ରାଜ୍ୟ

ଜୁଆରିଆ ନଈରେ ବାଜି ଲାଗିଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ: ଡଙ୍ଗାରେ ହଂସୁଆ ପାର୍‌ ହୋଇ ସ୍କୁଲ ଯାଉଛନ୍ତି

ଗତସିଂହପୁର/ଏରସମା: ଜୁଆରିଆ ନଈରେ ବାଜି ଲାଗିଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ। ପାଠ ପଢ଼ିବାକୁ ହେଲେ ହଂସୁଆ ନଈକୁ ପ୍ରତିଦିନ ଡଙ୍ଗାରେ ପାର୍ ହେବାକୁ ପଡ଼ିବ। ଅନ୍ୟଥା ପାଠପଢ଼ା ବନ୍ଦ। ରାଜ୍ୟର ଅନ୍ୟତମ ଆଗୁଆ ତଥା ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଜଗତସିଂହପୁର ଜିଲ୍ଲାରେ ଏଭଳି ଚିତ୍ର ସାମନାକୁ ଆସିଛି। ଏରସମା ବ୍ଲକ ଜପା ପଞ୍ଚାୟତ ଅନ୍ତର୍ଗତ ଦହିବର ଗାଁର ୪୦ ରୁ ଅଧିକ ପିଲା ହାଇସ୍କୁଲରେ ପଢ଼ିବା ପାଇଁ ପ୍ରତିଦିନ ଏଭଳି ଜୀବନକୁ ବାଜି ଲଗାଉଛନ୍ତି।

୧୯୯୯ ପ୍ରଳୟଙ୍କରୀ ମହାବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା ଦହିବର ଗାଁ। ଏହି ଗାଁରେ ମୃତକଙ୍କ ସଂଖ୍ୟା ୬ ଶହରେ ପହଞ୍ଚିଥିଲା। ସେତେବେଳେ ସହାୟତାର ହାତ ବଢ଼ାଇବା ପାଇଁ ଅନେକ ଅନୁଷ୍ଠାନ ପହଞ୍ଚିଥିଲେ। ସରକାର ବି ବିକାଶର ଅନେକ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ମହାବାତ୍ୟାର ୨୫ ବର୍ଷ ପରେ ବି ଗାଁକୁ ଭଲ ରାସ୍ତାଟିଏ ନାହିଁ। କାଦୁଅ ପଚପଚ ରାସ୍ତା ହିଁ ଲୋକଙ୍କ ଜୀବନରେଖା ପାଲଟିଛି। ସବୁଠୁ ବଡ଼ କଥା ନିଜ ଗାଁ କି ପାଖ ଗାଁରେ ହାଇସ୍କୁଲଟିଏ ନାହିଁ। ହାଇସ୍କୁଲରେ ପଢ଼ିବା ପାଇଁ ହେଲେ ହଂସୁଆ ନଦୀ ପାର ହୋଇ ପ୍ରାୟ ୩ କିଲୋମିଟର ଦୂର ଆମ୍ବିକି ଯିବାକୁ ପଡୁଛି। ସବୁ ଦିନ ରଶି ଧରି ଡଙ୍ଗାରେ ନଦୀ ପାର ହେବାକୁ ପଡ଼ୁଛି। ବର୍ଷା ଦିନ ହେଲେ ପରିସ୍ଥିତି ଆହୁରି ସଙ୍ଗିନ। ସମୁଦ୍ର ଠାରୁ ଅଳ୍ପ ଦୂରରେ ଥିବା ହଂସୁଆ ନଦୀରେ ସବୁବେଳେ ପାଣି ଭର୍ତ୍ତି ହୋଇ ରହୁଛି। ବନ୍ୟା ପାଣି ଆସିଲେ ନଦୀ ଆହୁରି ଫୁଲିଉଠେ। ସେହି ଭରାନଈରେ ପାଣିର ପ୍ରଖର ସୁଅରେ ରଶିକୁ ଧରି ଡଙ୍ଗା ପାର ହେବାକୁପଡ଼େ। କାରଣ ଏହାର ବିକଳ୍ପ ବ୍ୟବସ୍ଥା କିଛି ନାହିଁ। ସ୍ଥାନୀୟ ଲୋକଙ୍କ ବାରମ୍ବାର ଦାବି ପରେ ବି ପାଖଆଖରେ ସ୍କୁଲ ନିର୍ମାଣ ହୋଇପାରୁ ନାହିଁ କି ହଂସୁଆ ନଈରେ ପୋଲ ନିର୍ମାଣ ହେଉନାହିଁ। କେବଳ ସ୍କୁଲ ନୁହେଁ, ଦହିବର ଗାଁ ଲୋକ ପିଇବା ପାଣି ଆଉ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ବି ଆମ୍ବିକି ଉପରେ ନିର୍ଭରଶୀଳ। କିନ୍ତୁ ସବୁ କିଛି ଚାଲିଛି ଡଙ୍ଗା ଭରସାରେ।

Related Articles

Leave a Reply

Your email address will not be published. Required fields are marked *

Back to top button