ଶ୍ରାବଣ ମାସର ପ୍ରଥମ ସୋମବାରରେ ଶିବ ଶଙ୍କରଙ୍କୁ ଜଳାଭିଷେକ ପାଇଁ ହରିଶଙ୍କରରେ କାଉଡିଆଙ୍କ ଭିଡ଼
ବଲାଙ୍ଗିର : ଆଜି ଶ୍ରାବଣ ମାସର ପ୍ରଥମ ସୋମବାର ହୋଇଥିବାରୁ ରାଜ୍ୟର ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଜଳାଭିଷେକ ଅନୁଷ୍ଠିତ ହେଉଛି । ପଶ୍ଚିମ ଓଡ଼ିଶାର ପ୍ରମୁଖ ଶୈବପୀଠ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ଠାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ପରିଲକ୍ଷିତ ହେଉଛି। ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ପାପନାସିନୀ ଝରଣାରେ ସ୍ନାନ କରି ଜଳ ଉଠାଇ ମନ୍ଦିରକୁ ଯାଇ ଧୂପଦୀପ, ଫୁଲ, ଚନ୍ଦନ, ସିନ୍ଦୁର ସହ ବେଲପତ୍ର ଦେଇ ଦେବଦେବ ମହାଦେବଙ୍କୁ ପୂଜାର୍ଚ୍ଚନା କରିବା ପରେ ଶିବପଞ୍ଚାକ୍ଷର ଗାନ କରି ମହାଦେବଙ୍କୁ ଜଳାଭିଷେକ କରିଥିଲେ । ପ୍ରଭୁଙ୍କ ଉପରେ ପାଣି ଢ଼ାଳିବା ପାଇଁ ବାହୁଙ୍ଗି ଭାର ଧରି ରାସ୍ତାରେ ବୋଲ ବମ୍ ହର୍ହର୍ ବମ୍ ଧ୍ଵନୀର ତାଳେ ତାଳେ ଚାଲିଥିଲେ । କାଉଡ଼ିଆମାନଙ୍କ ବୋଲ୍ ବମ୍ ହର୍ ହର୍ ବମ୍, ବାବାମଣି ନିଅ ଟାଣି, ହରିଶଙ୍କର ବାବା ପାର କରେଗା, ଜଟିଆଧାରି ପାର କରେଗା ଆଦି ଧ୍ଵନୀରେ ଗଗନ ପବନ ମୁଖରିତ ହୋଇଥିବା ବେଳେ ଏକ ସାତ୍ଵିକ ବାତାବରଣ ସୃଷ୍ଟି ହୋଇଥିଲା । କାଉଡ଼ିଆମାନଙ୍କୁ ଉତ୍ସାହିତ କରିବା ପାଇଁ ଗାଡ଼ିରେ ଡାକବାଜି ଯନ୍ତ୍ର ଦ୍ଵାରା ବୋଲ ବମ୍ ଗୀତ ବାଜୁଥିବା ବେଳେ କାନ୍ଧରେ ପାଣିଭାର ଧରି ଶ୍ରଦ୍ଧାଳୁଙ୍କ ପାଦ ଆଗେଇ ଚାଲିଥିଲା ଶୈବପୀଠ ଅଭିମୁଖେ । ଏହି ଶ୍ରଦ୍ଧାଳୁଙ୍କ ମଧ୍ୟରେ ମହିଳାମାନେ ମଧ୍ୟ ରହିଥିବା ଦେଖିବାକୁ ମିଳିଛି ।
ମନ୍ଦିର ପ୍ରଶାସନ ତରଫରୁ ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ସ୍ଵତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା କରାଯାଇଥିବା ବେଳେ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିବା ଜଣାପଡିଛି ।