କୁଆଡ଼େ ଗଲା ବିଏମ୍ସି ଟଙ୍କା? ସରକାର ମାଗିଲେ ହିସାବ, କେମିତି ଖର୍ଚ୍ଚ କଲ କୁହ
ଭୁବନେଶ୍ବର: ବିଏମ୍ସି କପର୍ଦ୍ଦକ ଶୂନ୍ୟ। ନିଜ ପାଣ୍ଠିରୁ ସରକାରଙ୍କ ବିଭିନ୍ନ ପ୍ରକଳ୍ପରେ ସବୁ ଖର୍ଚ୍ଚ କରିଦେଇଛି। ଏଣୁ ଏବେ ଆଉ ଜନହିତକର ପ୍ରକଳ୍ପ ପାଇଁ ଅର୍ଥ ନାହିଁ। ଯେତିକି ପୁରୁଣା ଥିଲା ସେ ସବୁ ପ୍ରକଳ୍ପ ପ୍ରଭାବିତ ହୋଇଛି ଏବଂ ନୂଆ ପ୍ରକଳ୍ପ ପାଇଁ କାର୍ଯ୍ୟାଦେଶ ଦିଆଯାଇ ପାରୁନି। ଖର୍ଚ୍ଚ ହୋଇଥିବା ଅର୍ଥ ପ୍ରଦାନ କରିବାକୁ ବିଏମ୍ସି ସରକାରଙ୍କୁ ଚିଠି ଲେଖି ବସିଯାଇଛି। କେବଳ ଚିଠି ହଲେଖି ବସିଯାଇନି ବରଂ ବିଭିନ୍ନ ସମୟରେ ସରକାର ଅର୍ଥ ଦେଉ ନାହାନ୍ତି ବୋଲି ନେତା ଗଣମାଧ୍ୟମରେ କହୁଛନ୍ତି। ଏମିତି ପ୍ରତୀୟମାନ ହେଉଛି କି ସରକାର ଅର୍ଥ ଦେଉନଥିବାରୁ ଭୁବନେଶ୍ବରରେ ଜନହିତକର କାର୍ଯ୍ୟ ହୋଇ ପାରୁନି। ଏଥିପାଇଁ ସରକାର ଦୋଷୀ।
କିନ୍ତୁ ଅସଲ କଥା ଭିନ୍ନ। କେଉଁ ପ୍ରକଳ୍ପରେ କଣ ଖର୍ଚ୍ଚ କରିଛ ତାହାର ହିସାବ ମାଗିଛନ୍ତି ରାଜ୍ୟ ସରକାର। ତା ସହିତ ଖର୍ଚ୍ଚ କରିବା ପୂର୍ବରୁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଠାରୁ ନେଇଥିବା ସ୍ବୀକୃତିପତ୍ର ଓ ପ୍ରକଳ୍ପ ସବୁର ସମାପ୍ତି ପ୍ରମାଣପତ୍ର ତଲବ କରିଛନ୍ତି। ଏ ସବୁକୁ ତର୍ଜମା କରିବା ପରେ ସରକାର ଅର୍ଥ ପୈଠ କରିବେ ବୋଲି କହିଛନ୍ତି। ଏହି ଚିଠି ପାଇବା ପରେ ବିଏମ୍ସିର ଅକଲ ଗୁଡ଼ୁମ୍ ହୋଇଛି। ଉତ୍ତର ଦେଇ ପାରୁନି। ବାସ୍ତବରେ ସରକାରଙ୍କ ବିନା ସ୍ବୀକୃତିରେ କୋଟି କୋଟି ଟଙ୍କା ବରବାଦ କରିଦିଆଯାଇଛି। ଏହି ବରବାଦ ପଛର ମୁଖ୍ୟ ନାୟକ ସିଟି ଇଞ୍ଜିନିୟର ବୋଲି ଦର୍ଶାଇ ତାଙ୍କୁ ବିଏମ୍ସିରୁ ବିଦା କରିବା ପାଇଁ କର୍ପୋରେଟରମାନେ ଗତ କର୍ପୋରେସନ ବୈଠକରେ ହୋ ହଲ୍ଲା କରିଥିଲେ। ଏବେ ସରକାରଙ୍କ ଚିଠି ବିଏମ୍ସିରେ ପହଞ୍ଚିବା ଓ ବିଏମ୍ସି ଉତ୍ତର ଦେଇ ନପାରିବା ଘଟଣା କର୍ପୋରେଟରଙ୍କ ଅଭିଯୋଗକୁ ପ୍ରମାଣିତ କରିଛି। ଜାଗା ମିସନରେ ବିଏମ୍ସି ୭୪୨ ପ୍ରକଳ୍ପ ପ୍ରସ୍ତୁତ କରିଥିବା ଦର୍ଶାଇ ସରକାରଙ୍କୁ ଗତ ୪ ତାରିଖରେ ଚିଠି ଲେଖିଥିଲା। ପ୍ରକଳ୍ପରେ ହୋଇଥିବା ଖର୍ଚ୍ଚ ପ୍ରଦାନ କରିବାକୁ ମୁଖ୍ୟ ବିତ୍ତ ଅଧିକାରୀ(ସିଏଫ୍ଓ) ଜାଗା ମିସନ ନିର୍ଦ୍ଦେଶକଙ୍କୁ ଲେଖିଥିଲେ। ଏହି ପ୍ରକଳ୍ପରେ ଜାଗା ମିସନ ଅଧିନରେ ଭୂମି ଅଧିକାର ପ୍ରମାଣପତ୍ର(ଏଲ୍ଆର୍ସି) ବଣ୍ଟାଯିବା ସହ ବସ୍ତିରେ ଡ୍ରୋନ୍ ସର୍ଭେ, ଘରଘର ବୁଲି ସର୍ଭେ, ଉଷା ସର୍ଭେ ଭଳି କାର୍ଯ୍ୟ ରହିଥିଲା। ତା’ ସହିତ ଏଲ୍ଆରସି ବାଣ୍ଟିବା ପାଇଁ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମ ବାବଦକୁ ଖର୍ଚ୍ଚ ମଧ୍ୟ ରହିଥିଲା। କିନ୍ତୁ ପ୍ରକଳ୍ପ ସମାପ୍ତି ପ୍ରମାଣପତ୍ର ନଥିଲା କିମ୍ବା ପ୍ରକଳ୍ପ ପ୍ରସ୍ତୁତ କରିବା ପୂର୍ବରୁ ଖର୍ଚ୍ଚର ସ୍ବୀକୃତିପତ୍ର ନଥିଲା।
ସରକାର ମାଗିଲେ ହିସାବ, କେମିତି ଖର୍ଚ୍ଚ କଲ କୁହ
ଅଧିକାଂଶ ପ୍ରକଳ୍ପର ସରକାରୀ ସ୍ବୀକୃତି ନାହିଁ
ପ୍ରସ୍ତୁତ ହୋଇପାରୁନି କାର୍ଯ୍ୟ ସମାପ୍ତି ପ୍ରମାଣପତ୍ର
ୱାର୍ଡ ବଜେଟ୍ରେ ବି ପାତରଅନ୍ତର
ଏହା ଛଡ଼ା କଚ୍ଚା-ପକ୍କା ରାସ୍ତାରେ ମଧ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବିଏମ୍ସି ଦର୍ଶାଇଛି। ସରକାର ଏଥିପାଇଁ ଅର୍ଥ ପ୍ରଦାନ କରିଥା’ନ୍ତେ। କିନ୍ତୁ ନ କରିବାରୁ ଏହି ପ୍ରକଳ୍ପ ମଧ୍ୟ ଅଟକି ଯାଇଛି। କିନ୍ତୁ ଯେଉଁ ଅର୍ଥ ଖର୍ଚ୍ଚ ହୋଇଛି ତାହାର ମଧ୍ୟ ହିସାବ ନାହିଁ। କାର୍ଯ୍ୟ ଅଧିକାଂଶ କାର୍ଯ୍ୟ ସରି ନଥିବାରୁ ସମାପ୍ତି ପ୍ରମାଣପତ୍ର ପ୍ରସ୍ତୁତ ହୋଇନାହିଁ। କେବଳ ଏହି ଦୁଇଟି ପ୍ରକଳ୍ପ ନୁହେଁ, ବରଂ ଯେତେ ସବୁ ପ୍ରକଳ୍ପରେ ସରକାରୀ ଅନୁଦାନ ଖର୍ଚ୍ଚ ହୋଇଛି ସେ ସବୁର ବିବରଣୀ ସରକାର ତଲବ କରିଛନ୍ତି। ଅଧିକାଂଶ ପ୍ରକଳ୍ପରେ ଖର୍ଚ୍ଚ ହେବା ପୂର୍ବରୁ ଆବଶ୍ୟକୀୟ ସ୍ବୀକୃତି ନିଆଯାଇ ନଥିବା ଅଭିଯୋଗ ହୋଇଛି। ଏତିକିରେ କଥା ସରିନି। ୱାର୍ଡ ବଜେଟ୍ ପାଇଁ ଏବେ ଟଣାଓଟରା ଆରମ୍ଭ ହୋଇଛି। ଅର୍ଥ ନଥିବା କହି ବିଏମ୍ସି ୱାର୍ଡ ବଜେଟ୍ ଦେଉନାହିଁ। ଫଳରେ ଅନେକ ଟେଣ୍ଡର ହୋଇଥିଲେ ମଧ୍ୟ କାର୍ଯ୍ୟାଦେଶ ଦିଆଯାଇପାରୁନି। ବରଂ ପୁରୁଣା ଟେଣ୍ଡର ସବୁକୁ ବାତିଲ୍ କରିଦେବାକୁ ବସିଛି ବିଏମ୍ସି। କିନ୍ତୁ କିଛି ୱାର୍ଡକୁ ଅନୁଦାନ ମିଳିଛି। ଏହାକୁ ନେଇ ବିବାଦ ଉଗ୍ରରୂପ ନେଇଛି। ସବୁ ବାତିଲ୍ ହୋଇଗଲେ ଆର ବର୍ଷକୁ ଏହାର ପରିମାଣ ବଢ଼ିଯିବ। ବିଏମ୍ସି ଖର୍ଚ୍ଚାନ୍ତ ହେବ। ଏ ନେଇ ନୃପେଶ ନାୟକ କହିଛନ୍ତି, ପ୍ରବଳ ବର୍ଷାରେ ଅନେକ ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ତୁରନ୍ତ ମରାମତି ଆବଶ୍ୟକ ହେଉଛି। ଆମ ୱାର୍ଡରେ ୪୨.୩୭ ଲକ୍ଷ ଟଙ୍କାର ଟେଣ୍ଡର ହୋଇଛି। କିନ୍ତୁ ବଜେଟ୍ ଦିଆଯାଉନି। ୬୭ ୱାର୍ଡରେ ପ୍ରାୟ ୭୦ କୋଟିର ବଜେଟ୍ ରହିଛି। ଏହା ବାତିଲ୍ ହେଲେ ପରବର୍ତ୍ତୀ ବର୍ଷରେ ବିଏମ୍ସି ଅତିରିକ୍ତ ୨୦ କୋଟିର ବୋଝ ସହିବ। ଏଣୁ ବିଏମ୍ସି ଏହି ୱାର୍ଡ ବଜେଟ୍ ପ୍ରଦାନ କରୁ ବୋଲି ସେ କହିଛନ୍ତି। ଅନ୍ୟପଟେ ଜଣେ ବରିଷ୍ଠ ଇଞ୍ଜିନିୟର କହିଛନ୍ତି, ସରକାରଙ୍କ ଚିଠିର ଉତ୍ତର ରଖାଯାଉଛି। ସବୁ ଖର୍ଚ୍ଚର ତଥ୍ୟ ଆମ ପାଖେ ଅଛି।