ରାଜନୀତି

ସୁନାବେଡ଼ାରେ ଅନାସ୍ଥା ରାଜନୀତି: ଦୁଇ ଫାଳ ହୋଇଗଲା ବିଜେଡି

ୟପୁର/ସେମିଳିଗୁଡ଼ା: ବିଜେଡି ସମର୍ଥିତ ସୁନାବେଡ଼ା ପୌର ଉପାଧ୍ୟକ୍ଷା ଋତୁ କଣ୍ଟାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି ଖୋଦ୍ ଦଳୀୟ କାଉନସିଲର୍। ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପାତ୍ରଙ୍କ ସହ ବିଜେଡିର ୧୮ କାଉନସିଲର ଏ ନେଇ କୋରାପୁଟ ଜିଲ୍ଲାପାଳ ଭି. କୀର୍ତ୍ତିଭାସନଙ୍କୁ ଭେଟିଛନ୍ତି। ୪ ମାସ ହେଲା ଅନାସ୍ଥା ପ୍ରସ୍ତାବ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିବା ସତ୍ତ୍ବେ ନିଷ୍ପତ୍ତିରେ ବିଳମ୍ବକୁ ନେଇ କାଉନସିଲରମାନେ ପ୍ରଶ୍ନ ଉଠାଇଛନ୍ତି।

ପୌର ଉପାଧ୍ୟକ୍ଷାଙ୍କ ଦୁର୍ବ୍ୟବହାରରେ କାଉନସିଲରଙ୍କ ସମେତ ପୌର କର୍ମଚାରୀ ଅତିଷ୍ଠ ହୋଇ ତୁରନ୍ତ ଅନାସ୍ଥା ‌ଭୋଟ କରାଇବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି। ଅନାସ୍ଥା ରାଜନୀତିକୁ ନେଇ ସୁନାବେଡ଼ା ବିଜେଡି ଦୁଇ ଫାଳ ହେବା ପରେ ରାଜନୀତି ସରଗରମ ହୋଇଛି।

୨୦୨୨ ପୌର ନିର୍ବାଚନରେ ସୁନାବେଡ଼ା ପୌରପାଳିକାର ମୋଟ୍‌ ୨୫ଟି ୱାର୍ଡରୁ ୧୯ଟିରେ ବିଜେଡି ପ୍ରାର୍ଥୀଙ୍କ ବିଜୟ ହୋଇଥିଲା। କଂଗ୍ରେସ ୩ଟି, ବିଜେପି ୨ଟି ଓ ସ୍ବାଧୀନ ପ୍ରାର୍ଥୀ ଗୋଟିଏ ୱାର୍ଡରେ ବିଜୟୀ ହୋଇଥିଲେ। ଅଧ୍ୟକ୍ଷ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଡ.ରାଜେନ୍ଦ୍ର ପ୍ରସାଦ ପାତ୍ର ବିଜୟୀ ହୋଇଥିଲେ। ପରବର୍ତ୍ତୀ ସମୟରେ ଅଧ୍ୟକ୍ଷ ରାଜେନ୍ଦ୍ର ପାତ୍ର ବିଜେଡିରେ ସାମିଲ୍ ହୋଇଥିଲେ। ସେପଟେ ଦଳୀୟ ନିଷ୍ପତ୍ତି ଓ ବିଜେଡି କାଉନସିଲରଙ୍କ ସମର୍ଥନରେ ଋତୁ କଣ୍ଟା ପୌର ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ। ତେବେ ପୌର ଉପାଧ୍ୟକ୍ଷା ନିର୍ବାଚନ ପରେ ଋତୁ କଣ୍ଟା ଦଳୀୟ କାଉନସିଲରଙ୍କୁ ସମର୍ଥନ କରିବା ବଦଳରେ ଦୁର୍ବ୍ୟବହାର କରିବା ସହ ଏକଚାଟିଆ ନିଷ୍ପତ୍ତି ନେଇ ହଇରାଣ ହରକତ କରୁଥିଲେ। ଏଥିସହିତ ଉନ୍ନୟନ କାର୍ଯ୍ୟରେ ସହଯୋଗ ନ କରି ବାଧା ସୃଷ୍ଟି କରୁଥିଲେ। ଏହାର ପ୍ରତିବାଦ କଲେ ଋତୁ ଓ ତାଙ୍କ ସହଯୋଗୀ ଧମକଚମକ ଦେଉଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି କାଉନସିଲର୍। ଏପରିକି ସାଧାରଣ ନିର୍ବାଚନ ପୂର୍ବରୁ ଦଳୀୟ ବୈଠକରେ କାଉନସିଲର୍ ଓ ଉପାଧ୍ୟକ୍ଷାଙ୍କ ସମର୍ଥକ ହାତାହାତି ହେବା ସହ ଚେୟାର୍ ଫିଙ୍ଗା ଫୋପଡ଼ା, ଟେଣ୍ଟ୍ ଭଙ୍ଗାରୁଜା ପର୍ଯ୍ୟନ୍ତ କଥା ଯାଇଥିଲା।

ବିଜେଡି କାଉନସିଲର ଓ ଉପାଧ୍ୟକ୍ଷାଙ୍କ ମଧ୍ୟରେ ଲାଗି ରହିଥିବା ଛାୟାଯୁଦ୍ଧର ପ୍ରଭାବ ୨୦୨୪ ସାଧାରଣ ନିର୍ବାଚନରେ ପଡ଼ିଥିଲା। ସୁନାବେଡ଼ା ପୌରାଞ୍ଚଳରେ ବିଜେଡି ଭୋଟ୍‌ ହାର କମିଥିଲା। ବିଜେଡି ପ୍ରାର୍ଥୀ ରଘୁରାମ ପଡାଲ୍ ପୌରାଞ୍ଚଳରୁ ୭୦୩୩ ଭୋଟ୍‌ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ରଘୁରାମ ମାଛ ୮୭୦୮ ଭୋଟ୍‌ ପାଇଥିଲେ। ରଘୁରାମ ମାଛ ୨୫୨୪ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ କେବଳ ସୁନାବେଡାରୁ ବିଜେପିକୁ ୧୬୭୫ ଭୋଟ୍‌ ଅଧିକ ମିଳିଥିଲା। ଅନ୍ୟପଟେ ଋତୁଙ୍କ କାର୍ଯ୍ୟକଳାପ କାଉନସିଲରଙ୍କ ପାଇଁ ଅସହ୍ୟ ହେବାରୁ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button