‘ଏଭରେଷ୍ଟ୍’ ମସଲାରେ କୀଟନାଶକ ଏଥିଲିନ୍ ଅକ୍ସାଇଡ୍!; ବଜାରରୁ ମସଲା ଫେରାଇବାକୁ ନିର୍ଦ୍ଦେଶ ଦେଲା ସିଙ୍ଗାପୁର – Ibnodisha

[ad_1]
ନୂଆଦିଲ୍ଲୀ: ଘରେ ଘରେ ପରିଚିତ ରୋଷେଇ ମସଲା ବ୍ରାଣ୍ଡ୍ ‘ଏଭରେଷ୍ଟ’ ଉପରେ ଲାଗିଛି ଏକ ବଡ଼ ଅଭିଯୋଗ । ଏଭରେଷ୍ଟର ‘ମାଛ ମସଲା’ରେ କୀଟନାଶକ ରସାୟନିକ ପଦାର୍ଥ ଏଥିଲିନ୍ ଅକ୍ସାଇଡ୍ର ନମୁନା ମିଳିଥିବା ନେଇ ଅଭିଯୋଗ ଆସିଛି । ଫଳରେ ସିଙ୍ଗାପୁର ସରକାରଙ୍କ ପକ୍ଷରୁ ବଜାରରେ ଥିବା ଏଭରେଷ୍ଟ କମ୍ପାନୀ ଦ୍ୱାରା ବିକ୍ରି କରାଯାଉଥିବା ସମସ୍ତ ମାଛ ମସଲା ପ୍ୟାକେଟ୍ଗୁଡ଼ିକୁ ଜରୁରି ପରିସ୍ଥିତିରେ ପ୍ରତ୍ୟାହାର କରିବାକୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ଅନୁସାରେ ଏଭରେଷ୍ଟର ମାଛ ମସଲାରେ ମାତ୍ରାଧିକ ପରିମାଣର କୀଟନାଶକ ଏଥିଲିନ ଅକ୍ସାଇଡର ନମୁନା ମିଳିବା ନେଇ ଅଭିଯୋଗ ହେବା ପରେ ସିଙ୍ଗାପୁର ସରକାର ପ୍ରାରମ୍ଭିକ କାର୍ଯ୍ୟାନୁଷ୍ଠାନ ଭାବେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ଭାରତରେ ବହୁଳ ପରିମାଣରେ ଏଭରେଷ୍ଟ କମ୍ପାନୀର ମସଲାଗୁଡ଼ିକ ବିକ୍ରି ହେଉଥିବା ବେଳେ ମାଛ ମସଲା’ରେ କେତେ ପରିମାଣର ଏଥିଲିନ୍ ଅକ୍ସାଇଡ୍ ରହିଛି ସେନେଇ ମଧ୍ୟ ସ୍ପଷ୍ଟୀକରଣ ଆସିପାରିନାହିଁ । ଯାହାକି ଭାରତୀୟଙ୍କ ପାଇଁ ଚିନ୍ତାର ବିଷୟ ।
ହଂକଂ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଏନେଇ ପ୍ରଥମେ ଏକ ଅଧିସୂଚନା ଜାରି କରାଯାଇଥିଲା । ପରେ ସିଙ୍ଗାପୁର ସରକାର ତରବରିଆ ଭାବେ କମ୍ପାନୀ କର୍ତ୍ତୃପକ୍ଷଙ୍କ ଉଦ୍ଦେଶ୍ୟରେ ମାଛ ମସଲା ପ୍ୟାକେଟ୍ଗୁଡ଼ିକୁ ପ୍ରତ୍ୟାହାର କରିନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷେ ସିଙ୍ଗାପୁର ଖାଦ୍ୟ ଏଜେନ୍ସି ପକ୍ଷରୁ ଏନେଇ ଦିଆଯାଇଥିବା ବିବୃତି ଅନୁସାରେ ହଂକଂ ସ୍ଥିତ ଖାଦ୍ୟ ସୁରକ୍ଷା କେନ୍ଦ୍ର ତରଫରୁ ବିଭିନ୍ନ ପର୍ଯ୍ୟାୟରେ କରାଯାଇଥିବା ଯାଞ୍ଚ୍ ପ୍ରକ୍ରିୟା ଅନ୍ତର୍ଗତ ଏଭରେଷ୍ଟ ମାଛ ମସଲାରେ ଏଥିଲିନ ଅକ୍ସାଇଡର ମାତ୍ରା ଅଧିକ ଥିବାର ପ୍ରମାଣ ମିଳିଛି । ଯାହାକି ସମ୍ପୂର୍ଣ୍ଣ ବେଆଇନ୍ । ସୂଚନାଯୋଗ୍ୟ, ସିଙ୍ଗାପୁର ଖାଦ୍ୟ ସୁରକ୍ଷା ପ୍ରାଧୀକରଣ ପକ୍ଷରୁ ଧାର୍ଯ୍ୟ ଆଇନ୍ ଅନ୍ତର୍ଗତ ମସଲାର ଗୁଣବତ୍ତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ସେସବୁଥିରେ ଏଥିଲିନ୍ ଅକ୍ସାଇଡ ମିସାଇବାର ନିୟମ ରହିଛି । କିନ୍ତୁ ଏଭରେଷ୍ଟ ମାଛ ମସଲାରେ ଏହାର ପରିମାଣ ଯଥେଷ୍ଟ ଅଧିକ ରହିଛି, ଯାହାକି ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟପକ୍ଷେ ଅତ୍ୟନ୍ତ ହାନୀକାରକ । ତେବେ କମ୍ପାନୀର ଅନ୍ୟ ମସଲାଗୁଡ଼ିକରେ ନିର୍ଦ୍ଧାରିତ ପରିମାଣର ଏଥିଲିନ୍ ଅକ୍ସାଇଡ୍ ରହିଥିବାରୁ ଏହାକୁ ବର୍ତ୍ତମାନ ସମୟରେ ପ୍ରତ୍ୟାହାର କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସିଙ୍ଗାପୁର ଖାଦ୍ୟ ସୁରକ୍ଷା ପ୍ରାଧୀକରଣ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଅନ୍ୟପକ୍ଷେ ଦୀର୍ଘ ସମୟ ଧରି ଯେଉଁ ବ୍ୟକ୍ତିବିଶେଷମାନେ ଏଭରେଷ୍ଟର ମାଛ ମସଲା’କୁ ନିୟମିତ ଭାବେ ନିଜ ରନ୍ଧନ ପ୍ରଣାଳୀରେ ବ୍ୟବହାର କରୁଛନ୍ତି, ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସିଙ୍ଗାପୁର ଖାଦ୍ୟ ସୁରକ୍ଷା ଏଜେନ୍ସି ପକ୍ଷରୁ ଚିନ୍ତାପ୍ରକଟ କରାଯାଇଛି । ଏହି ବ୍ୟକ୍ତିବିଶେଷମାନେ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇନେବାକୁ ଏଜେନ୍ସି ପକ୍ଷରୁ ଏକ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି । ତେବେ ଏସବୁ ପ୍ରକ୍ରିୟା ଏବେ ଜୋର ଧରିଥିବା ବେଳେ ଏଭରେଷ୍ଟ କମ୍ପାନୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦିଆନଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ।
[ad_2]