IBN ଓଡ଼ିଶା ବ୍ୟୁରୋ

ଆଜି ହେଉଛି ‘ବିଶ୍ବ ପଖାଳ ଦିବସ’

ଭୁବନେଶ୍ବର : ଓଡ଼ିଆଙ୍କ ଦିଅଁ କାଳିଆ ସାଆନ୍ତ ଓ ଓଡ଼ିଆଙ୍କର ପ୍ରିୟ ହେଉଛି ‘ପଖାଳ’। ପଖାଳ ସହ କଂସା ଶବ୍ଦ ଆପେ ଆପେ ଯୋଡ଼ି ହୋଇଆସେ। ଯେମିତିକି ପଖାଳର ଆନନ୍ଦ କଂସା ବିନା ଅଧୁରା।
ଯେତେବେଳେ ଷ୍ଟିଲ୍, ଚାଇନା, ଫାଇବର ବା କାଚ ବାସନ ନଥିଲା ଏହି କଂସାବେଲାରେ ହିଁ ଓଡ଼ିଆମାନେ ନିଜ ପାରମ୍ପରିକ ଖାଦ୍ୟ ଖାଉଥିଲେ।
ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା କଂସାଶାଳରେ ଭିନ୍ନ ଭିନ୍ନ ପ୍ରକାରର ଓ ଆକୃତିର କଂସା ବେଲା ପ୍ରସ୍ତୁତ ହେଉଥିଲା। କଂସା ବାସନରେ ଖାଇବା ଦ୍ବାରା ଏହାର ଔଷଧୀୟ ଗୁଣ ପଖାଳ ତୋରାଣି ସହ ମିଶି ଶରୀରକୁ ଯାଇଥାଏ।
ତେବେ କଂସାର ଅନେକ ଔଷଧୀୟ ଗୁଣ ରହିଥିବାରୁ ଏବେ ପୁଣି କଂସା ବାସନ ପ୍ରତି ଆଗ୍ରହ ଓ ବ୍ୟବାହର ବଢ଼ିଛି। କଂସା ବାସନ କଥା ଉଠିଲେ ପଖାଳ କଂସା ସଂଗ୍ରାହକ ତଥା ଗବେଷକ ସୁଦର୍ଶନ ସାହୁଙ୍କ ନାମ ଆଗକୁ ଆସେ।
ଓଡ଼ିଶାର ପ୍ରାୟ ୬୨ଟି କଂସାଶାଳରୁ ଦୀର୍ଘ ୩୨ ବର୍ଷ ଧରି ୩୦ରୁ ଅଧିକ ପ୍ରକାରର କଂସାବେଲା ସଂଗ୍ରହ କରି ନିଜ ସଂଗ୍ରହାଳୟରେ ସ୍ଥାନ ଦେଇଛନ୍ତି ଶ୍ରୀ ସାହୁ। ଜାଗମରାସ୍ଥିତ ତାଙ୍କ ନିଜସ୍ବ ସଂଗ୍ରହାଳୟ ‘ଗୋପୀନାଥ ଐତିହ୍ୟ କଂସା ପିତ୍ତଳ ବସ୍ତୁ ତଥା ଅବହେଳିତ କଳାକୃତି ସଂଗ୍ରହାଳୟ’ରେ ରହିଛି ଦକ୍ଷିଣ, ପଶ୍ଚିମ, ଉପକୂଳ ଓଡ଼ିଶା ଓ ସଂମ୍ଭ୍ରାନ୍ତଶ୍ରେଣୀୟ କଂସାବେଲା।
ଏହି ସଂଗ୍ରହାଳୟରେ ରହିଛି ପୋଚ ବେଲା, ଟଭା ଥାଳିଆ ବେଲା, ମାଣ ବେଲା, ମାଟିଆ କେଳା ବେଲା, ଓଉ ଖମା ବେଲା, ଦୁଦୁରାଫୁଲିଆ, ତୋରାଣି ବେଲା, ବଇଠି ବେଲା, ଲହରି ବେଲା, ରେକାବି ବେଲା, ରାମଶାଇ ବେଲା, ସହରୀବାବୁ ବେଲା, ଛାତି ଫୁଲାଣିଆ ବେଲା, ମଣ୍ଡା ବେଲା, ବାଶେଶରି ବେଲା, ଗୋଲ୍ ବେଲା, ଅଣ୍ଟାଭଙ୍ଗା ପଖାଳ କଂସା, କୁନ୍କୁରୀ ବେଲା, ବେଲପେଡ଼ି ବେଲା, ଫାଶ ବେଲା, ଲହରୀ ବେଲା, ରକମ, କୁଣ୍ଡି ଓ ଦୋହରୀ ବେଲା ଆଦି ଅନେକ ପ୍ରକାରର ବେଲା।
ଖାଲି ବେଲା ନୁହେଁ, ପଖାଳ ସହ ବ୍ୟଞ୍ଜନ ଖାଇବା ପାଇଁ ବ୍ୟବହୃତ ହେଉଥିବା ବିଭିନ୍ନ ଆକୃତିର ଚଟକୀ ବି ସେ ସଂଗ୍ରହ କରି ରଖିଛନ୍ତି। ଏଥିସହ ଜୋଇଁ ଚର୍ଚ୍ଚା ପଖାଳ ଥାଳି ବି ତାଙ୍କ ସଂଗ୍ରହାଳୟରେ ସ୍ଥାନ ପାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button