ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଗୁରୁମନ୍ତ୍ର; ଭୟଭୀତ ନହୋଇ ଶାନ୍ତ ମନରେ ପରୀକ୍ଷା ଦିଅ – Ibnodisha

[ad_1]
ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଅର୍ଥାତ୍ ୨୯ ଜାନୁଆରରେ ଦେଶର କୋଣ ଅନୁକୋଣରେ ଥିବା ୧୦ମ ଏବଂ ୧୨ଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସହ ‘ପରୀକ୍ଷା ପେ’ ଚର୍ଚ୍ଚା କାର୍ଯ୍ୟକ୍ରମ ଜରିଆରେ କଥା ହୋଇଛନ୍ତି । ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସମ୍ବନ୍ଧୀୟ କେତେକ ଟିପ୍ସ ଦେଇଛନ୍ତି, ଯାହାକି ସେମାନଙ୍କୁ ପରୀକ୍ଷା ସମୟରେ ସାମ୍ନା କରିବାକୁ ପଡୁଥିବା ମାନସିକ ଚାପକୁ ହ୍ରାସ କରିବାରେ ସହାୟକ ହୋଇପାରିବ ।
ପରୀକ୍ଷା ପେ’ ଚର୍ଚ୍ଚାର ଏହି ୭ମ ସଂସ୍କରଣ ପାଇଁ ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଠାରେ ମୋଦୀ ଦେଶର ପ୍ରାୟ ୩ହଜାର ଛାତ୍ରଛାତ୍ରୀଙ୍କ ସହ ଭାବ ଆଦାନ ପ୍ରଦାନ କରିଥିଲେ । କେତେକ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ/ଶିକ୍ଷୟିତ୍ରୀ ସିଧାସଳଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବେଳେ ଅନ୍ୟ କେତେକ ରାଜ୍ୟ ତଥା କେନ୍ଦ୍ର ଶାସିତ ପ୍ରଦେଶରୁ ୨-୨ଜଣ ଲେଖାଏ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଶିକ୍ଷକ/ଶିକ୍ଷୟିତ୍ରୀ ଅନଲାଇନ୍ ଜରିଆରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏସମସ୍ତ ଛାତ୍ରଛାତ୍ରୀ ଆଗାମୀ ଦିନରେ ୧୦ମ କିମ୍ବା ୧୨ଶ ବୋର୍ଡ ପରୀକ୍ଷା ଦେବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ପ୍ରାୟ ୨ଘଣ୍ଟା ୧୦ମିନିଟ୍ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ସହ ପରୀକ୍ଷା ପେ’ ଚର୍ଚ୍ଚା କାର୍ଯ୍ୟକ୍ରମ ସହ ଯୋଡି ହୋଇ ରହିଥିଲେ । ଏହି ସମୟ ମଧ୍ୟରେ ମୋଦୀ ଛାତ୍ରଛାତ୍ରୀମାନଙ୍କ କଥା ଶୁଣିଥିଲେ, ସେମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ, ପରୀକ୍ଷା ଜନିତ ମାନସିକ ଚାପରୁ ବାହାରି ପରୀକ୍ଷାରେ କିପରି ଭଲ କରାଯାଇପାରିବ, ପରୀକ୍ଷା ପାଇଁ କିପରି ପ୍ରସ୍ତୁତ କରାଯିବା ଉଚିତ୍ ଆଦି ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ ।
ମୋଦୀ କଥୋପକଥନ ଆଳରେ ଏହି ଛାତ୍ରଛାତ୍ରୀମାନଙ୍କୁ ଅନେକ ପରାମର୍ଶ ଦେଇଛନ୍ତି । ମୋଦୀଙ୍କ କହିବାନୁସାରେ ଜୀବନରେ ପ୍ରତିଯୋଗୀତା ରହିବା ଅତ୍ୟନ୍ତ ଜରୁରି, ତେବେ ଏଥିପାଇଁ ଛାତ୍ରଛାତ୍ରୀମାନେ ନିଜକୁ ପ୍ରସ୍ତୁତ କରିବା ମଧ୍ୟ ନିତାନ୍ତ ଆବଶ୍ୟକ । ଛାତ୍ରଛାତ୍ରୀମାନେ ନିଜ ପାଇଁ ପ୍ରଥମେ ଛୋଟ ଛୋଟ ଲକ୍ଷ୍ୟ ନିର୍ଦ୍ଧାରଣ କରନ୍ତୁ । ପ୍ରଥମରୁ ବଡ଼ ଲକ୍ଷ୍ୟ ରଖି ଚାପଗ୍ରସ୍ତ ହେବାର କୌଣସି ଆବଶ୍ୟକତା ନାହିଁ । ଛାତ୍ରଛାତ୍ରୀମାନେ ସହପାଠୀଙ୍କ ସହ ଇର୍ଷା ମନୋଭାବ ନରଖି ସେମାନଙ୍କ ଠାରୁୁ ପ୍ରେରଣା ନେବା ଉଚିତ୍ । ପରୀକ୍ଷା ଆରମ୍ଭ ଏବଂ ଶେଷ ହେବା ସମୟରେ ନିଜ ମନକୁ ଶାନ୍ତ ରଖିବା ଉଚିତ୍, ଭୟ କରିବାର ଆବଶ୍ୟକତା ନାହିଁ ।
ପରୀକ୍ଷାରେ ବସିବା ପୂର୍ବରୁ ଛାତ୍ରଛାତ୍ରୀମାନେ ମାତ୍ରାଧିକ ଲେଖିବା ଅଭ୍ୟାସ କରିବା ଉଚିତ୍ । ସେହିପରି ମାନସିକସ୍ତରରେ ଖୁସି ଏବଂ ଶାରୀରିକ ସୁସ୍ଥତା ବଜାୟ ରଖିବା ପାଇଁ ଛାତ୍ରଛାତ୍ରୀମାନେ ପୁଷ୍ଟିକର ଖାଦ୍ୟ ସହ ଶାରୀରିକ ବ୍ୟାୟାମ କିମ୍ବା ଖେଳକୁଦରେ ମଧ୍ୟ ନିୟୋଜିତ ରହିବା ଅତ୍ୟନ୍ତ ଜରୁରି । ଛାତ୍ରଛାତ୍ରୀମାନେ ପର୍ଯ୍ୟାପ୍ତ ପରିମାଣରେ ଶୋଇବା ଉଚିତ୍ । ଏହା ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷାଜନିତ ଚାପରୁ ମୁକ୍ତ ରଖିବାରେ ସହାୟକ ହୋଇପାରିବ । ମୋବାଇଲ୍କୁ କେବଳ ଗେମ୍ ଖେଳିବାରେ ବ୍ୟବହାର ନକରି ଶିକ୍ଷଣୀୟ ବିଷୟବସ୍ତୁ ଜାଣିବା, ପାଠ୍ୟକ୍ରମ ସମ୍ବନ୍ଧୀୟ ବିଷୟବସ୍ତୁକୁ ବୁଝିବାରେ ବ୍ୟବହାର କରନ୍ତୁ ଛାତ୍ରଛାତ୍ରୀଗଣ । ସବୁଠୁ ବଡ଼କଥା ହେଉଛି ପ୍ରତ୍ୟେକ ଛାତ୍ରଛାତ୍ରୀମାନେ ନିଜ ବାପା-ମା’ଙ୍କ ଭରସା ଜିତିବା ପାଇଁ ଯତ୍ନଶୀଳ ହେବା ଉଚିତ୍ । ଅନ୍ୟ କୌଣସି ବ୍ୟକ୍ତିବିଶେଷଙ୍କ ପରାମର୍ଶ ନେଇ ଛାତ୍ରଛାତ୍ରୀମାନଙ୍କୁ ନିଜ କ୍ୟାରିଅର ଚୟନ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ମୋଦୀ କହିଛନ୍ତି ।
କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ସହ ଆସିଥିବା ଅଭିଭାବକ ଏବଂ ଶିକ୍ଷକ/ ଶିକ୍ଷୟିତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ଏବଂ କିଛି ପରାମର୍ଶ ଦେଇଛନ୍ତି । ମୋଦୀ କହିଛନ୍ତି, କ୍ଲାସରୁମ୍ରେ ଶିକ୍ଷକତା କରୁଥିବା ଶିକ୍ଷକ/ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ହସଖୁସିର ପରିବେଶ ବଜାୟ ରଖିବା ଉଚିତ୍ । ଆବଶ୍ୟକ ସ୍ଥଳେ ସଂଗୀତକୁ ମାଧ୍ୟମ କରାଯାଇପାରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିପରି ଅଭିଭାବକମାନଙ୍କୁ ପରାମର୍ଶ ଦେଇ ମୋଦୀ କହିଛନ୍ତି, ସବୁବେଳେ ପିଲାମାନଙ୍କୁ ବୁଝାଇବା ବନ୍ଦ କରିବା ଉଚିତ୍୍ । ପିଲାମାନଙ୍କୁ ଭୁଲ୍ ଠିକ୍ର ନିଷ୍ପତ୍ତି ସେମାନେ ନିଜେ ନେବାକୁ ଦିଅନ୍ତୁ ।
ଏହାଦ୍ୱାରା ସେମାନଙ୍କ ମାନସିକ ବିକାଶ ସମ୍ଭବ ହୋଇପାରିବ । ସେହିପରି ପିଲାମାନଙ୍କ ପାଇଁ ଘରେ ଏକ ‘ନୋ ଗ୍ୟାଜେଟ୍ ଜୋନ୍’ର ପରିକଳ୍ପନା କରିବାକୁ ମଧ୍ୟ ମୋଦୀ ଅଭିଭାବକଙ୍କୁ କହିଛନ୍ତି । ପିଲାମାନଙ୍କ ଉପରେ ରିପୋର୍ଟ କାର୍ଡ ଜନିତ ଅଯଥା ଚାପ ନଲଦି ସେମାନଙ୍କୁ କିପରି ସହଜ କରିହେବ ସେଦିଗରେ ଅଭିଭାବକମାନେ ପ୍ରୟାସ କରିବା ଉଚିତ୍ । ଏହି ଅବସରରେ ମୋଦୀ ସର୍ବପ୍ରଥମେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଟେକ୍ନୋଲୋଜି ଦ୍ୱାରା ପ୍ରସ୍ତୁତ ପ୍ରକଳ୍ପଗୁଡ଼ିକ ବୁଲି ଦେଖିଥିଲେ ଏବଂ ସେସବୁ ସମ୍ପର୍କରେ ପିଲାମାନଙ୍କୁ ପଚାରିବୁଝିଥିଲେ । କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହି ପିଲାମାନଙ୍କୁ ପରୀକ୍ଷାଜନିତ ଚାପକୁ ଦୂର କରାଯିବା ପରିପ୍ରେକ୍ଷୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ।
ସୂଚନାଯୋଗ୍ୟ ପରୀକ୍ଷା ପେ’ ଚର୍ଚ୍ଚାର ଏହି ୭ମ ସଂସ୍କରଣ ପାଇଁ ମାଇଗଭ ୱେବ୍ ପୋର୍ଟାଲ ଜରିଆରେ ମୋଟ୍ ୨.୨୬ କୋଟି ପଞ୍ଜିକରଣ କରାଯାଇଥିଲା ଯାହାକି ଏକ ସର୍ବକାଳୀନ ରେକର୍ଡ । ଏସବୁ ପଞ୍ଜିକରଣ ମଧ୍ୟରେ ୧୪.୯୩ ଲକ୍ଷରୁ ଅଧିକ ଶିକ୍ଷକ ଏବଂ ୫.୬୯ ଲକ୍ଷ ଅଭିଭାବକଙ୍କ ପଞ୍ଜିକରଣ ରହିଛି ।
[ad_2]