ଦେଶ

ନିର୍ବାଚନ କମିଶନର ନିଯୁକ୍ତି ମାମଲା; ସତ୍ୟପାଠ ଦାଖଲ କଲା କେନ୍ଦ୍ର – Ibnodisha

[ad_1]

ନୂଆଦିଲ୍ଲୀ: ୨ ନବନିଯୁକ୍ତି ନିର୍ବାଚନ କମିଶନରଙ୍କ ନିଯୁକ୍ତି ଏବଂ ଏମାନଙ୍କୁ ଯେଉଁ ଉପାୟରେ ଚୟନ କମିଟି ପକ୍ଷରୁ ମନୋନୀତ କରାଯାଇଛି ସେନେଇ ଦାଖଲ ହୋଇଥିବା ପିଟିସନ୍ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଏହି ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୩୮ ପୃଷ୍ଠା ସମ୍ବଳିତ ଏକ ସତ୍ୟପାଠ ଦାଖଲ ମଧ୍ୟ କରାଯାଇଛି । ସତ୍ୟପାଠରେ କେନ୍ଦ୍ର ସରକାର ଦର୍ଶାଇଛନ୍ତି ଯେ କେବଳ ଅଯଥା ବିବାଦ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆବେଦନକାରୀ ଏହାକୁ ଏକ ରାଜନୈତିକ ପ୍ରସଙ୍ଗ କରିବାକୁ ଚେଷ୍ଟା କରୁଛନ୍ତି । ନିର୍ବାଚନ କମିଶନରଙ୍କ ନିଯୁକ୍ତି ପ୍ରକ୍ରିୟା ଅତ୍ୟନ୍ତ ସ୍ୱଚ୍ଛ ନୀତି ଆଧାରରେ ସମ୍ପନ୍ନ କରାଯାଇଛି, ଏଥିରେ କୌଣସି ସନ୍ଦେହ ନାହିଁ ବୋଲି କେନ୍ଦ୍ର ସରକାର ଦର୍ଶାଇଛନ୍ତି । ଏଥିସହ ଚୟନ କମିଟିରୁ ସୁପ୍ରିମକୋର୍ଟଙ୍କ ଜଣେ ବିଚାରପତିଙ୍କ ଉପସ୍ଥିତିକୁ ବାଦ୍ ଦିଆଯିବା ସମ୍ପର୍କରେ ସ୍ପଷ୍ଟୀକରଣ ଦେଇ କେନ୍ଦ୍ର ଦର୍ଶାଇଛି ଯେ ଚୟନ କମିଟିରେ ନ୍ୟାୟପାଳିକାଙ୍କ କୌଣସି ଜଣେ ସଦସ୍ୟଙ୍କ ଉପସ୍ଥିତି ଦ୍ୱାରା ଭାରତୀୟ ନିର୍ବାଚନ ଆୟୋଗର ସ୍ୱାଧୀନ ଅଧିକାର କ୍ଷୂଣ୍ଣ ହେଉଛି । ଏଭଳି ପରିସ୍ଥିତିରେ ନିର୍ବାଚନ କମିଶନରଙ୍କ ଦକ୍ଷତା ଏବଂ ଯୋଗ୍ୟତା ଉପରେ ପ୍ରଶ୍ନ କରାଯିବା ଉଚିତ୍ ନୁହେଁ ।

ନିର୍ବାଚନ ଆୟୋଗରେ ଖାଲି ପଡ଼ିଥିବା ୨ଟି ନିର୍ବାଚନ କମିଶନର ପଦରେ ୨ ଯୋଗ୍ୟ ବ୍ୟକ୍ତିଙ୍କୁ ନିକଟରେ ନିଯୁକ୍ତି ଦେଇଛନ୍ତି ଚୟନ କମିଟି । ଦେଶର ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଜ୍ଞାନେଶ କୁମାର ଏବଂ ସୁଖବୀର ସିଂ ସାନ୍ଧୁଙ୍କୁ ନିଯୁକ୍ତି ମିଳିଛି । ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ପକ୍ଷରୁ ଏହି ଦୁଇଜଣଙ୍କୁ ମନୋନୀତ କରାଯିବା ପରେ ଏନେଇ ରାଷ୍ଟ୍ରପତିଙ୍କୁ ସୁପାରିଶ କରାଯାଇଥିଲା । ରାଷ୍ଟ୍ରପତି ଏହି ସୁପାରିଶକୁ ସ୍ୱୀକୃତି ଦେବା ପରେ ଏହି ଦୁଇଜଣଙ୍କୁ ନିର୍ବାଚନ ଆୟୋଗରେ ସ୍ଥାୟୀ କମିଶନର ଭାବେ ନିଯୁକ୍ତି ମିଳିଥିଲା । ତେବେ ଏହାକୁ ନେଇ ବିରୋଧୀ ଦଳ ପକ୍ଷରୁ ବିରୋଧ କରାଯାଇଥିଲା । ପୂର୍ବରୁ ଚୟନ କମିଟିରେ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି (ସିଜେଆଇ)ଙ୍କୁ ଅନ୍ୟତମ ସଦସ୍ୟ ଭାବେ ସାମିଲ କରାଯାଉଥିବା ବେଳେ ଏବେ କିନ୍ତୁ ଏହି ନିୟମକୁ ପରିବର୍ତ୍ତନ କରିଦିଆଯାଇଛି ଏବଂ ଚୟନ କମିଟିରେ ସିଜେଆଇଙ୍କୁ ସାମିଲ କରାଯାଉନାହିଁ ।

ଏବେ କେବଳ ପ୍ରଧାନମନ୍ତ୍ରୀ ଓ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସହ ତୃତୀୟ ସଦସ୍ୟ ଭାବେ ବିରୋଧୀ ଦଳ ନେତା ସାମିଲ ରହିଛନ୍ତି । ଅନ୍ୟପକ୍ଷେ ଚୟନ କମିଟିରେ ସରକାରଙ୍କ ପାଖରେ ସଂଖ୍ୟା ଗରିଷ୍ଠତା ରହୁଥିବାରୁ ବିରୋଧୀ ଦଳ ନେତାଙ୍କ ଯୁକ୍ତି କିମ୍ବା ପରାମର୍ଶର କୌଣସି ଗୁରୁତ୍ୱ ରହୁନାହିଁ । ଏହାକୁ ନେଇ ବିରୋଧୀ ଦଳ ବିଶେଷ କରି କଂଗ୍ରେସ ଆପତ୍ତି ଉଠାଇଛି । ନିର୍ବାଚନ ଆୟୋଗ ସଦସ୍ୟଙ୍କ ଏପ୍ରକାର ଚୟନ ବ୍ୟବସ୍ଥା ସମ୍ବିଧାନ ବିରୋଧୀ ଦର୍ଶାଇ କଂଗ୍ରେସ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ କରିଛି । ଏତଦ୍‌ବ୍ୟତୀତ ନିର୍ବାଚନ ଆୟୋଗରେ ନିଯୁକ୍ତି ପାଇଥିବା ୨ ନବନିଯୁକ୍ତ କମିଶନରଙ୍କ ନିଯୁକ୍ତି ଉପରେ ରୋକ୍ ଲଗାଇବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । କିନ୍ତୁ ସୁପ୍ରିମକୋର୍ଟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ପ୍ରକ୍ରିୟା ଉପରେ ରୋକ୍ ଲଗାଇବାକୁ ବହୁ ପୂର୍ବରୁ ମନା କରିସାରିଛନ୍ତି । ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୧ ତାରିଖରେ ହେବ ବୋଲି ନ୍ୟାୟପାଳିକା ତାରିଖ ଧାର୍ଯ୍ୟ କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button