷଡ଼ଙ୍ଗୀଙ୍କଠାରୁ ଆରମ୍ଭ କରି ବିଶାଳ ଦେବ, କ୍ରିଷନ୍ କୁମାର, ପ୍ରେମଚନ୍ଦ୍ର ଚୌଧୁରୀ, ସଞ୍ଜୟ ସିଂ, ବିଜୟ ଅମୃତ କୁଲାଙ୍ଗେଙ୍କ ପରି ୧୦ରୁ ଅଧିକ କମିସନର ଅଳିଆ ଗଦାକୁ ନେଇ ବଡ଼ ଘୋଷଣା କରିଛନ୍ତି। କେବେ ଆଳିଆ ଗଦା ସମ୍ପୂର୍ଣ୍ଣ ସ୍ଥାନାନ୍ତର କରିବାକୁ ପ୍ରତିଶ୍ରୁତି ତ ଆଉ କେବେ ସେଠାରେ ପାର୍କ ନିର୍ମାଣ କରିବାର ସ୍ବପ୍ନ ଦେଖାଇଛନ୍ତି। ମାତ୍ର ଏପର୍ଯ୍ୟନ୍ତ ଅଞ୍ଚଳବାସୀଙ୍କୁ ଅଳିଆ ଦୁର୍ଗନ୍ଧରୁ ନିସ୍ତାର ମିଳିନାହିଁ। ଏବେ କୁହାଯାଉଛି ଯେ ଜାନୁଆରି ସୁଦ୍ଧା ସବୁ ସାରିଦେବୁ। ତାହା କେତେ ସଫଳ ହେବ ସେନେଇ ଗାଡ଼କଣ, ଭିଏସ୍ଏସ୍ ନଗର ସମେତ ଆଖପାଖ ଆଞ୍ଚଳ ଲୋକେ ପ୍ରଶ୍ନ ଉଠାଇଛନ୍ତି।