IBN ଓଡ଼ିଶା ବ୍ୟୁରୋ

ବାରମ୍ବାର ଛାନିଆ (Panic) ଲାଗୁଛି କି ? କେତେବେଳେ ଏହାର ଚିକିତ୍ସା କରିବା ଜରୁରୀ ?

ଦୈନନ୍ଦିନ ଜୀବନରେ କୌଣସି ବିଷୟରେ ଭୟ ଲାଗିବା ବା ଛାନିଆ ଲାଗିବା ଏକ ସାଧାରଣ କଥା । କିନ୍ତୁ ଏହି ସମସ୍ଯା ଅଧିକ ହେଲେ କିମ୍ବା ବାରମ୍ବାର ଲାଗି ରହିଲେ ଡାକ୍ତରୀ ଭାଷାରେ ଏହାକୁ ପ୍ୟାନିକ ଡିସଅର୍ଡର ବା ମାନସିକ ଛାନିଆ ରୋଗ ଭଳି କୁହାଯାଏ । ଏହି ସମସ୍ଯାକୁ ଅନେକ ଲୋକ ବେଶ ହାଲୁକାରେ ନେଇଥାନ୍ତି ଯାହାଦ୍ୱାରା ଏହା ଆହୁରି ବଢିଯାଏ । ତେବେ ଏହି ସମସ୍ୟାରୁ କିପରି ମୁକ୍ତି ପାଇବେ ଆସନ୍ତୁ ଜାଣିବା ସ୍ନାୟୁ ଓ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ରଙ୍କ ଠାରୁ ।

ଛାନିଆ ରୋଗ ଏକ ପ୍ରକାର ଆନଜାଇଟି । ଭାରତରେ ୨-୪% ଲୋକଙ୍କ ଠାରେ ଏହି ଛାନିଆ ରୋଗ ଦେଖା ଦେଇଥାଏ । ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଠାରେ ଏହି ରୋଗ ଦୁଇରୁ ତିନିଗୁଣ ଅଧିକ ଦେଖାଯାଏ । ଯୁବାବସ୍ଥାରେ ତଥା ୨୫-୩୫ ବର୍ଷ ବୟସର ଲୋକଙ୍କ ଠାରେ ଏହା ସବୁଠୁ ଅଧିକ ମାତ୍ରାରେ ଦେଖାଯାଏ । ଆଜିକାଲି କିଛିକାଂଶରେ ଛୋଟପିଲାଙ୍କ ଠାରେ ମଧ୍ୟ ଏହି ସମସ୍ଯା ଦେଖାଯାଉଛି ।

କିନ୍ତୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ବହୁତ କମ୍ ରହିଛି ଯାହାଫଳରେ ଲୋକମାନେ ସଠିକ ଚିକିତ୍ସା ପାଇ ପାରୁନାହାନ୍ତି । ଏହି ଛାନିଆ ରୋଗରେ ବିନା କୌଣସି କାରଣରେ ମଧ୍ୟ ବ୍ୟକ୍ତିଙ୍କ ମନରେ ଯେକୌଣସି ସ୍ଥାନ ଏବଂ ସମୟରେ ଛାନିଆ ବା ଡର ଆସିପାରେ । ମନରେ ପରିବର୍ତ୍ତନ ହେବାସହ ଶରୀରରେ ମଧ୍ୟ କିଛି ନିର୍ଦ୍ଦିଷ୍ଟ ପରିବର୍ତ୍ତନ ହୋଇଥାଏ ।

ଯେମିତିକି ଛାତିରେ ଯନ୍ତ୍ରଣା ହେବା, ଛାତି ଧଡଧଡ ହେବା, ଗୋଡହାତ ଥରିବା କିମ୍ବା ଝିମଝିମ ହେବା, ପାଟି ଶୁଖିଯିବା, ମୁଣ୍ଡ ବୁଲେଇବା, ଦେହହାତ ଗରମ ହୋଇଯିବା, ହଠାତ ପରିସ୍ରା ଲାଗିବା, ଅଣନିଃଶ୍ବାସୀ ଲାଗିବା କିମ୍ବା ଏତେ ଜୋରରେ ଡର ଲାଗେ ଯେ କିଛି ଲୋକଙ୍କୁ ଏମିତି ଲାଗେ ତାଙ୍କର ମୃତ୍ୟୁ ହୋଇଯିବ । ଏହିସବୁ ମାତ୍ର କିଛି ସମୟ ପାଇଁ ଲାଗିଥାଏ ଏବଂ ସେହି ଅତିକ୍ରମ ହୋଇଯିବା ପରେ ସେମାନେ ଠିକ ହୋଇଯାନ୍ତି ।

ଆମ ବ୍ରେନରେ କେତେକ ନିର୍ଦ୍ଦିଷ୍ଟ ନ୍ୟୁରୋଟ୍ରାନ୍ସମିଟର ବା ରାସାୟନିକ ପଦାର୍ଥର ମାତ୍ରାରେ ଅସନ୍ତୁଳନ ଯୋଗୁଁ ପ୍ୟାନିକ ଡିସଅର୍ଡର ଆରମ୍ଭ ହୋଇଥାଏ । ଏହାସହ ବଂଶଗତ କାରଣ କିମ୍ବା ଅଧିକ ଷ୍ଟ୍ରେସ ନେବା ଯୋଗୁଁ ମଧ୍ୟ ପ୍ୟାନିକ ଡିସଅର୍ଡର ଆରମ୍ଭ ହୋଇଥାଏ । ଅଧିକ ମାତ୍ରାରେ ନିଶାଦ୍ରବ୍ୟ ସେବନ କରିବା ଦ୍ଵାରା ଛାନିଆ ରୋଗ ଦେଖା ଦେଇଥାଏ ।

ଏହାଛଡା କିଛି ଶାରୀରିକ ସମସ୍ଯା ଯଥା ଥାଇରଏଡ, ହାଇପର ଟେନସନ ଏବଂ ହୃଦଜନିତ ସମସ୍ଯା ଯୋଗୁଁ ମଧ୍ୟ ଏହି ରୋଗ ଦେଖା ଦେଇପାରେ । ଏପରିକି କିଛି ରୋଗୀଙ୍କ ଠାରେ ଏହାର କୌଣସି ନିର୍ଦ୍ଦିଷ୍ଟ କାରଣ ମଧ୍ୟ ନଥାଏ । ଏହି ରୋଗର ଚିକିତ୍ସା ଦୁଇ ପ୍ରକାରର କରାଯାଇଥାଏ । ଯଥା ଏଥିପାଇଁ ରୋଗୀକୁ କିଛି ଔଷଧ ସେବନ କରିବାକୁ ଦିଆଯାଇଥାଏ ଏବଂ ଏହାସହ ରୋଗୀକୁ କାଉନଶେଲିଂର ମଧ୍ୟ ଆବଶ୍ୟକତା ରହିଛି ।

ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମେଡ଼ିସିନ ସେବନ କରିବା ଦ୍ଵାରା ଏବଂ ନିୟମିତ କାଉନଶେଲିଂ ଦ୍ଵାରା ଏହି ରୋଗ ସଂପୂର୍ଣ୍ଣ ଭାବେ ଭଲ ହୋଇପାରିବ । ଲୋକଙ୍କ ମନରେ ଭୟ ଥାଏ କି ଏହି ରୋଗ ପାଇଁ ଦିଆ ଯାଉଥିବା ମେଡ଼ିସିନ ଆମ ଶରୀର ପାଇଁ କ୍ଷତିକାରକ ବୋଲି । କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ ଧାରଣା ।

Related Articles

Leave a Reply

Your email address will not be published. Required fields are marked *

Back to top button