ପାଇପ୍ ରନ୍ଧନ ଗ୍ୟାସ୍ ଦର କମିଲା: ଉପକୃତ ହେବେ ୧୮ ହଜାର ଗ୍ରାହକ
ଭୁବନେଶ୍ବର: ରୋଷେଇ ଲାଗି ପାଇପ୍ ଜରିଆରେ ଗ୍ରାହକଙ୍କୁ ପ୍ରଦାନ କରାଯାଉଥିବା ଘରୋଇ ପିଏନ୍ଜି ଗ୍ୟାସ୍ର ଦର ହ୍ରାସ ପାଇଛି। ଗେଲ୍ (ଇଣ୍ଡିଆ) ଲିମିଟେଡ୍ ପକ୍ଷରୁ ଭୁବନେଶ୍ବର ଓ କଟକର ପାଇପ୍ ଗ୍ୟାସ୍ ଗ୍ରାହକମାନଙ୍କ ଲାଗି ଦର କମ୍ କରାଯାଇଛି। ଗତ ଦୁଇ ମାସରେ ଦ୍ବିତୀୟ ଥର ଲାଗି ପାଇପ୍ ଗ୍ୟାସ୍ ଶସ୍ତା ହୋଇଛି। ଚଳିତ ବର୍ଷ ଅକ୍ଟୋବରରେ ଭୁବନେଶ୍ବରରେ ପାଇପ୍ ଗ୍ୟାସ୍ର ୟୁନିଟ୍ ପିଛା ଦାମ୍ ୫୭ ଟଙ୍କା ୧୮ ପଇସା ଓ କଟକରେ ୫୭ ଟଙ୍କା ୨୧ ପଇସା ଥିଲା। ଡିସେମ୍ବର ୧୬ରୁ ତାହା ୪୮ ଟଙ୍କା ୩୩ ପଇସା ଓ ୪୮ ଟଙ୍କା ୩୬ ପଇସାକୁ ହ୍ରାସ ପାଇବ। ଏହି ନିଷ୍ପତ୍ତି ଯୋଗୁଁ ଭୁବନେଶ୍ବର ଓ କଟକର ୧୮ ହଜାରରୁ ଅଧିକ ଗ୍ରାହକ ଉପକୃତ ହେବେ। ସେମାନଙ୍କୁ କମ୍ ଦାମ୍ରେ ଗ୍ୟାସ୍ ମିଳିବ।
ଗେଲ୍ ପକ୍ଷରୁ ପାଇପ୍ ଗ୍ୟାସ୍ ଦାମ୍ରେ ପ୍ରାୟ ୧୬ ପ୍ରତିଶତ ହ୍ରାସ କରାଯାଇଛି ଯାହା ସିଏସ୍ଏମ୍ ପିଛା ୮ ଟଙ୍କା ୮୫ ପଇସା ରହିଛି। ବର୍ତ୍ତମାନ କମ୍ପାନିର ଭୁବନେଶ୍ବରରେ ୧୨,୦୦୦ରୁ ଅଧିକ ଓ କଟକରେ ୬୦୦୦ରୁ ଅଧିକ ପାଇପ୍ ଗ୍ୟାସ୍ ଗ୍ରାହକ ରହିଛନ୍ତି। ଆସନ୍ତା ମାର୍ଚ୍ଚ ସୁଦ୍ଧା ଏହି ଦୁଇ ସହରରେ ୫୦୦୦ ନୂଆ ଗ୍ରାହକ ସୃଷ୍ଟି ହେବେ ବୋଲି କମ୍ପାନି ଆଶା କରୁଛି। ଭୁବନେଶ୍ବରରେ ୫୦,୦୦୦ ଓ କଟକରେ ୨୫୦୦୦ରୁ ଅଧିକ ଗ୍ରାହକଙ୍କୁ ପାଇପ୍ ଜରିଆରେ ଗ୍ୟାସ୍ ଯୋଗାଣ ଲାଗି କମ୍ପାନି ଭିତ୍ତିଭୂମି ପ୍ରସ୍ତୁତ କରିସାରିଛି।