ଦେଶ

ଉତ୍ତର ଭାରତରେ ବର୍ଷା ବିତ୍ପାତ, ୧୯ ମୃତ, ଅନେକ ରାଜ୍ୟରେ ବନ୍ୟା ପରିସ୍ଥିତି

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ ଧନଜୀବନ କ୍ଷୟକ୍ଷତି ନେଇ ସୂଚନା ମିଳିଛି। ବିଶେଷକରି ଉତ୍ତର ଭାରତରେ ବର୍ଷା ବିତ୍ପାତ ଯୋଗୁଁ ଜୀବନଯାତ୍ରା ବ୍ୟାହତ ହୋଇଛି । ଏଯାବତ୍ ୧୯ ଜଣ ଲୋକ ପ୍ରାଣ ହରାଇଛନ୍ତି । ଅନେକ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।

ଜାମ୍ମୁ କାଶ୍ମୀର, ଲଦାଖ ଏବଂ ହିମାଚଳ ପ୍ରଦେଶର କେତେକ ଅଞ୍ଚଳରେ ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । ରବିବାର ହିମାଚଳ ପ୍ରଦେଶର ବହୁ ସ୍ଥାନରେ ଭୂସ୍ଖଳନ ହୋଇଛି । ବନ୍ୟା ଯୋଗୁଁ ତିନୋଟି ରାଜପଥ ଧୋଇ‌ ହୋଇଯାଇଥିବା ବେଳେ ଅନେକ ପ୍ରମୁଖ ରାସ୍ତାରେ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ୧୯୮୨ ପରେ ଜୁଲାଇରେ ଦିନକରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ଦିଲ୍ଲୀରେ ଯମୁନାରେ ଜଳ ସ୍ତର ବୃଦ୍ଧି ହେବାର ଅଧିକାରୀମାନେ ଚେତାବନୀ ଦେଇଛନ୍ତି। ଭାରତ ପାଣିପାଗ ବିଭାଗ ଶନିବାର ହିମାଚଳ ପ୍ରଦେଶର ସାତଟି ଜିଲ୍ଲା ପାଇଁ ରେଡ ଆଲର୍ଟ ଏବଂ ଆସନ୍ତା ୪୮ ଘଣ୍ଟା ପାଇଁ ତିନୋଟି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି।

ଦିଲ୍ଲୀରେ ମଧ୍ୟ ଜଳ ପ୍ରଳୟ ଯୋଗୁଁ ଜୀବନଯାତ୍ରା ଠପ୍ ହୋଇପଡ଼ିଥିବା ବେଳେ ସରକାର ଆଲର୍ଟ ମୋଡରେ ଅଛନ୍ତି। ଯମୁନାର ସ୍ତର ବୃଦ୍ଧି ପାଇବା ପରେ ଏହାର ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ପୋଲିସ ଅନୁରୋଧ କରିଛି।

ଏହି ସମୟରେ ଉତ୍ତର ଭାରତରେ ପ୍ରବଳ ବର୍ଷା ମଧ୍ୟରେ ଦିଲ୍ଲୀ ସରକାର ବନ୍ୟା ଆଲର୍ଟ ଜାରି କରିଛନ୍ତି । ହରିୟାଣା ସରକାର ମଧ୍ୟ ଯମୁନାନଗରର ହାଥିନିକଣ୍ଡ ବ୍ୟାରେଜରୁ ଯମୁନା ନଦୀରେ ଏକ ଲକ୍ଷ କ୍ୟୁସେକ୍ ଜଳ ଛାଡିଛନ୍ତି।

ପ୍ରବଳ ବର୍ଷା ଯୋଗୁଁ ପଞ୍ଜାବ ଏବଂ ହରିୟାଣାର ଅନେକ ତଳିଆ ଅଞ୍ଚଳରେ ରହୁଥିବା ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ପଞ୍ଜାବ ସରକାର ମନ୍ତ୍ରୀ, ଡେପୁଟି କମିଶନର, ପୋଲିସର ବରିଷ୍ଠ ଅଧୀକ୍ଷକ ତଥା ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀଙ୍କୁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ଲୋକଙ୍କୁ ଆବଶ୍ୟକ ସହାୟତା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଚଣ୍ଡିଗଡ଼ର ସ୍କୁଲଗୁଡିକ ମଧ୍ୟ ଆସନ୍ତା ଦୁଇ ଦିନ ପାଇଁ ବନ୍ଦ ରହିଛି ବୋଲି ଅଧିକାରୀମାନେ ରବିବାର ଘୋଷଣା କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button