ଆଜି ହେଉଛି ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ, ଆସନ୍ତୁ ଜାଣିବା ଏହା ପଛର ଇତିହାସ – Ibnodisha
[ad_1]
ବ୍ୟୁରୋ : ସାମାଜିକ ଚକ୍ର ଚାଲୁ ରହିବା ପାଇଁ ମହିଳା ଓ ପୁରୁଷଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ। ତଥାପି ଅନେକ ଲୋକ ଆଜି ବି ଝିଅ-ପୁଅର ଭେଦଭାବ ଦେଖନ୍ତି। ଏହି ଭେଦଭାବକୁ ଦୂର କରିବା ପାଇଁ ପ୍ରତିବର୍ଷ ଆଜିର ଦିନକୁ ଅର୍ଥାତ୍ ଅକ୍ଟୋବର୧୧ କୁ ବିଶ୍ୱ କନ୍ୟା ସନ୍ତାନ ଦିବସ ରୂପେ ପାଳନ କରାଯାଉଛି। କାରଣ ସ୍ତ୍ରୀ-ପୁରୁଷର ଭେଦଭାବ ନରହିଲେ ଏକ ସୁସ୍ଥ ସମାଜ ଗଢିଉଠିବ। ଏଥିସହ ମହିଳାମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍ କରାଇବା, ସେମାନଙ୍କୁ ମୌଳିକ ଅଧିକାର ଦେବା ଏବଂ ମହିଳା ସଶକ୍ତିକରଣ ବିଷୟରେ ଲୋକଙ୍କୁ ସଚେତନ କରାଇବା ପାଇଁ ମଧ୍ୟ କନ୍ୟା ସନ୍ତାନ ଦିବସ ପାଳନ ଭଳି ଭିନ୍ନ ପଦକ୍ଷେପ ନିଆଯାଇଛି। ମିଳିତ ଜାତିସଂଘର ସାଧାରଣ ସଭାରେ ଏକ ସଂକଳ୍ପ ପାରିତ ହେବା ପରେ ଏହି ଦିବସ ପାଳନ କରାଯାଉଛି।
ଇତିହାସ
ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ଏକ ଏନଜିଓ ଅର୍ଥାତ୍ ବେସରକାରୀ ସଂଗଠନ ‘ପ୍ଲାନ୍ ଇଣ୍ଟରନ୍ୟାସନାଲ୍’ର ଏକ ପ୍ରୋଜେକ୍ଟ ଭାବରେ ଆରମ୍ଭ ହୋଇଥିଲା। ଏହି ସଂସ୍ଥା “କାରଣ ମୁଁ ଜଣେ ଝିଅ” ଅଭିଯାନ ମଧ୍ୟ ଆରମ୍ଭ କରିଛି। ଏହି ଅଭିଯାନକୁ ଅନ୍ତର୍ଜାତୀୟ ସ୍ତରରେ ବିସ୍ତାର କରିବା ପାଇଁ ସଂଗଠନ କାନାଡା ସରକାରଙ୍କୁ ଯୋଗାଯୋଗ କରିଥିଲା।
କାନାଡା ସରକାର ୫୫ତମ ସାଧାରଣ ସଭାରେ ଏହି ପ୍ରସ୍ତାବକୁ ଆଗତ କରିଥିଲେ ଏବଂ ମିଳିତ ଜାତିସଂଘ ଡିସେମ୍ବର ୧୯ , ୨୦୧୧ରେ ଏହି ସଂକଳ୍ପକୁ ପାରିତ କରିଥିଲା। ସେହିଦିନ ଅକ୍ଟୋବର ୧୧କୁ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ପାଇଁ ସ୍ଥିର କରାଯାଇଥିଲା। ଏହାପରେ ୨୦୧୨ ପରଠାରୁ ପ୍ରତିବର୍ଷ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ କରାଯାଉଛି।
ବିଷୟବସ୍ତୁ
ପ୍ରତିବର୍ଷ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ଏକ ବିଷୟବସ୍ତୁ ବା ଥିମ୍ ଆଧାରରେ ପାଳନ କରାଯାଏ। ଚଳିତ ବର୍ଷ ‘ବର୍ତ୍ତମାନ ଆମ ସମୟ- ଆମ ଅଧିକାର, ଆମ ଭବିଷ୍ୟତ'(“ଆୱାର ଟାଇମ ଇଜ ନାଓ – ଆୱାର ରାଇଟ ,ଆୱାର ଫିଉଚର .”) ଥିମ୍ ରଖାଯାଇଛି। ଏହି ଦିବସରେ ସ୍କୁଲ୍, କଲେଜ ଏବଂ ବେସରକାରୀ ସଂସ୍ଥାମାନରେ ସଚେତନତା ମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଏ। ମହିଳାମାନଙ୍କୁ ସମ୍ମାନ ଏବଂ ସେମାନଙ୍କ ଅଧିକାର ପାଇଁ ଅବଗତ କରାଯାଏ।
[ad_2]