ଦେଶ

ସିଏଏ ଉପରେ ଲାଗିବନି ରୋକ୍‌ – Ibnodisha

[ad_1]

ନୂଆଦିଲ୍ଲୀ: ‘ନାଗରିକତା ସଂଶୋଧନ ଆଇନ୍‌’ (ସିଏଏ) ସମ୍ପର୍କୀତ ବିଜ୍ଞପ୍ତି ଉପରେ କୌଣସି ପ୍ରକାର ରହିତା ଦେଶ ଦେଇନାହାନ୍ତି ସୁପ୍ରିମକୋର୍ଟ । କିନ୍ତୁ ଏହି ଆଇନ୍ ଉପରେ ରୋକ୍ ଲଗାଇବା ପାଇଁ ଦାୟର କରାଯାଇଥିବା ପ୍ରାୟ ୨୩୭ ପିଟିସନ୍ ନେଇ ସରକାରଙ୍କୁ ଜବାବ ମାଗିଛନ୍ତି ସର୍ବୋଚ୍ଚ ଅଦାଲତ । ଆସନ୍ତା ୩ସପ୍ତାହ ମଧ୍ୟରେ ଅର୍ଥାତ୍ ଏପ୍ରିଲ ୮ ତାରିଖ ସୁଦ୍ଧା କେନ୍ଦ୍ର ସରକାର ଏସବୁ ପିଟିସନ୍ ଉପରେ ସ୍ପଷ୍ଟୀକରଣ ରଖିବେ । ସିଏଏ ଉପରେ ରହିତାଦେଶ ଦେବାକୁ ଦେଶର ବିଭିନ୍ନ ସଂଗଠନ ତଥା ବ୍ୟକ୍ତିବିଶେଷଙ୍କ ପକ୍ଷରୁ ଫାଇଲ୍ କରାଯାଇଥିବା ପିଟିସନ୍ ଉପରେ ମଙ୍ଗଳବାର ଶୁଣାଣି କରି ଏପ୍ରକାର ରାୟ ଦେଇଛନ୍ତି ସୁପ୍ରିମ୍‌କୋର୍ଟ ।

ସିଜେଆଇ ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ୍ ଜେବି ପାରଦିୱାଲା ଓ ଜଷ୍ଟିସ୍ ମନୋଜ ମିଶ୍ରଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିଥିବା ବେଳେ ପରବର୍ତ୍ତୀ ଶୁଣାଣି ଏପ୍ରିଲ ୯ ତାରିଖରେ ହେବ ବୋଲି ତାରିଖ ଧାର୍ଯ୍ୟ କରିଛନ୍ତି । ରିପୋର୍ଟ ଅନୁସାରେ ଦେଶବ୍ୟାପୀ ସିଏଏ ଆଇନ୍ ଲାଗୁ ହୋଇସାରିଥିବା ବେଳେ ଏବେ ବି କିଛି ପ୍ରାନ୍ତରେ ଏହାକୁ ତୀବ୍ର ବିରୋଧ କରାଯାଉଛି । ଏପ୍ରକାର ଆଇନ୍ ଦ୍ୱାରା ଭାରତୀୟ ମୁସଲିମ୍‌ଙ୍କ ଅଧିକାର ପ୍ରଭାବିତ ହେବା ଆଶଙ୍କା ରହୁଥିବା ଅଭିଯୋଗ ଆଧାରରେ ସୁପ୍ରିମକୋର୍ଟରେ ଅନେକ ପିଟିସନ୍ ମଧ୍ୟ ଦାଖଲ କରାଯାଇଛି ।

ନାଗରିକତା ସଂଶୋଧନ ଆଇନ୍‌, ୨୦୧୯ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ୍ କରୁଥିବା ଏସବୁ ଆବେଦନଗୁଡ଼ିକ ଉପରେ ସୁପ୍ରିମକୋର୍ଟ ଶୁଣାଣି ନ କରିବା ପର୍ଯ୍ୟନ୍ତ ଏହି ଆଇନ୍ ଉପରେ ରୋକ୍ ଲଗାଇବାକୁ ପିଟିସନ୍‌ରେ ଅନୁରୋଧ କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ମାମଲାକୁ ପରିଚାଳନା କରୁଥିବା ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ଆଜି ଖଣ୍ଡପୀଠଙ୍କୁ କହିଛନ୍ତି, ୨୦ ପିଟିସନ୍ ବା ଆବେଦନ ଉପରେ ଜବାବ ଦାଖଲ କରିବାକୁ ସରକାରଙ୍କୁ ଅତିକମ୍‌ରେ ୪ ସପ୍ତାହର ସମୟର ଆବଶ୍ୟକତା ରହିଛି । ଏତଦ୍‌ବ୍ୟତୀତ ତୁଷାର ମେହେଟ୍ଟା ଆଜି ପୁଣିଥରେ ଖଣ୍ଡପୀଠଙ୍କ ନିକଟରେ ସରକାରଙ୍କ ପ୍ରତିଶ୍ରୁତିକୁ ଦୋହରାଇଥିଲେ । ମେହେଟ୍ଟା କହିଥିଲେ, ସିଏଏ କୌଣସି ବ୍ୟକ୍ତିବିଶେଷଙ୍କ ନାଗରିକତା ଅଧିକାରକୁ ସଙ୍କୁଚିତ କରିବ ନାହିଁ ବରଂ ୨୦୧୪ ପୂର୍ବରୁ ବାଂଲାଦେଶ, ପାକିସ୍ତାନ ଏବଂ ଆଫଗାନିସ୍ତାନରୁ ଭାରତ ଚାଲିଆସିଥିବା ଅଣମୁସଲିମ୍ ନାଗରିକମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବା ନିମନ୍ତେ ଉଦ୍ଦିଷ୍ଟ ।

ସେହିପରି ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଡଭୋକେଟ୍ ଇନ୍ଦିରା ଜୟସିଂହଙ୍କ ଯୁକ୍ତିକୁ ମଧ୍ୟ ୩ଜଣିଆ ଖଣ୍ଡପୀଠ ବେଶ୍ ଧ୍ୟାନର ସହ ଶୁଣିଥିଲେ । ଇନ୍ଦିରା ଜୟସିଂହ ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ବୃହତ୍ତମ ବେଞ୍ଚ୍ ଶୁଣାଣି କରିବା ପାଇଁ ସେ ଯୁକ୍ତି ବାଢ଼ିଥିଲେ । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ, ତୁଷାର ମେହେଟ୍ଟାଙ୍କ ମାଧ୍ୟମରେ ସରକାରଙ୍କୁ ୩ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, ବିବାଦୀୟ ସିଏଏ ଆଇନ୍ ସଂସଦରେ ପାରିତ ହେବାର ଦୀର୍ଘ ୪ବର୍ଷ ପରେ ଅର୍ଥାତ୍ ୨୦୨୪ ମାର୍ଚ୍ଚ ୧୧ ତାରିଖରେ ଦେଶବ୍ୟାପୀ ଏହାକୁ ଲାଗୁ କରାଯାଇଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button