ଆସାମରେ ପ୍ରଳୟଙ୍କାରୀ ବନ୍ୟା

ଚଳିତବର୍ଷ ଶୀଘ୍ର ମୌସୁମୀ ପ୍ରବେଶ କରିବାରୁ ଆସାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବ୍ରହ୍ମପୁତ୍ର, ବରାକ, କୋପିଲି ଭଳି ପ୍ରମୁଖ ନଦୀରେ ବନ୍ୟା ଜଳ ଉଛୁଳୁଥିବାରୁ ଉତ୍ତରପୂର୍ବ ରାଜ୍ୟର ପ୍ରାୟ ୧୮ ଜିଲ୍ଲାରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଶନିବାର ସୁଦ୍ଧା ୩୦ ଜିଲ୍ଲାର ପ୍ରାୟ ୨୪ଲକ୍ଷରୁ ଅଧିକ ଲୋକ ଏଥିରେ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ୫୨ରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଛି। ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଧୁବ୍ରି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସାମରେ ସ୍ଵାଭାବିକଠାରୁ ୮୫ ପ୍ରତିଶତ ଅଧିକ ବର୍ଷା ହୋଇଛି। ୩୫୦୦ ଗାଁ ପ୍ରଭାବିତ ହୋଇଥିବାବେଳେ ୬୩ ହଜାରରୁ ଅଧିକ ଚାଷ ଜମି ଜଳମଗ୍ନ ହୋଇଛି। ସେପଟେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ଘଟଣାସ୍ଥଳକୁ ଯାଇ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡିଛି। ଆଇଏମଡିର ଆକଳନ ଅନୁଯାୟୀ ୬ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଆସାମ, ଅରୁଣାଞ୍ଚଳ ପ୍ରଦେଶ, ମେଘାଳୟ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।




