ସଙ୍କଟରୁ ସୁଯୋଗ

ଅଭାବ ହିଁ ଉଦ୍ଭାବନର ଜନନୀ ଏବଂ ସଙ୍କଟରୁ ସୁଯୋଗ ସୃଷ୍ଟି ହୁଏ – ଏହି ଦୁଇଟି ଆପ୍ତ ବାକ୍ୟ ଏବେ ଅସ୍ଥିର ବାଂଲାଦେଶ ପୃଷ୍ଠଭୂମିରେ ପଡ଼ୋଶୀ ଭାରତ ପାଇଁ ଅଧିକ ପ୍ରଯୁଜ୍ୟ। ବାଂଲାଦେଶର ଅସ୍ଥିର ରାଜନୀତି, ବିପର୍ଯ୍ୟସ୍ତ ଅର୍ଥନୀତି ଓ ପ୍ରାକୃତିକ ଦୁର୍ବିପାକ ବିଧ୍ୱସ୍ତ ଭୌଗୋଳିକ ସ୍ଥିତି ଭାରତ ପାଇଁ କିଭଳି ବିପଦ ସୃଷ୍ଟି କରିଛି ସେ ବିଷୟରେ ଏ ସ୍ତମ୍ଭରେ ପୂର୍ବରୁ ଆମେ ଆଲୋଚନା କରିଛୁ।
ସାମ୍ପ୍ରତିକ ବାଂଲାଦେଶର ସଙ୍କଟ ଓ ସମ୍ଭାବ୍ୟ ସ୍ଥିତି ଭାରତ ପାଇଁ କ’ଣ ଓ କିଭଳି ସୁଯୋଗ ସୃଷ୍ଟି କରିଛି ଓ କରିବାକୁ ଯାଉଛି, ତାହା କିଞ୍ଚିତ ଆଲୋଚନାର ଅପେକ୍ଷା ରଖେ।
ଆମେ ପୂର୍ବରୁ କହିଛୁ ଯେ ବାଣିଜ୍ୟ କାରବାର ଦୃଷ୍ଟିରୁ ଏସିଆ ମହାଦେଶରେ ଚୀନ୍ ପରେ ଭାରତ ହେଉଛି ବାଂଲାଦେଶର ଦ୍ୱିତୀୟ ବୃହତ୍ ଏବଂ ଉପମହାଦେଶରେ ସର୍ବବୃହତ୍ ବାଣିଜ୍ୟ ସହଯୋଗୀ। ଗତ ଆର୍ଥିକ ବର୍ଷରେ ଭାରତ-ବାଂଲାଦେଶ ବାଣିଜ୍ୟ କାରବାର ୧୩୦୦ କୋଟି ଆମେରିକୀୟ ଡଲାରରେ ପହଞ୍ଚିଥିବା ବେଳେ ଭାରତୀୟ କପା ରପ୍ତାନୀର ସବୁଠାରୁ ବଡ଼ ବଜାର ହେଉଛି ବାଂଲାଦେଶ। ଏହାଛଡ଼ା ପେଟ୍ରୋଲିୟମ, ଶସ୍ୟ, ଚା’, କଫି, ପନିପରିବା, ଯାନବାହନ, ବୈଦ୍ୟୁତିକ ଯନ୍ତ୍ରପାତି ଆମଦାନୀକାରୀ ରାଷ୍ଟ୍ର ଭାବେ ବାଂଲାଦେଶ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ ପେଣ୍ଠ ଏବଂ ବାଂଲାଦେଶର ବୟନ ଶିଳ୍ପର ଭାରତ ସର୍ବବୃହତ୍ ଆମଦାନୀକାରୀ। ଗତ ଆର୍ଥିକ ବର୍ଷରେ ଭାରତ ମୋଟ ୩୯୧ ନିୟୁତ ଆମେରିକୀୟ ଡଲାରର ବୟନ ସାମଗ୍ରୀ ବାଂଲାଦେଶରୁ ଆମଦାନୀ କରିଥିଲା। ବାଣିଜ୍ୟ ଓ ନିବେଶକୁ ତ୍ୱରାନ୍ୱିତ କରିବା ପାଇଁ ଗତ ବର୍ଷ ହିଁ ଭାରତ-ବାଂଲାଦେଶ ମଧ୍ୟରେ ‘ମୁକ୍ତ ବାଣିଜ୍ୟ ଚୁକ୍ତିନାମା’ ସ୍ୱାକ୍ଷରିତ ହୋଇଛି। ଏହାଦ୍ୱାରା ବାଂଲାଦେଶର ଭାରତକୁ ରପ୍ତାନୀ ପରିମାଣ ୨୯୭% ଏବଂ ଭାରତର ବାଂଲାଦେଶକୁ ରପ୍ତାନୀ ପରିମାଣ ୧୭୨% ବୃଦ୍ଧି ପାଇଛି। ବାଂଲାଦେଶକୁ ଭାରତର ରପ୍ତାନୀ ଦକ୍ଷିଣ ଏସିଆ ମୁକ୍ତ ବାଣିଜ୍ୟ ଅଞ୍ଚଳ(ସାଫ୍ଟା) ଚୁକ୍ତି ଅନୁଯାୟୀ ହେଉନାହିଁ ଅଥଚ ଆମଦାନୀ ଶୂନ୍ୟ ଶୁଳ୍କ ନୀତିରେ ସମ୍ପାଦିତ ହେଉଛି। ଫଳରେ ଗତ ଆର୍ଥିକ ବର୍ଷରେ ଭାରତର ବାଂଲାଦେଶ ସହିତ ବାଣିଜ୍ୟ ବଳକା ପରିମାଣ ୯୨୦ କୋଟି ଆମେରିକୀୟ ଡଲାରର ସୁଖଦ ସ୍ଥିତିରେ ରହିଛି। ବାଣିଜ୍ୟ ସମ୍ପର୍କକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଶେଖ୍ ହସିନାଙ୍କ ଗତ ଭାରତ ଗସ୍ତ ଅବସରରେ ‘ବିସ୍ତୃତ ଅର୍ଥନୈତିକ ସହଯୋଗୀ ଚୁକ୍ତି(ସେପା)’ ପାଇଁ ଆଲୋଚନା ଚୂଡ଼ାନ୍ତ ହୋଇସାରିଛି।
ଅର୍ଥନୀତିଜ୍ଞମାନେ ଆଶଙ୍କା କରୁଛନ୍ତି ଯେ ଶେଖ୍ ହସିନାଙ୍କ ପରବର୍ତ୍ତୀ ବାଂଲାଦେଶୀ ରାଜନୈତିକ ଦୃଶ୍ୟପଟ୍ଟରେ ଭାରତ-ବାଂଲା ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କର ସ୍ଥିତି ଓ ସମ୍ଭାବନା ପ୍ରଭାବିତ ହୋଇପାରେ। ଆଉ କେତେକ ଅର୍ଥନୀତିଜ୍ଞଙ୍କ ମତ ହେଉଛି ବାଂଲାଦେଶର ଏହି ସଙ୍କଟ ଭାରତର ବାଣିଜ୍ୟ ପାଇଁ ନୂଆ ସୁଯୋଗ ଆଣିଛି। ତେଣୁ ଭାରତ ସମୟ ଓ ସୁଯୋଗର ଫାଇଦା ଉଠାଇବା ଆବଶ୍ୟକ। ସମ୍ପ୍ରତି ବିଶ୍ୱ ପୋଷାକ ରେଡିମେଡ୍ ଗାର୍ମେଣ୍ଟ(ଆରଏମ୍ଜି) ରପ୍ତାନୀ ଶିଳ୍ପରେ ବାଂଲାଦେଶ ଚୀନ୍ ପଛକୁ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଭାରତର ସ୍ଥାନ ସପ୍ତମ। ଚୀନ୍ର ଆରଏମ୍ଜି ମୂଲ୍ୟ ଆନ୍ତର୍ଜାତିକ ବଜାରରେ ବୃଦ୍ଧି ପାଉଥିବାରୁ ବାଂଲାଦେଶର ଉତ୍ପାଦ ପ୍ରତି ଆଗ୍ରହ ବଢ଼଼ୁଛି। ବିଶେଷକରି ବାଂଲାଦେଶର ପଡ଼ୋଶୀ ରାଷ୍ଟ୍ରମାନେ ଆରଏମ୍ଜି ପାଇଁ ବାଂଲାଦେଶ ଉପରେ ସମ୍ପୂର୍ଣ୍ଣ ଓ ପ୍ରତ୍ୟକ୍ଷ ଭାବେ ନିର୍ଭରଶୀଳ। କିନ୍ତୁ ବାଂଲାଦେଶର ଅସ୍ଥିରତା ଯଦି ଦୁଇ/ତିନିମାସ ଲାଗି ରହେ ତେବେ ସେଠାକାର ଆରଏମ୍ଜି ଶିଳ୍ପ ଗୁରୁତର ପ୍ରଭାବିତ ହେବା ନିଶ୍ଚିତ। ଏହି ପୃଷ୍ଠଭୂମିରେ ବାଂଲାଦେଶର ଗ୍ରାହକ ଦେଶମାନଙ୍କୁ ଆକୃଷ୍ଟ କରି ଭାରତ ତା’ର ଆରଏମ୍ଜି ଶିଳ୍ପ କାରବାର ତତ୍କାଳ ମାସିକ ୨୦-୨୫ କୋଟି ଆମେରିକୀୟ ଡଲାର ଏବଂ ଏ ଦିଗରେ ପ୍ରଯତ୍ନ କଲେ ମାସିକ ୩୦-୩୫ କୋଟି ଡଲାର ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ଏକ ଅପୂର୍ବ ସୁଯୋଗ ଓ ସମ୍ଭାବନା ରହିଛି। ଏବେ ପିଏମ୍ ମିତ୍ର(ପ୍ରଧାନମନ୍ତ୍ରୀ ବୃହତ୍ ସମନ୍ୱିତ ବୟନ ମଣ୍ଡଳ) ପାର୍କ, ପିଏଲ୍ଆଇ(ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ), ଏଫ୍ଟିଏ(ମୁକ୍ତ ବାଣିଜ୍ୟ ରାଜିନାମା) ଜରିଆରେ ଭାରତୀୟ ବୟନ ଶିଳ୍ପକୁ ବିଶ୍ୱାୟନ କରାଯିବାର ପ୍ରଚେଷ୍ଟା ଜାରି ରହିଛି। ବାଂଲାଦେଶର ଅସ୍ଥିରତାରୁ ଚୀନ୍ ଫାଇଦା ଉଠାଇବା ପୂର୍ବରୁ ଭାରତକୁ ଏ ଦିଗରେ ଆହୁରି ଯତ୍ନଶୀଳ ହେବାକୁ ପଡ଼ିବ ଏବଂ ତ୍ୱରିତ ରଣନୀତି ପ୍ରସ୍ତୁତ କରିବାକୁ ହେବ।
ଭାରତରେ ବିକାଶ ପ୍ରକ୍ରିୟାର ସବୁଠାରୁ ବଡ଼ ବିଡ଼ମ୍ବନା ହେଉଛି ଭାରତୀୟ ଗଣତାନ୍ତ୍ରିକ ଓ ବହୁଦଳୀୟ ରାଜନୈତିକ ବ୍ୟବସ୍ଥା। ଏହି ବ୍ୟବସ୍ଥାରେ ତତ୍କାଳ କୌଣସି ନୀତିଗତ ନିଷ୍ପତ୍ତି ବା ସମୟୋପଯୋଗୀ ରଣନୀତି ପ୍ରସ୍ତୁତ କରିବା ସମ୍ଭାବନା ବହୁତ୍ କମ୍। ବିଭିନ୍ନ ପରିବେଶ ଓ ମାନବାଧିକାର ସଂଗଠନ, ଶ୍ରମିକ ସଂଗଠନଙ୍କ ବିରୋଧ, ମେଣ୍ଟ ସରକାରର ବାଧ୍ୟବାଧକତା, ନ୍ୟାୟିକ ରହିତାଦେଶ ଆଦି ପ୍ରତିବନ୍ଧକକୁ ସାବଲୀଳ ଭାବେ ଅତିକ୍ରମ କଲେ ଯାଇ ବାଂଲାଦେଶର ଅସ୍ଥିର ସ୍ଥିତିରୁ ଭାରତ ରପ୍ତାନୀ ବାଣିଜ୍ୟରେ ଫାଇଦା ଉଠାଇପାରିବ। ଏହା କଷ୍ଟସାଧ୍ୟ ଜଣାପଡ଼ୁଥିଲେ ମଧ୍ୟ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ଥିଲେ ଅସମ୍ଭବ ନୁହେଁ। ତେଣୁ ଭାରତୀୟ ବୟନ, ପୋଷାକ ଓ ଫ୍ୟାସନ୍ ଶିଳ୍ପର ପ୍ରତିନିଧିମାନେ ମଧ୍ୟ ଏ ଦିଗକୁ ଇଙ୍ଗିତ କରିସାରିଛନ୍ତି। ସେମାନଙ୍କ ମତରେ ବାଂଲାଦେଶର ବୟନ ଓ ପୋଷାକ ଶିଳ୍ପ ଆମଦାନୀକାରୀମାନଙ୍କର ଚାହିଦା ପୂରଣ କରିବାରେ ଭାରତକୁ ଏତେ ଶୀଘ୍ର ସକ୍ଷମ କରିବାକୁ ହେଲେ କେନ୍ଦ୍ର ସରକାର ଆମଦାନୀ ନୀତି କୋହଳ କରିବାକୁ ପଡ଼ିବ। ବାଂଲାଦେଶରେ ଉତ୍ପାଦିତ ବୟନ ସାମଗ୍ରୀ ଅଧିକରୁ ଅଧିକ ହାତତିଆରି, ଯାହାର କଞ୍ଚାମାଲ୍ ଚୀନ୍, କୋରିଆ ଓ ୟୁରୋପରୁ ଆମଦାନୀ ହୁଏ। ଭାରତ ଯଦି ସୁଯୋଗର ଲାଭ ଉଠାଇବାକୁ ଚାହେଁ ତେବେ ତତ୍କାଳ ନୀତିଗତ ସଂଶୋଧନ କରି ଆମଦାନୀ ସ୍ଥାଣୁତା ଓ କଟକଣାକୁ ହଟାଇବା ଅପରିହାର୍ଯ୍ୟ।
ବାଂଲାଦେଶର ସଙ୍କଟକୁ କେତେ ଶୀଘ୍ର ଓ କେତେ ପ୍ରଭାବଶାଳୀ ଢଙ୍ଗରେ ଭାରତ ସୁଯୋଗରେ ପରିଣତ କରିପାରିବ ତାହା ରାଜନୈତିକ ଇଚ୍ଛାଶକ୍ତି ସମେତ ନାଲିଫିତାର ମାନସିକତା ଉପରେ ନିର୍ଭର କରେ। ୧୯୯୧ ମସିହାରୁ ଆମେ ଘରୋଇକରଣ ଓ ଉଦାରୀକରଣ ରାସ୍ତାରେ ଚାଲୁଥିଲେ ହେଁ ଏ ପର୍ଯ୍ୟନ୍ତ ଲାଇସେନ୍ସରାଜ୍ର ପରିସମାପ୍ତି ଘଟିନାହିଁ। କୋଭିଡ୍ ପରବର୍ତ୍ତୀ ସମୟରେ ଚୀନ୍ରୁ ମୁହଁ ଫେରାଉଥିବା ବିଭିନ୍ନ ଶିଳ୍ପ ସଂସ୍ଥାମାନଙ୍କୁ ଆକୃଷ୍ଟ କରିବା ପାଇଁ ଭାରତ ପାଖରେ ଅପୂର୍ବ ସୁଯୋଗ ଥିଲା। କିନ୍ତୁ ରାଜନୈତିକ ବୟାନବାଜି ଓ ବିରୋଧାଭାସ ଭିତରେ ‘ମେକ୍ ଇନ୍ ଇଣ୍ଡିଆ’ର ଗତିଶୀଳତା ଶିଥିଳ ହୋଇଗଲା। ସମୟ ଓ ସୁଯୋଗ ସବୁବେଳେ ଆସେ ନାହିଁ। ଏହାକୁ ଯିଏ ଉଚିତ ସମୟରେ ଉଚିତ ଢଙ୍ଗରେ କାର୍ଯ୍ୟକାରୀ କରିପାରିବ ସେ ହିଁ ବିଶ୍ୱବିଜେତା ଭାବେ ଗଣାଯିବ। ବାଂଲାଦେଶ ସଙ୍କଟର ଆହ୍ୱାନକୁ ମୁକାବିଲା କରିବା ପାଇଁ ଆମ ପାଖରେ ଯେଉଁ ଆବଶ୍ୟକ ନୈତିକ ରଣନୀତିର ଅଭାବବୋଧ ପରିଲକ୍ଷିତ ହେଉଛି ତାହାକୁ ଦୂର କରି ସୁଯୋଗ ଓ ସମ୍ଭାବନା ବିକଳ୍ପ ଆବିଷ୍କାର କରିବାର ବେଳ ଆସିଛି। ଆଶା ଭାରତ ଏଥର ସୁଯୋଗକୁ ହାତଛଡ଼ା କରିବ ନାହିଁ।




