ଅପରାଧ

ଶ୍ରମିକଙ୍କ ଗଣଦୁଷ୍କର୍ମ ଯୋଗୁଁ ଅନ୍ତଃସତ୍ତ୍ବା ହେଲେ ୨ ନାବାଳିକା ଭଉଣୀ

ଅଲ୍‌ୱର୍‌: ରାଜସ୍ଥାନର ଅଲ୍‌ୱର ଜିଲ୍ଲାରେ ଗୋଟାଏ ଇଟାଭାଟିରେ ବାପାଙ୍କ ସହିତ କାମ କରୁଥିବା ଅନ୍ୟ ଦୁଇଜଣ ଶ୍ରମିକଙ୍କ ଦୁଷ୍କର୍ମ ଯୋଗୁଁ ୨ଜଣ ନାବାଳିକା ଭଉଣୀ ଅନ୍ତଃସତ୍ତ୍ବା ହୋଇଥିବା କଥା ଆଜି ପୁଲିସ କହିଛି।

ପୁଲିସ କହିବା ଅନୁସାରେ, ଘଟଣା ସଂକ୍ରାନ୍ତରେ ଶୁକ୍ରବାର ଦିନ ପୀଡ଼ିତାମାନଙ୍କ ବାପା ‘ଏନ୍‌ଇବି’ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗରେ ସେ ଉଲ୍ଲେଖ କରିଛନ୍ତି ଯେ, ସାପ୍ପି ଓ ଶୁଭାନ୍‌ ନାମରେ ଦୁଇଜଣ ଶ୍ରମିକ ତାଙ୍କ ୧୫ ଓ ୧୩ ବର୍ଷୀୟ ଝିଅଙ୍କ ସହିତ ଦୁଷ୍କର୍ମ କରିଛନ୍ତି।

ପେଟ ବ୍ୟଥା ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ହେଉଥିବା କଥା ବଡ଼ଝିଅ କହିବା ପରେ ପ୍ରକୃତ ଘଟଣା ଜଣାପଡ଼ିଥିଲା। ବଡ଼ଝିଅକୁ ବାପାମାଆ ଜଣେ ଡାକ୍ତରଙ୍କ ପାଖକୁ ନେଇଥିଲେ। ସେ ସାଢ଼େ ୭ ମାସର ଅନ୍ତଃସତ୍ତ୍ବା ବୋଲି ଡାକ୍ତର କହିଥିଲେ।

ପୁଲିସ କହିଛି, ଘଟଣା କ’ଣ ବୋଲି ବାପାମାଆ ପଚାରିବାରୁ ସାପ୍ପି ଓ ଶୁଭାନ୍‌ ତା’ ସହିତ ଦୁଷ୍କର୍ମ କରିଥିବା କଥା ସେ କହିଲା। ସେ ଆହୁରି ମଧ୍ୟ କହିଲା ଯେ, ଦୁହେଁ ସାନଭଉଣୀ ସହିତ ବି ଦୁଷ୍କର୍ମ କରିଛନ୍ତି। ଏକଥା କାହା ଆଗରେ କହିଲେ ମାରିଦେବେ ବୋଲି ଦୁଇ ଦୁଷ୍କର୍ମକାରୀ ଧମକ ଦେଇଥିଲେ।

ଅଲ୍‌ୱାର୍‌ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଆନନ୍ଦ ଶର୍ମା କହିଛନ୍ତି, ‘ଏନ୍‌ଇବି’ ଥାନାରେ ଶୁକ୍ରବାର ଦିନ ‘ଏଫ୍‌ଆଇଆର୍‌’ ପଞ୍ଜୀକରଣ କରାଯାଇ ଦୁଇ ଝିଅଙ୍କର ଡାକ୍ତରୀ ମାଇନା କରାଯାଇଛି। ଦୁହେଁ ଅନ୍ତଃସତ୍ତ୍ବା ବୋଲି ଡାକ୍ତରୀ ରିପୋର୍ଟ ସୁନିଶ୍ଚିତ କରିଛି। ସାନଭଉଣୀ ଅଢ଼େଇ ମାସ ହେବ ଅନ୍ତଃସତ୍ତ୍ବା ହୋଇଛି।

ଘଟଣାର ତଦନ୍ତ ଚାଲିଥିବା ବେଳେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନ ଥିବା କଥା ‘ଏନ୍‌ଇବି’ ‘ଏସ୍‌ଏଚ୍‌ଓ’ ଅନୀଲ ଜୈନ୍‌ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button