ଓଡ଼ିଶାରେ ମଉଳୁଛି ମଞ୍ଚନାଟକ: ଆୟୋଜକଙ୍କୁ ବାଧୁଛି ପ୍ରେକ୍ଷାଳୟ ଭଡ଼ା
ଭୁବନେଶ୍ୱର: ନାଟକ ଜୀବନ। ଜୀବନ ହିଁ ନାଟକ। ନାଟକ ଆଗରେ ଘର, ଦ୍ବାର, ଧନ, ଯୌବନ ସବୁ କିଛି ତୁଚ୍ଛ। ଏମିତି ଚିନ୍ତାଧାରା ନେଇ ମଞ୍ଚ ନାଟକକୁ ଓଡ଼ିଶାରେ ସମୃଦ୍ଧ କରୁଥିବା ଅନୁଷ୍ଠାନମାନେ ଆଜି ଦୁଃସ୍ଥିତିରେ। ନାଟକ ଆୟୋଜନ ପାଇଁ ଆର୍ଥିକ ପ୍ରୋତ୍ସାହନ ମିଳୁ ନଥିବାରୁ ନିରୁତ୍ସାହିତ ନାଟ୍ୟକାର-ନିର୍ଦ୍ଦେଶକ-କଳାକାର। ପ୍ରବଳ ଇଚ୍ଛା ଶକ୍ତି ଥିଲେ ହେଁ ନାଟକ ମଞ୍ଚସ୍ଥ ପାଇଁ ଅନୁମତି ଦେଉନି ଆର୍ଥିକ ସଙ୍କଟ। ବର୍ଷକୁ ଥରେ ବହୁ କଷ୍ଟରେ ଯେଉଁମାନେ ନାଟକ କରିବାକୁ ମୁଣ୍ଡ ଟେକୁଛନ୍ତି ସେମାନଙ୍କୁ ନାଟକ ପରିବେଷଣ ଠାରୁ ପ୍ରେକ୍ଷାଳୟ ଭଡ଼ା ଅଧିକ ବାଧୁଛି। ଓଡ଼ିଶାରେ ୨ ଶହରୁ ଅଧିକ ନାଟ୍ୟାନୁଷ୍ଠାନ ମଧ୍ୟରୁ ଭୁବେନଶ୍ବରରେ ୫୦ରୁ ଅଧିକ ରହିଛି। ରାଜଧାନୀରେ ମାତ୍ର ୧୦ ଟି ଅନୁଷ୍ଠାନ ନାଟ୍ୟ ମହୋତ୍ସବ କରିବାରେ ସକ୍ଷମ ହେଉଛନ୍ତି। ଆର୍ଥିକ ସଙ୍କଟ ପାଇଁ କେହି କେହି ବର୍ଷକୁ ଗୋଟିଏ ମଧ୍ୟ ନୂଆ ନାଟକ କରିବାରେ ସଫଳ ହେଉନାହାନ୍ତି। ପ୍ରଥମତଃ ନାଟ୍ୟ ସଂସ୍ଥାମାନଙ୍କର ସେଭଳି ରୋଜଗାର ନାହିଁ। ଗୋଟେ ନୂଆ ନାଟକ କରିବାକୁ ଲକ୍ଷେରୁ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଗୋଟିଏ ରାଜ୍ୟ/ଜାତୀୟସ୍ତରୀୟ ନାଟ୍ୟ ମହୋତ୍ସବ କଲେ ୮ରୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ରାଜ୍ୟରେ ଥିବା ହାତଗଣତି କୋତୋଟି ଘରୋଇ ସଂସ୍ଥା ନାଟକ ପାଇଁ ସହଯୋଗ କରୁଛନ୍ତି। ତାହା ପୁଣି କିଛି ନିର୍ଦ୍ଦିଷ୍ଟ ଅନୁଷ୍ଠାନକୁ। ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଯେଉଁ ପ୍ରୋତ୍ସାହନ ରାଶି ଦେଉଛି ତାହା ମଧ୍ୟ ସମୁଦ୍ରକୁ ଶଙ୍ଖେ। ଜାତୀୟ ସ୍ତରର ନାଟ୍ୟ ମହୋତ୍ସବ ପାଇଁ ଲକ୍ଷେ ଟଙ୍କା ମିଳିବା ବଡ଼ କଥା। ଅନ୍ତତଃ ଖର୍ଚ୍ଚ ହେଉଥିବା ଅର୍ଥର ୫୦% ଦେବାକୁ ଦାବି ଦଶନ୍ଧି ଦଶନ୍ଧି ହେବ ହୋଇଆସୁଛି।
ଆୟୋଜକଙ୍କୁ ବାଧୁଛି ପ୍ରେକ୍ଷାଳୟ ଭଡ଼ା
ନିରୁତ୍ସାହିତ ନାଟ୍ୟକାର-ନିର୍ଦ୍ଦେଶକ-କଳାକାର
ନାଟକ ମଞ୍ଚସ୍ଥ ପାଇଁ ଅନୁମତି ଦେଉନି ଆର୍ଥିକ ସଙ୍କଟ
୨୦୦୬ ମସିହାରେ ନାଟକ ପରିବେଷଣ ପାଇଁ ସରକାର ପ୍ରେକ୍ଷାଳୟରେ ୫୦ % ସ୍ବତନ୍ତ୍ର ରିହାତି ବ୍ୟବସ୍ଥା କରିଥିଲେ। ଏହାର ସୁଯୋଗ ନେଇ ଅନେକ ନାଟ୍ୟ ଦଳ ନୂଆ ନୂଆ ନାଟକ ପରିବେଷଣ କଲେ। ଅଧିକ ନାଟକ ଲେଖାହେଲା। କଳାକାର କାମ ପାଇଲେ। ବେଶ୍ ସୁରୁଖୁରୁରେ ନାଟକ ମଞ୍ଚସ୍ଥ ହେଲା। ହେଲେ ୨୦୨୦ ମସିହା କରୋନା ସମୟରେ ସରକାର ଅନ୍ଲାଇନ୍ରେ ପ୍ରେକ୍ଷାଳୟ ବୁକିଂ ବ୍ୟବସ୍ଥା କଲେ। ଏହି ଦିନରୁ ସ୍ବତନ୍ତ୍ର ରିହାତିରେ ପୂର୍ଣ୍ଣଚ୍ଛେଦ ପଡ଼ିଲା। ଦୀର୍ଘ ୪ ବର୍ଷ ହେଲାଣି ନାଟୁଆମାନେ ସରକାରଙ୍କ ପାଖରେ ଯେତେ ମୁଣ୍ଡ ବାଡ଼େଇଲେ ବି ସରକାର ନିଦା ବିଷ୍ଣୁ। ଏବେ ରବୀନ୍ଦ୍ର ମଣ୍ଡପ ପାଇଁ ଦିନ ୧୦ରୁ ରାତି ୧୦ଟା ପାଇଁ ୧୭, ୫୦୦ ଟଙ୍କା ଦେୟ ରହିଛି। ଭଞ୍ଜକଳାମଣ୍ଡପରେ ୧୩ ହଜାର ପଡ଼ୁଛି। ବଡ଼ କଥା ହେଲା ଟିକେଟ୍ କଲେ ଅଧିକ ୪ ହଜାର ଟଙ୍କା ଦେବାକୁ ପଡ଼ୁଛି। ଯାହା ଆୟୋଜକଙ୍କୁ ହତାଶ କରିଛି। ଏନେଇ ‘ଶତାବ୍ଦୀର କଳାକାର’ ସମ୍ପାଦକ ତଥା କଳିଙ୍ଗ ନାଟ୍ୟ ସଂଘର ସଭାପତି ଧୀର ମଲ୍ଲିକ କହିଛନ୍ତି, ଓଡ଼ିଶାର କଳା, ସଂସ୍କୃତିକୁ ବଞ୍ଚାଇବା ପାଇଁ ସରକାରଙ୍କ ପ୍ରୋତ୍ସାହନ ଦରକାର। ସରକାର ପ୍ରୋତ୍ସାହନ ନଦେଲେ କିଛି ନାଟକ ମଞ୍ଚସ୍ଥ ହୋଇପାରେ ହେଲେ ପ୍ରଭାବୀ ହୋଇପାରିବ ନାହିଁ। ସରକାର ମଞ୍ଚନାଟକ ପାଇଁ ଓଡ଼ିଶାର ସବୁ ପ୍ରେକ୍ଷାଳୟକୁ ବିନା ଶୁଳ୍କରେ ଦିଅନ୍ତୁ। ନାଟ୍ୟ ନିର୍ଦ୍ଦେଶକ ତଥା ‘ରଙ୍ଗମ୍’ ନାଟ୍ୟାନୁଷ୍ଠାନର ମୁଖ୍ୟ ଦର୍ପନାରାୟଣ ସେଠୀ କହିଛନ୍ତି, ଓଡ଼ିଶାରେ ଆମ ଭଳି କିଛି ନାଟ୍ୟ ସଂସ୍ଥା ଟିକେଟ୍ ସୋ କରୁଛନ୍ତି। ଏନ୍ଏସ୍ଡି ତଥା କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟରେ ଟିକେଟ୍ କରୁଥିବା ନାଟ୍ୟଦଳ ଅଧିକ ପ୍ରୋତ୍ସାହନ ପାଉଛି। ହେଲେ ଓଡ଼ିଶାରେ ପ୍ରୋତ୍ସାହନ ବଦଳରେ ପ୍ରେକ୍ଷାଳୟ ପାଇଁ ଅଧିକ ୪ ହଜାର ନିଆଯିବା କେତେଦୂର ଠିକ୍ ସରକାର ବିଚାର କରନ୍ତୁ। ‘ଜୀବନରେଖା’ର ମୁଖ୍ୟ ତଥା ନାଟ୍ୟ ନିର୍ଦ୍ଦେଶକ ଅଭିନ୍ନ ରାଉତରାୟ କହିଛନ୍ତି, ଯେଉଁମାନେ ଟିକେଟ୍ ସୋ’ କରୁଛନ୍ତି ସେମାନଙ୍କ ନାଟକ ସେତିକି ବଳିଷ୍ଠ। ଟିକେଟ୍ କଲେ ବି ନାଟକରେ ଖର୍ଚ୍ଚ ହେଉଥିବା ଟଙ୍କାର ୫୦% ବି ଉଠୁନାହିଁ। ତେଣୁ ସରକାର ପ୍ରୋତ୍ସାହନ ଦିଅନ୍ତୁ।