ଦେଶ

ସାଗର: ମନ୍ଦିର କାନ୍ଥ ଭୁଶୁଡି ୯ ପିଲା ମୃତ, ମୃତକଙ୍କୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଧ୍ୟପ୍ରଦେଶ ସାଗର ଜିଲ୍ଲାର ଶାହପୁରରେ ଏକ ମନ୍ଦିର କାନ୍ଥ ଭୁଶୁଡି ୯ ଶିଶୁ ମୃତଙ୍କର ମୃତ୍ୟୁ ହୋଇଛି । ଘଟଣାରେ ୬ରୁ ଅଧିକ ପିଲା ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ସାଗର ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇଛି । ଶାହାପୁରରେ ହରଦୟାଲ ବାବା ମନ୍ଦିରରେ ଏହି ଅଘଟଣ ଘଟିଛି । ପ୍ରବଳ ବର୍ଷା ଯୋଗୁଁ ୫୦ ବର୍ଷ ପୁରୁଣା ମନ୍ଦିର କାନ୍ଥ ଭୁଶୁଡିଥିଲା ।

ସେ ସମୟରେ ମନ୍ଦିର ପରିସରରେ ଶ୍ରାବଣ ମାସ ଲାଗି ମାଟିର ଶିବ ଲିଙ୍ଗ ତିଆରି ଚାଲିଥିଲା । କାନ୍ଥ ଭୁଶୁଡି ପଡିବାରୁ ପିଲାମାନେ ଏହା ତଳେ ଚାପି ହୋଇଯାଇଥିଲେ । ମୃତକ ଏବଂ ଆହତଙ୍କ ପିଲାଙ୍କ ବୟସ ୧୦ରୁ ୧୪ ବର୍ଷ ମଧ୍ୟରେ ରହିଛି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ୪-୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ।

ଖବର ମୁତାବକ, ଯେଉଁ କାନ୍ଥ ପଡିଛି, ତାହା ୫୦ ବର୍ଷ ପୁରୁଣା ରହିଥିଲା । କାନ୍ଥ ପ୍ଲାଷ୍ଟର ହୋଇନଥିଲା । ବର୍ଷା ପାଣି ଯୋଗୁଁ କାନ୍ଥ ଦୁର୍ବଳ ହୋଇପଡିଥିବାରୁ ଏଭଳି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ବୁଲଡୋଜର ସାହାଯ୍ୟରେ ମାଟି ହଟାଯାଇଛି । ସାଗର ଜିଲ୍ଲାପାଳ ଦୀପକ ଆର୍ଯ୍ୟ କହିଛନ୍ତି, କାନ୍ଥ ପଡିବା ଯୋଗୁଁ ୯ ପିଲାଙ୍କର ମୃତ୍ୟୁ ହୋଇଛି । କିଛି ଆହତ ରହିଛନ୍ତି, ସେମାନଙ୍କର ଚିକିତ୍ସା ଚାଲିଛି । ଘଟଣା ସ୍ଥଳରୁ ସମସ୍ତ ଭଗ୍ନାବଶେଷ ହଟାଯାଇଛି । ଶାହପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲା ।

ଏହି ଘଟଣାକୁ ନେଇ ଶୋକ ବ୍ୟକ୍ତ କରିଛନ୍ତି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ । ମୃତ ପିଲାମାନଙ୍କ ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି । ସେହିପରି ଆହତମାନେ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ସେ ଆଶା ରଖିଥିବା କହିଛନ୍ତି ।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶରେ ଦିନକ ତଳେ କାନ୍ଥ ଭୁଶୁଡି ୪ ଶିଶୁଙ୍କ ମୃତ୍ୟୁ ହୋଇଥିଲା । ସ୍କୁଲରୁ ଫେରୁଥିବା ସମୟରେ ଏକ ପରିତ୍ୟକ୍ତ ଘରର କାନ୍ଥ ଭୁଶୁଡିବାରୁ ଶିଶୁଙ୍କ ମୃତ୍ୟୁ ହୋଇଥିଲା । ମଧ୍ୟ ପ୍ରଦେଶରେ ଭୀଷଣ ବର୍ଷା ହେଉଥିବା ବେଳେ ଏଭଳି ଘଟଣାଗୁଡ଼ିକ ଘଟୁଛି । ସେହି ଘଟଣାର ଦିନକ ପରେ ପୁଣି ଥରେ କାନ୍ଥ ଭୁଶୁଡି ୯ ଶିଶୁଙ୍କ ମୃତ୍ୟୁ ହୋଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button