ଓଡ଼ିଶା ପ୍ରକାଶକ ସଂଘର ବାର୍ଷିକ ସମାରୋହ: ‘ଡିଜିଟାଲ୍ ମାଧ୍ୟମକୁ ନେଇ ଆତଙ୍କିତ ହେବା ନାହିଁ’
ଭୁବନେଶ୍ବର: ମୁଦ୍ରଣ, ପରିପାଟୀ ଓ ପ୍ରଚାର ଦୃଷ୍ଟିରୁ ଓଡ଼ିଆ ପ୍ରକାଶନ ଏବେ ବିଶ୍ବସ୍ତରର ପ୍ରକାଶନ ସଂସ୍ଥା ସହ ତାଳ ଦେଉଛି। ନୂଆ ପିଢ଼ିର ପ୍ରକାଶକମାନେ ଯେଉଁ ଭଳି ଢଙ୍ଗରେ ପୁସ୍ତକ ପ୍ରକାଶ କରୁଛନ୍ତି ତାହା କୌଣସି ଗୁଣରେ ବିଶ୍ବ ମାନଠାରୁ କମ ନୁହେଁ। ତେବେ ଗୋଟିଏ ଦଶନ୍ଧି ଧରି ଓଡ଼ିଶାର ପ୍ରକାଶନ କ୍ଷେତ୍ରରେ ଯେଉଁ ଅଭ୍ୟୁଦୟ ହୋଇଛି ତାହା ଯଦି ୩୦ ବର୍ଷ ଆଗରୁ ହୋଇଥାଆନ୍ତା ତେବେ ଗୋଟିଏ ପିଢ଼ିକୁ ଆମେ ପୁସ୍ତକ ଆଡ଼କୁ ଆକର୍ଷିତ କରି ପାରିଥାଆନ୍ତେ ବୋଲି ରାଜ୍ୟ ପୁସ୍ତକ ମେଳା ‘ସାତକଡ଼ି ହେତା ମଞ୍ଚ’ରେ ଆୟୋଜିତ ଓଡ଼ିଶା ପ୍ରକାଶକ ସଂଘର ବାର୍ଷିକ ସମାରୋହରେ ଉଦ୍ଘାଟକ ଭାବେ ଯୋଗଦେଇ କହିଛନ୍ତି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ।
‘ଡିଜିଟାଲ ଯୁଗରେ ଛାପା ପୁସ୍ତକର ଭବିଷ୍ୟତ’ ଶୀର୍ଷକ ଆଲୋଚନାରେ ଶ୍ରୀ ପଟ୍ଟନାୟକ ଆହୁରି କହିଲେ, ସେ ଏକବିଂଶ ଶତାବ୍ଦୀର ଓଡ଼ିଆ ପ୍ରକାଶନ ଶିଳ୍ପକୁ ନେଇ ଆଶାବାଦୀ ଅଛନ୍ତି। ଯୁଗେଯୁଗେ ପୁସ୍ତକର ଆଦର କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ସୀମିତ ଥିଲା। ଛାପାକଳ ଊନବିଂଶ ଶତାବ୍ଦୀରେ ଓଡ଼ିଶାକୁ ଆସିଲା, କିନ୍ତୁ ତା ପୂର୍ବରୁ ହଜାର ହଜାର ବର୍ଷ ଧରି ଓଡ଼ିଆ ଭାଷା ଓ ସାହିତ୍ୟ ବଞ୍ଚି ରହିଛି। ଏଣୁ ଡିଜିଟାଲ୍ ମାଧ୍ୟମକୁ ନେଇ ଆମେ ଆଦୌ ଆତଙ୍କିତ ହେବାନାହିଁ ବୋଲି ସେ କହିଥିଲେ।
‘ସୃଜନ ପାଇଁ ପୁସ୍ତକ ହିଁ ସର୍ବଶ୍ରେଷ୍ଠ ମାଧ୍ୟମ’
ମୁଖ୍ୟଅତିଥି ବିଶିଷ୍ଟ କବି ଓ ଚିନ୍ତକ ହରପ୍ରସାଦ ଦାସ କହିଥିଲେ, ଡିଜିଟାଲ ମାଧ୍ୟମ କେବେ ବି ମୁଦ୍ରଣର ବିକଳ୍ପ ହୋଇପାରିବ ନାହିଁ। ଡିଜିଟାଲ ମାଧ୍ୟମ ସୂଚନା ଓ ତଥ୍ୟ ଦେବ, କିନ୍ତୁ ସୃଜନ ପାଇଁ ପୁସ୍ତକ ହିଁ ସର୍ବଶ୍ରେଷ୍ଠ ମାଧ୍ୟମ। ଡିଜିଟାଲ ମାଧ୍ୟମରୁ ମଣିଷ ପୁଣି ମୁଦ୍ରିତ ଯୁଗକୁ ଲେଉଟିବ ବୋଲି ଶ୍ରୀ ଦାସ ଆଶାବ୍ୟକ୍ତ କରିଥିଲେ। ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବିଶିଷ୍ଟ ଔପନ୍ୟାସିକ କାଳନ୍ଦୀ ସାମଲ କହିଥିଲେ ଯେ ଭାଗବତ ଭଳି ବହି ଓଡ଼ିଆଙ୍କ ଘରେଘରେ ସ୍ଥାନ ପାଉଛି। ଧର୍ମ ଓ ପାରମ୍ପରିକ କାର୍ଯ୍ୟରେ ଏବେ ବି ବହି ପ୍ରାଧାନ୍ୟ ପାଉଛି। ଓଡ଼ିଶା ପ୍ରକାଶକ ସଂଘର ସଭାପତି କ୍ଷୀରୋଦ ଚନ୍ଦ୍ର ପତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ଅନୁଷ୍ଠାନର ସମ୍ପାଦକ ଶୁଭ୍ରାଂଶୁ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ସଂଘର ଦୁଇ ଉପସଭାପତି ବନୋଜ ତ୍ରିପାଠୀ ଓ ସରୋଜ ବଳ ବକ୍ତବ୍ୟ ରଖିଥିଲେ। ଅନ୍ୟତମ ସଦସ୍ୟ ତୁଷାର ବରଣ ସାହୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଅଂଶୁମାନ ସାହୁଙ୍କ ସଂଯୋଜନାରେ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ସଂଘର ସଦସ୍ୟ ରଶ୍ମିରଞ୍ଜନ ସ୍ବାଇଁ ଅଧ୍ୟକ୍ଷତା କରିଥିବାବେଳେ ପବିତ୍ର ବ୍ରହ୍ମପୁତ୍ର ନାୟକ ବକ୍ତବ୍ୟ ରଖିଥିଲେ। ୫୦ରୁ ଅଧିକ କବି ସ୍ବରଚିତ କବିତା ଆବୃତ୍ତି କରିଥିଲେ।