ଖେଳ

ବୁମ୍‌ରା ବିସ୍ଫୋରଣ ସତ୍ତ୍ବେ ଅଷ୍ଟ୍ରେଲିଆ ଦୃଢ଼: ସ୍ମିଥ୍‌-ହେଡ୍‌ଙ୍କ ଦ୍ବିଶତକ ଭାଗୀଦାରି ଅଷ୍ଟ୍ରେଲିଆ ୪୦୫/୭

ବ୍ରିସବେନ୍‌: ବର୍ଡର ଗାଭାସ୍କର ଟ୍ରଫି ଶୃଙ୍ଖଳାର ତୃତୀୟ ଟେଷ୍ଟ୍‌ ପ୍ରଥମ ଦିନ ବର୍ଷାରେ ବିତିଥିଲା। ରବିବାର ଦ୍ବିତୀୟ ଦିନ କିନ୍ତୁ ଯଶପ୍ରୀତ୍ ବୁମ୍‌ରା ବିସ୍ଫୋରଣରୁ ଆରମ୍ଭ ହୋଇଥିଲା। ରବିବାର ଖେଳ ବନ୍ଦ ବେଳକୁ ବୁମ୍‌ରା ୫ ୱିକେଟ୍ ସଫଳତା ପାଇଛନ୍ତି ସତ କିନ୍ତୁ ଷ୍ଟିଭେନ୍ ସ୍ମିଥ୍‌ ଓ ଟ୍ରାଭିସ୍ ହେଡ୍‌ଙ୍କ ଦ୍ବିଶତକ ଭାଗୀଦାରି କାରଣରୁ ଅଷ୍ଟ୍ରେଲିଆ ୭ ୱିକେଟ୍ ହରାଇ ୪୦୫ ରନ୍ ସଂଗ୍ରହ କରି ନେଇଛି। ଏଥି ସହ ଭାରତୀୟ ଦଳ ଉପରେ ଚାପ ବଢ଼ିଛି।

ରବିବାର ସକାଳେ ଅଷ୍ଟ୍ରେଲିଆ ୨୮/୦ରୁ ଖେଳ ଆରମ୍ଭ କରିବା ମାତ୍ରେ ବୁମରାଙ୍କ ବୋଲିଂ ବିସ୍ଫୋରଣ ଆରମ୍ଭ ହୋଇଯାଇଥିଲା। ଦୁଇ ପ୍ରାରମ୍ଭିକ ଯୋଡ଼ି ଉସମାନ ଖୱାଜା (୨୧) ଓ ନାଥନ୍ ମ୍ୟାକସ୍ବିନୀ (୯)ଙ୍କୁ ସେ ନିଜର ଲଗାତାର ଓଭରରେ ପ୍ୟାଭିଲିଅନ୍ ରାସ୍ତା ‌ଦେଖାଇଥିଲେ। ଖୱାଜାଙ୍କୁ ୱିକେଟ୍‌ ପଛପଟେ ପନ୍ତ ଓ ମ୍ୟାକସ୍ବିନୀଙ୍କୁ ସ୍ଲିପ୍‌ରେ କୋହଲି କ୍ୟାଚ୍‌ ଧରି ବିଦା କରିଥିଲେ। ଏହାର ଘଣ୍ଟାକ ପରେ ମାର୍ନସ ଲବୁସାନ୍ (୧୨)ଙ୍କୁ ନୀତୀଶ ରେଡ୍ଡୀ ମଧ୍ୟ କୋହଲିଙ୍କ ହାତରେ କ୍ୟାଚ୍‌ କରାଇ ନେଇଥିଲେ। ଅଷ୍ଟ୍ରେଲିଆ ହଠାତ୍‌ ୭୫/୩ରେ ପହଞ୍ଚିଯାଇଥିଲା। ଏହା ପରଠାରୁ ଭାରତୀୟ ବୋଲର ୱିକେଟ୍ ଦଖଲ କରିବା ଭୁଲିଯାଇଥିଲେ। ଟ୍ରାଭିସ୍ ହେଡ୍‌ ତାଙ୍କ ଚିରାଚରିତ ଭାରତୀୟ ବୋଲରଙ୍କୁ ଧୂ‌ଲେଇ ଅଭ୍ୟାସ ଆରମ୍ଭ କରି ଦେଇଥିଲେ। ଢେର ସଂଘର୍ଷ କରିବା ପରେ ସ୍ମିଥ୍ ବି ପାଳି ଗଢ଼ିବା କାମରେ ଲାଗି ପଡ଼ିଥିଲେ। ଉଭୟ ଚତୁର୍ଥ ୱିକେଟ୍‌ ପାଇଁ ୩୦୩ ବଲ୍‌ରୁ ୨୪୧ ରନ୍ ଆଦାୟ କରି ଭାରତୀୟ ବୋଲରଙ୍କୁ ନୟାନ୍ତ କରିଥିଲେ।

ହେଡ୍ କ୍ରମାଗତ ଟେଷ୍ଟ୍‌ରେ ୧୫୦+ ସ୍କୋର୍‌ କରିଥିବା ବେଳେ ସ୍ମିଥ୍ ବହୁ ପ୍ରତୀକ୍ଷିତ ଶତକ ହାସଲ କରିଥିଲେ। ୧୯୦ ବଲ୍‌ ଖେଳି ସ୍ମିଥ୍‌ ୧୦୧ ରନ୍ କରିଥିଲେ। ଏହା ଥିଲା ତାଙ୍କ ୩୩ତମ ଟେଷ୍ଟ୍ ଶତକ। ହେଡ୍‌ ୧୬୦ ବଲ୍‌ରୁ ୧୫୨ ରନ୍ ସଂଗ୍ରହ କରିବା ସହ ନବମ ଶତକ ପୂର୍ଣ୍ଣ କରିଥିଲେ। ଦ୍ବିତୀୟ ନୂଆ ବଲ୍ ଆଣିବା ମାତ୍ରେ ବୁମ୍‌ରା ପୁଣି ତାଙ୍କ କମାଲ ‌ଦେଖାଇଥିଲେ। ଉଭୟ ସ୍ମିଥ୍ ଓ ହେଡଙ୍କୁ ଆଉଟ୍ କରିବା ସହ ଚଳିତ ଗସ୍ତରେ ଦ୍ବିତୀୟ ୫ ୱିକେଟ୍ ସଫଳତା ବି ଅର୍ଜନ କରିନେଇଥିଲେ। ଭାରତ ଟିକିଏ ଆଶ୍ବସ୍ତ ହୋଇଥିଲେ ମଧ୍ୟ ସେତେବେଳକୁ ବ୍ୟାକ୍‌ଫୁଟ୍‌କୁ ଯାଇ ସାରିଥିଲା। ଶେଷ ଭାଗରେ ଆଲେକ୍ସ କ୍ୟାରି (୪୭ ବଲ୍‌ରୁ ୪୫*) ଘ‌ରୋଇ ଦଳକୁ ୪୦୦ ପାର କରାଇଥିଲେ। ୱିକେଟ୍‌ଟିଏ ପାଇଁ ସଂଘର୍ଷ କରିବା ପରେ ମହମ୍ମଦ ସିରାଜ ଶେଷକୁ ପ୍ୟାଟ୍ କମିନ୍ସ (୨୦ ରନ୍)ଙ୍କୁ ଆଉଟ୍ କରିଥିଲେ। ସମ୍ପୂର୍ଣ୍ଣ ଦିନରେ ଅଷ୍ଟ୍ରେଲିଆ ୩୭୭ ରନ୍ (୮୭.୪ ଓଭର) ସଂଗ୍ରହ କରିଥିଲା। କେବଳ ଶେଷ ସେସନ୍‌ରେ ଦଳ ୩୧ ଓଭରରେ ୧୭୧ ରନ୍ ଯୋଡ଼ିବା ବଡ଼ ଫରକ ପକାଇବାକୁ ଯାଉଛି। ମହମ୍ମଦ ସିରାଜ, ଆକାଶଦୀପ, ନୀତୀଶ ରେଡ୍ଡୀ ବିଗିଡ଼ା ଲେନ୍‌ଥରେ ବୋଲିଂ କରିବା ଏବଂ ରବୀନ୍ଦ୍ର ଜାଡ଼େଜାଙ୍କ ସଂଘର୍ଷ ଅଷ୍ଟ୍ରେଲିଆକୁ ଅଧିକ ଫାଇଦା ଦେଇଛି।

ସଂକ୍ଷିପ୍ତ‌ ସ୍କୋର: ଅଷ୍ଟ୍ରେଲିଆ ପ୍ରଥମ ପାଳି: ୧୦୧ ଓଭରରେ ୪୦୫/୭ (ଟ୍ରାଭିସ୍ ହେଡ୍‌-୧୫୨, ଷ୍ଟିଭେନ୍ ସ୍ମିଥ୍‌-୧୦୧, ଆଲେକ୍ସ କ୍ୟାରି-୪୫*, ଯଶପ୍ରୀତ୍ ବୁମରା-୫/୭୨, ନୀତୀଶ କୁମାର ରେଡ୍ଡୀ-୧/୬୫, ମହମ୍ମଦ ସିରାଜ-୧/୯୭)।

Related Articles

Leave a Reply

Your email address will not be published. Required fields are marked *

Back to top button