ରାଜ୍ୟ

।ଶ୍ରୀମନ୍ଦିର କ୍ଷେତ୍ରରେ ସରକାର ମୋ ପରାମର୍ଶ ନେଉନାହାନ୍ତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିଚାଳିତ.

ପୁରୀ: ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବା ପରେ ଭକ୍ତଙ୍କ ପ୍ରବେଶ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିଲା। ଏପରିକି, ଦୀର୍ଘ ବର୍ଷ ପରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ବି ଖୋଲାଯାଇଛି। ହେଲେ ଏ ପ୍ରସଙ୍ଗ ହେଉ ବା ଶ୍ରୀମନ୍ଦିରର ଅନ୍ୟ କୌଣସି ପ୍ରସଙ୍ଗରେ ରାଜ୍ୟ ସରକାର ତାଙ୍କ ପରାମର୍ଶ ନେଇନାହାନ୍ତି। ଶ୍ରୀମନ୍ଦିରର କୌଣସି କ୍ଷେତ୍ରରେ ମୋତେ ପଚାରୁ ନାହାନ୍ତି କିମ୍ବା ପରାମର୍ଶ ନେଉନାହାନ୍ତି ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ।

 

ଶୁକ୍ରବାର ଗୋବର୍ଦ୍ଧନ ପୀଠକୁ ଯାଇ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିଥିଲେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘ ଚାଳକ ମୋହନ ଭାଗବତ। ଏହି ସାକ୍ଷାତ ବେଳେ ହିନ୍ଦୁ ରାଷ୍ଟ୍ର, ସନାତନ ଧର୍ମ, ମାତୃ ଶକ୍ତିର ସୁରକ୍ଷା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏହି ଅବସରରେ ଜଗତ୍‌ଗୁରୁ ଗଣମାଧ୍ୟମକୁ ବିଭିନ୍ନ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କହିଥିଲେ ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିଚାଳିତ ହେଉଛନ୍ତି। ରାଜ୍ୟ ସରକାର କୌଣସି ଧାର୍ମିକ ବା ଆଧ୍ୟାତ୍ମିକ କ୍ଷେତ୍ରରେ ମୋର ପରାମର୍ଶ ନେଉନାହାନ୍ତି। ଗଜପତି ମହାରାଜା, ଶ୍ରୀମନ୍ଦିର ପରିଚାଳନା କମିଟି, ସରକାର ସମସ୍ତେ ମୋଠାରୁ ଦୂରତା ଅବଲମ୍ବନ କରୁଛନ୍ତି। ଶ୍ରୀମନ୍ଦିର ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟଙ୍କ ମତାମତ ନେଉନାହାନ୍ତି ସରକାର। ରତ୍ନଭଣ୍ଡାର ହେଉ କିମ୍ବା ଅନ୍ୟ କୌଣସି ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ବେଳେ ମୋତେ ଅବଗତ କରାଯାଉନାହିଁ।

ଶ୍ରୀମନ୍ଦିରର ଯେ କୌଣସି କାର୍ଯ୍ୟରେ ମୋର ପରାମର୍ଶ ନେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ ସମସ୍ତେ ଅଣଦେଖା କରୁଛନ୍ତି। ମହାପ୍ରଭୁଙ୍କର ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମରେ ରାଜନେତାମାନେ ନିଷ୍ପତ୍ତି ନେଉଛନ୍ତି, ଯାହା ଆଦୌ ଠିକ୍‌ ନୁହେଁ। ଏଭଳି ମନମୁଖୀ କାମ ପାଇଁ ଅଘଟଣ ଘଟୁଛି। ରଥରେ ବଡ଼ଠାକୁର ବଳଭଦ୍ର ପଡ଼ିଗଲେ। ମହାପ୍ରଭୁ ସବୁ ସହିବେ ଗର୍ବ ସହିବେ ନାହିଁ, ଆଗକୁ ବଡ଼ ବିପଦ ଆସୁଛି ବୋଲି ବଡ଼ଠାକୁର ସଙ୍କେତ ଦେଇଥିବା କହିଛନ୍ତି ଶଙ୍କରଚାର୍ଯ୍ୟ।

ବାଂଲାଦେଶରେ ହିନ୍ଦୁ ମନ୍ଦିର ଭାଙ୍ଗିବା, ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଶଙ୍କରାଚାର୍ଯ୍ୟ। ସେ କହିଛନ୍ତି, ହିନ୍ଦୁ ଅସୁରକ୍ଷିତ ହେଲେ କୌଣସି ତନ୍ତ୍ର ରକ୍ଷା ପାଇବ ନାହିଁ। ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣ ବନ୍ଦ ନ ହେଲେ ମୁସଲମାନଙ୍କ ଉପରେ ଏହାର ଭୟଙ୍କର ପ୍ରଭାବ ପଡ଼ିବ। ସେମାନେ ସତର୍କ ହୋଇଯିବା ଦରକାର। ଏହା ପଛରେ ଚୀନ୍‌ର ଷଡ଼ଯନ୍ତ୍ର ରହିଛି। ଯଦି ବାଂଲାଦେଶ ଚୀନ୍‌ କୂଟନୀତିର ଶିକାର ହୋଇଥାଏ, ତେବେ ହିନ୍ଦୁଙ୍କ କ୍ଷତି କମ୍‌ ହେବ କିନ୍ତୁ ମୁସଲମାନଙ୍କ ଅସ୍ତିତ୍ୱ ରହିବ ନାହିଁ। ସେମାନେ ଜାଣିବା ଦରକାର ହିନ୍ଦୁ ସୁରକ୍ଷିତ ରହିଲେ ମୁସଲମାନ ସୁରକ୍ଷିତ ରହିବେ। ହିନ୍ଦୁମାନଙ୍କୁ ଯେଉଁ ଦେଶ ବି ଶତ୍ରୁ ମନେ କରିବ ତା’ର ଅସ୍ତିତ୍ୱ ରହିବ ନାହିଁ।

ସେହିପରି ଗୋ-ବଂଶ ହତ୍ୟାକୁ ନେଇ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଛନ୍ତି ଶଙ୍କରାଚାର୍ଯ୍ୟ। ସେ କହିଛନ୍ତି, ଯେତେବେଳେ ମନମୋହନ ସିଂହ ଭାରତର ପ୍ରଧାନମନ୍ତ୍ରୀ ଥିଲେ ସେତେବେଳେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ ନରେନ୍ଦ୍ର ମୋଦି। ସେତେବେଳେ ନରେନ୍ଦ୍ର ମୋଦି ଗୋ-ହତ୍ୟା ବନ୍ଦ ହେବା ଦରକାର ବୋଲି କହୁଥିଲେ। କିନ୍ତୁ ନିଜେ ୧୧ବର୍ଷ ହେଲାଣି ଭାରତର ପ୍ରଧାନମନ୍ତ୍ରୀ ଅଛନ୍ତି। ମନମୋହନ ସରକାରଙ୍କୁ ସେ ଯେଉଁ ଉପଦେଶ ଦେଉଥିଲେ, ନିଜେ କାହିଁକି ଗୋ-ହତ୍ୟା ବନ୍ଦ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶଙ୍କରାଚାର୍ଯ୍ୟ।

Related Articles

Leave a Reply

Your email address will not be published. Required fields are marked *

Back to top button