ରାଜ୍ୟ

ମିଶନ୍-ଚାଷ କରିବା ନା ଆଳୁଚାଷ?

ଡ଼ିଶାର ଖାଉଟିଙ୍କ ପାଇଁ ବାର୍ଷିକ ହାରାହାରି ୧୩ ଲକ୍ଷ ୫୦ ହଜାର ମେଟ୍ରିକ ଟନ୍ ଆଳୁ ଆବଶ୍ୟକ ହେଉଥିଲା ବେଳେ ଆମ ରାଜ୍ୟରେ ସର୍ବାଧିକ ୩ ଲକ୍ଷ ମେଟ୍ରିକ ଟନ୍ ଆଳୁ ଉତ୍ପାଦିତ ହେଉଛି। ଏତିକି ମାତ୍ର ଆଳୁ ସାଇତି ରଖିବା ପାଇଁ ଆବଶ୍ୟକ ସଂଖ୍ୟକ ଶୀତଳଭଣ୍ଡାର ନଥିବାରୁ ଚାଷୀମାନେ ବାଧ୍ୟ ହୋଇ ବେପାରୀମାନଙ୍କୁ ଅମଳ ସମୟରେ କୁଇଣ୍ଟାଲ ପିଛା ୫୦୦ରୁ ୭୦୦ ଟଙ୍କାରେ ବିକିବାକୁ ବାଧ୍ୟ ହେଉଛନ୍ତି।

ଏପରି ଅଭାବୀ ବିକ୍ରି ଦର ଲାଭଜନକ ହେଉ ନଥିବାରୁ ଆଳୁଚାଷ କରିବା ଲାଗି ଚାଷୀମାନଙ୍କ ଭିତରେ ଆଗ୍ରହ କମିଯାଉଛି।

ଆଳୁ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାକୁ ସ୍ୱାବଲମ୍ବୀ କରିବାପାଇଁ ୨୦୧୫ ମସିହାରେ ତତ୍କାଳୀନ ସରକାର ଆରମ୍ଭ କରିଥିଲେ ବହୁ ପ୍ରଚାରିତ ଆଳୁ ମିଶନ। ଏଥିପାଇଁ କୋଟି କୋଟି ଟଙ୍କା ରାଜକୋଷରୁ ଖର୍ଚ୍ଚ କରାଗଲା। ଆଳୁ ମିଶନ ମାଧ୍ୟମରେ କେଉଁ ବର୍ଷ କେଉଁ ଜିଲ୍ଲାରେ ସର୍ବନିମ୍ନ କେତେ ହେକ୍ଟର ଜମିରେ ଆଳୁଚାଷ କରାଯିବ ଏବଂ ଏଥିଲାଗି ଚାଷୀଙ୍କୁ ହେକ୍ଟର ପିଛା କେତେ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ତାହାର ନୀଳନକ୍ସା ଅଙ୍କନ କରାଗଲା, ଆର୍ଥିକ ଖସଡ଼ା ପ୍ରସ୍ତୁତ ହେଲା। ଆଶା ସୃଷ୍ଟିହେଲା, ସତେ ଯେପରି, ଆଳୁ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ୩-୪ ବର୍ଷ ମଧ୍ୟରେ ସ୍ୱାବଲମ୍ବୀ ହୋଇଯିବ। କିନ୍ତୁ ଆଳୁ ମିଶନ ନାମରେ କୋଟିକୋଟି ଟଙ୍କା ବରବାଦ କରାଗଲା। ପ୍ରଚାରସର୍ବସ୍ୱ ମିଶନ୍ ମାଧ୍ୟମରେ ଆଳୁ ଚାଷ ଅପେକ୍ଷା ସରକାରୀ ବାବୁଙ୍କ ମଉଜ କରିବାର ମାନସିକତା ଭାରି ପଡ଼ିଥିଲା। ଏହି ମିଶନ ସମ୍ପୂର୍ଣ୍ଣ ବିଫଳ ହେବାରୁ ଚାଷୀମନେ କ୍ଷତି ସହିଲେ ଓ ଏତେମାତ୍ରରେ ବିତସ୍ପୃହ ହୋଇଗଲେ ଯେ, ଓଡ଼ିଶା ପୁନର୍ବାର ଆଳୁ କ୍ଷେତ୍ରରେ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ବାଧ୍ୟ ହେଲା।

ଯୋଜନା ମୁତାବକ ଆଳୁ ମିଶନର ଲକ୍ଷ୍ୟ ହାସଲ ହୋଇ ପାରିଥିଲେ ୨୦୧୯-୨୦ ବର୍ଷ ବେଳକୁ ଓଡ଼ିଶା ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇପାରିଥାଆନ୍ତା। କେବଳ ସେତିକି ନୁହେଁ, ଏତେବେଳକୁ ବଳକା ରାଜ୍ୟରେ ପରିଣତ ହୋଇ ଆଳୁ ରପ୍ତାନି କରୁଥାଆନ୍ତା। ଚାଷୀମାନେ ଅଭିଯୋଗ କରୁଛନ୍ତି ଯେ ଆଳୁ ମିଶନ ନାମରେ ଖୋଲାଖୋଲି ଭାବେ ବ୍ୟାପକ ଅର୍ଥ ହରିଲୁଟ୍ କରାଗଲା। ଉତ୍ପାଦିତ ଆଳୁର ସଂରକ୍ଷଣ ପାଇଁ ଆବଶ୍ୟକ ସଂଖ୍ୟକ ଶୀତଳଭଣ୍ଡାର ପ୍ରତିଷ୍ଠା କରିବାକୁ ମନ ବଳାଇଥିବା ଉଦ୍ୟୋଗୀମାନଙ୍କୁ ସହଯୋଗ ବଦଳରେ ଅଧିକାରୀମାନେ ହଇରାଣ କଲେ। ଫଳରେ ରାଜ୍ୟରେ ଶୀତଳ ଭଣ୍ଡାର ନିର୍ମାଣ ହୋଇପାରିଲା ନାହିଁ। ରାଜ୍ୟର ଯୁବ-ଉଦ୍ୟୋଗୀମାନେ ବ୍ୟାଙ୍କମାନଙ୍କରୁ ଋଣ ନେଇ ଯେଉଁ କେତୋଟି ଶୀତଳଭଣ୍ଡାର ନିର୍ମାଣ କଲେ, ସେଗୁଡ଼ିକୁ ଉଚ୍ଚମାନର ନିରନ୍ତର ବିଦ୍ୟୁତ ଯୋଗାଣ କରା ନଯିବାରୁ ଘଣ୍ଟା ଘଣ୍ଟା ଧରି ଡିଜେଲ୍ ଜେନେରେଟର୍ ଚଳାଇବାକୁ ପଡ଼ିଲା। ଚାଷୀମାନେ ନିଜ ଉତ୍ପାଦିତ ଆଳୁକୁ ଶୀତଳ ଭଣ୍ଡାରରେ ଅଧିକ ଭଡ଼ାଗଣି ସାଇତିଲେ ବି ଲାଭ ବଦଳରେ କ୍ଷତି ସହିଲେ। ବିଳମ୍ବରେ ନିକୃଷ୍ଟ ମାନର ଆଳୁ ବିହନ ଯୋଗାଇ ଦିଆଯିବାରୁ ଅମଳ କମିଲା, ଚାଷୀ ହତୋତ୍ସାହିତ ହୋଇ ଆଳୁଚାଷ ଛାଡ଼ିଦେଲେ।

ଆଳୁ ମିଶନ ଆରମ୍ଭ ହେବାର ୨୦ ବର୍ଷ ପୂର୍ବରୁ ଓଡ଼ିଶାରେ ଯେତେ ଆଳୁ ଉତ୍ପାଦନ ହେଉଥିଲା କ୍ରମଶଃ ତାହା ହ୍ରାସ ପାଇବାର ପ୍ରମୁଖ କାରଣ ଥିଲା ଯେ, ଉତ୍ପାଦିତ ଆଳୁକୁ ସଂରକ୍ଷିତ କରି ରଖିବା ପାଇଁ ଶୀତଳ ଭଣ୍ଡାରର ଅଭାବ। ଘନ ଘନ ବିଦ୍ୟୁତ କାଟ, ଚଢ଼ା ଦରର ବିଜୁଳି ବିଲ୍ ଓ ଅନ୍ୟାନ୍ୟ କାରଣ ଯୋଗୁଁ ସମବାୟ ଭିତ୍ତିରେ ପ୍ରତିଷ୍ଠିତ ବହୁ ଶୀତଳ ଭଣ୍ଡାର ଅକାମୀ ହୋଇ ପଡ଼ିଥିଲା। ସେଗୁଡ଼ିକର ନିୟମିତ ରକ୍ଷଣାବେକ୍ଷଣ ଓ ଆଧୁନିକୀକରଣ କରା ନ ଯିବାରୁ ଆଳୁ ସମେତ ଟମାଟୋ, କୋବି ଓ ଅନ୍ୟାନ୍ୟ ପନିପରିବା ସଂରକ୍ଷଣ ହୋଇ ପାରୁନଥିଲା। ଚାଷୀମାନେ ଆଳୁ ଅମଳ ସମୟରେ ଅନ୍ୟ ରାଜ୍ୟର ବ୍ୟବସାୟୀଙ୍କୁ ଯାଚି ଗୁଞ୍ଜି ଶସ୍ତାରେ ବିକିବାକୁ ବାଧ୍ୟ ହେଉଥିଲେ। ଏଭଳି ପରିସ୍ଥିତିରେ ଆଳୁ ମିଶନ୍ ଆରମ୍ଭ କରି ସରକାର ସ୍ୱପ୍ନ ଦେଖେଇଥିଲେ ବି ପ୍ରତିବଦ୍ଧତା ଅଭାବ ଓ ଚଞ୍ଚକତା କାରଣରୁ ଓଡ଼ିଶାର ଚାଷୀମାନେ ଆଳୁ ଓ ପରିବାପତ୍ର ଉତ୍ପାଦନ କରିବାକୁ ଅନାଗ୍ରହୀ ହୋଇଗଲେ। ଓଡ଼ିଶା ବଜାରରେ ଖାଦ୍ୟ ମୁଦ୍ରାସ୍ଫୀତି ସର୍ବାଧିକ ରହିବାର ମୁଖ୍ୟ କାରଣ ହେଲା ଶୀତଳଭଣ୍ଡାର ଅଭାବ।

ପଶ୍ଚିମ ବଙ୍ଗ ଆଳୁ ନଦେଲେ ଓଡ଼ିଶାରେ କିଭଳି ହାହାକାର ପରିସ୍ଥିତି ସୃଷ୍ଟିହୁଏ ତାହା ଏବେ କଟକ-ଭୁବନେଶ୍ୱର ସମେତ ସାରା ଓଡ଼ିଶାରେ ଲୋକେ ଅନୁଭବ କରୁଛନ୍ତି। ସେହିଭଳି ମହାରାଷ୍ଟ୍ରରୁ ପିଆଜ ନଆସିଲେ ଏବଂ ଆନ୍ଧ୍ର ଓ କର୍ଣ୍ଣାଟକ ଆଦି ରାଜ୍ୟରୁ ପରିବା ନଆସିଲେ ଏଠି ଅବସ୍ଥା ସାଂଘାତିକ। ଆଜି ବି ଆମେ ପଶ୍ଚିମ ବଙ୍ଗରୁ ଆଳୁ ଏବଂ ଫୁଲ ଓ ଫୁଲ ଗଛଚାରା ଆମଦାନୀ ଉପରେ ନିର୍ଭର କରୁଛୁ। ଆମ ଚାଷୀଙ୍କ ଉତ୍ପାଦିତ ପରିବା ଅଧିକ ଅମଳ ସମୟରେ ସାଇତାଯାଇ ପାରୁନି ଓ ଅନ୍ୟ ରାଜ୍ୟକୁ ତିରୋଟ ସମୟରେ ରପ୍ତାନୀ କରାଯାଇ ଅଧିକ ରୋଜଗାର କରାଯାଇ ପାରୁନି।

ସାରା ରାଜ୍ୟରେ ଏବେ ଅଚଳ ଅବସ୍ଥାରେ ଅଛି ୯୮ଟି ଶୀତଳ ଭଣ୍ଡାର। ଏଥିପାଇଁ, ସ୍ଥିତି ଏପରି ହୋଇଛି ଯେ ପ୍ରତିବର୍ଷ ଜାନୁଆରୀ ମାସରେ ଚାଷୀ ସର୍ବାଧିକ ପରିମାଣର ଶୀତଦିନିଆ ପନିପରିବା ଉତ୍ପାଦନ କରି ଅଭାବୀ ବିକ୍ରିର ସାମ୍ନା କରୁଛି, ରାସ୍ତାରେ ଟମାଟୋ ଢାଳୁଛି କିମ୍ବା କ୍ଷେତରେ ପଚିବାକୁ ଛାଡ଼ି ଦେଉଛି, ଓ ଅଗଷ୍ଟ ମାସରୁ ନଭେମ୍ବର ଯାଏଁ ବର୍ଦ୍ଧିତ ପରିବା ଦର କାରଣରୁ ଗ୍ରାହକମାନେ ହନ୍ତସନ୍ତ ହେଉଛନ୍ତି।

ସରକାରୀ ସୂଚନା ଅନୁସାରେ ଓଡ଼ିଶାରେ ୩ ଲକ୍ଷ ୮୭ ହଜାର ୫୨୫ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ୧୩୧ଟି ଶୀତଳ ଭଣ୍ଡାର ରହିଛି। ଏଥିମଧ୍ୟରୁ ସରକାରଙ୍କ ସମବାୟ ବିଭାଗର ୧୮, କୃଷି-ଉଦ୍ୟାନ ବିଭାଗର ୪ଟି ଓ ୧୦୯ଟି ବେସରକାରୀ। ୩୦ଟି ଜିଲ୍ଲା ମଧ୍ୟରୁ ମାତ୍ର ୧୭ଟି ଜିଲ୍ଲାରେ ୨ ଲକ୍ଷ ୩୨ ହଜାର ୮୮୦ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ୪୯ଟି ଶୀତଳଭଣ୍ଡାର କାମ କରୁଛି; ଯାହା ମଧ୍ୟରେ ସମବାୟ ବିଭାଗର ରହିଛି ମାତ୍ର ୫ଟି ଓ ବାକି ୪୪ଟି ବେସରକାରୀ। ଅର୍ଥାତ ୮୨ଟି ଶୀତଳ ଭଣ୍ଡାରରେ ଏକଲକ୍ଷ ୫୪ ହଜାର ୬୪୫ ମେଟ୍ରିକ ଟନ ସଂରକ୍ଷଣ ସୁବିଧା ଥାଇ ମଧ୍ୟ ଏସବୁ କାର୍ଯ୍ୟ କରୁନାହିଁ। ୧୩ଟି ଜିଲ୍ଲାରେ ଗୋଟିଏ ବି ଶୀତଳଭଣ୍ଡାର ନାହିଁ।

ଶୀତଳ ଭଣ୍ଡାର ବ୍ୟବସାୟୀ ସଂଘ ଶୀତଳ ଭଣ୍ଡାର ଚଳାଇ ରଖିବା ଅତ୍ୟନ୍ତ କଷ୍ଟସାଧ୍ୟ ହେଲାଣି ବୋଲି ଦର୍ଶାଇ ଚାଲିଛନ୍ତି। ଏଥିପାଇଁ, ସେମାନେ ଅଧିକ ରିହାତି ମଧ୍ୟ ଦାବି କରୁଛନ୍ତି। ୫ ହଜାର ମେଟ୍ରିକ ଟନ କ୍ଷମତା ସମ୍ପନ୍ନ ଶୀତଳ ଭଣ୍ଡାରକୁ ଚଳାଇ ରଖିବା ପାଇଁ ବାର୍ଷିକ ପ୍ରାୟ ଦୁଇ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏଥିରେ, ବ୍ୟାଙ୍କ ଋଣ ପରିଶୋଧ ଓ ନିୟମିତ ବିଦ୍ୟୁତ ଦେୟ ପ୍ରଦାନ କରିବା ମଧ୍ୟ କଷ୍ଟସାଧ୍ୟ ହେଉଛି। ଆଳୁ ମିଶନ କାର୍ଯ୍ୟକାଳ ମଧ୍ୟରେ ଚାଷୀଙ୍କୁ ସବସିଡିଯୁକ୍ତ ନିମ୍ନମାନର ଆଳୁ ବିହନ, ପୁଣି ତାହାକୁ ବିଳମ୍ବରେ ଦିଆଯିବାରୁ ଚାଷୀଙ୍କ ଉତ୍ପାଦନ କମିଗଲା। ଉତ୍ପାଦନ ସ୍ଥଳରେ ଶୀତଳ ଭଣ୍ଡାର ନଥିବାରୁ ଓ ଲାଭଜନକ ମୂଲ୍ୟରେ ବିକ୍ରି ନହେବାରୁ, ଆଳୁ ମିଶନ ଫେଲ ହେଲା। ଚାଷୀଙ୍କ ଆର୍ଥିକ ଅବସ୍ଥା ଏତେ ଦୟନୀୟ ଯେ, ସେମାନେ ସହରରେ ଥିବା ଶୀତଳ ଭଣ୍ଡାର ଯାଏଁ ଟ୍ରକରେ ବୋହି, ଶୀତଳ ଭଣ୍ଡାର ଭଡ଼ାଦେଇ ନିଜର ଉତ୍ପାଦିତ ଆଳୁକୁ ସାଇତିବା ଅସମ୍ଭବ। ସ୍ଥାନୀୟ ବେପାରୀଙ୍କ ସାହାଯ୍ୟ ନେଇ ପଶ୍ଚିମ ବଙ୍ଗ ଶୀତଳ ଭଣ୍ଡାର ମାଲିକ ଆମ ଚାଷୀଙ୍କ ବିଲମୁଣ୍ଡରୁ ଶସ୍ତାରେ ଏବେବି ଅମଳ ସମୟରେ ଆଳୁ କିଣିନେଉଛନ୍ତି। ପଶ୍ଚିମ ବଙ୍ଗରେ ଶୀତଳ ଭଣ୍ଡାର ପାଇଁ ବିଦ୍ୟୁତ ମୂଲ୍ୟ ଓଡ଼ିଶା ଅପେକ୍ଷା କମ। ଓଡ଼ିଶାରେ ବାରମ୍ବାର ବିଜୁଳି କାଟ, ଲୋ ଭୋଲଟେଜ ଇତ୍ୟାଦି କାରଣରୁ ଓଡ଼ିଆ ଉଦ୍ୟୋଗୀ ନିରୁତ୍ସାହିତ ଥିଲାବେଳେ ପଶ୍ଚିମ ବଙ୍ଗ ଉଦ୍ୟୋଗୀମାନେ ଓଡ଼ିଶାର ଆଳୁ ବେପାରୀଙ୍କ ସହ ବ୍ୟବସ୍ଥିତ ଢଙ୍ଗରେ ଯୋଗାଯୋଗ ରଖି ଆସୁଛନ୍ତି, ଯାହାକୁ ନୂଆ ନୂଆ ଶୀତଳ ଭଣ୍ଡାର ନିର୍ମାଣ କରିଥିବା ଓଡ଼ିଆ ଉଦ୍ୟୋଗୀ ଭେଦ କରିବା କଷ୍ଟ।

ଓଡ଼ିଶା ସରକାରଙ୍କ ପକ୍ଷରୁ ସମନ୍ୱିତ ସହଯୋଗର ଘୋର ଅଭାବ ରହିଆସିଛି। ପ୍ରାୟ ଚାଳିଶରୁ ଅଧିକ ବେସରକାରୀ ଶୀତଳଭଣ୍ଡାର ବ୍ୟାଙ୍କ ଋଣ ସାହାଯ୍ୟରେ ନିର୍ମିତ ହୋଇ ସାରିଥିଲେ ବି ମୁଖ୍ୟତଃ ମଂଜୁରୀ ହୋଇଥିବା ସବସିଡି ଦିଆଯାଇ ନଥିବାରୁ, ଏନପିଏ ବା ଅନାଦେୟ ଋଣ ପାଲଟିଛି। ବ୍ୟାଙ୍କମାନେ ଏପରି ଶୀତଳ ଭଣ୍ଡାରଗୁଡ଼ିକୁ ତାଲା ପକାଇ ଦେଇଛନ୍ତି ଓ ଉଦ୍ୟୋଗୀଙ୍କ ବିରୁଦ୍ଧରେ ଋଣ ପରିଶୋଧ ଖିଲାପୀ ଦର୍ଶାଇ ଋଣ ଆଦାୟ ଟ୍ରିବୁନାଲରେ ମକଦ୍ଦମା କରିଛନ୍ତି। ଆଉକିଛି ସ୍ଥଳରେ ବିଦ୍ୟୁତ ଯୋଗାଣକାରୀ ସଂସ୍ଥାଙ୍କ ସହ ଦେୟକୁ ନେଇ ବିବାଦ କାରଣରୁ ବିଦ୍ୟୁତ ସରବରାହ ବନ୍ଦ। ଏସବୁର ଗୋଟି ଗୋଟି ସମୀକ୍ଷା କରି ସମାଧାନ କରା ଯାଉନାହିଁ। ଏଥିପାଇଁ, ଆଗାମୀ ଦିନରେ ଯୁବ ଉଦ୍ୟୋଗୀ ମଧ୍ୟ ଅନାଗ୍ରହୀ ହେବା ଅସମ୍ଭବ ନୁହେଁ। ଅଧିକ ସଂଖ୍ୟାରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ହେଲେ କେବଳ ଆଳୁ କାହିଁକି, ପରିବା, ଫୁଲ, ଫଳ ଓ ମହୁଲ, ତେନ୍ତୁଳି ଭଳି ଜଙ୍ଗଲଜାତ ଦ୍ରବ୍ୟ ସହ ପ୍ରକ୍ରିୟାକରଣ ପଦାର୍ଥ ମଧ୍ୟ ଦୀର୍ଘ ଦିନ ସଇତା ହୋଇ ପାରନ୍ତା, ବର୍ଷ ସାରା ମିଳନ୍ତା, ଉପଯୁକ୍ତ ମୂଲ୍ୟ ମଧ୍ୟ ମିଳନ୍ତା। କନ୍ଧମାଳ ହଳଦୀଠାରୁ କୋରାପୁଟ ଅଦା, ରାଇକିଆ ବିନଠାରୁ ନୟାଗଡ଼ ଦେଶୀ କାଙ୍କଣ ନିର୍ଦ୍ଦିଷ୍ଟ ମୂଲ୍ୟରେ ବର୍ଷ ସାରା ମିଳିପାରନ୍ତା। ଉପକୃତ ହୁଅନ୍ତେ ଉଭୟ ଚାଷୀ ଓ ଖାଉଟୀ।

କୃଷି ଓ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ବିଭିନ୍ନ ମିଶନ କାର୍ଯ୍ୟକାରୀ କରାଯାଇଛି। ଅତୀତରେ ଆଳୁ ମିଶନ, ପିଆଜ ମିଶନ, ମସଲା ମିଶନ, ମିଲେଟ ମିଶନ ସହିତ ଜାତୀୟ ଉଦ୍ୟାନ କୃଷି ମିଶନ ଇତ୍ୟାଦି ମାଧ୍ୟମରେ କୃଷି ଉତ୍ପାଦନ ବଢାଇବାକୁ ଚାଷୀଙ୍କୁ ପ୍ରୋତ୍ସାହିତ କରାଯାଇଥିଲା। ଚାଷୀମାନେ ମଧ୍ୟ ଉତ୍ସାହିତ ହୋଇ ସରକାରଙ୍କୁ ବିଶ୍ୱାସ କରି ଚାଷ କରିଥିଲେ ବି, ସେମାନଙ୍କ ଉତ୍ସାହ ଦୀର୍ଘସ୍ଥାୟୀ ହୋଇପାରିନି। ସରକାରଙ୍କ ପକ୍ଷରୁ ଯେତେଗୁଡ଼ିଏ ଶୀତଳ ଭଣ୍ଡାର ନିର୍ମାଣ ହୋଇଛି, ସେଥିରୁ ଅଧିକାଂଶ ଉତ୍ପାଦନ ଓ ହାଟଠାରୁ ବହୁ ଦୂରରେ ଓ ଚାଷୀଙ୍କୁ ସମ୍ପୃକ୍ତ ନକରି ପ୍ରତିଷ୍ଠା ହୋଇଛି। ବେସରକାରୀ ଉଦ୍ୟୋଗୀଙ୍କୁ ସହଯୋଗ କରିବା ବଦଳରେ ବୋଝ ଉପରେ ନଳିତା ବିଡ଼ା ପରି, ହାତଗୁଞ୍ଜା ନଦେଲେ, ସେମାନଙ୍କ ବିଦ୍ୟୁତ ଟ୍ରାନ୍ସଫର୍ମରକୁ ବିଦ୍ୟୁତ ସରବରାହ କରାଯାଉନି। ବନ୍ଦ ରହିଥିବା ଶୀତଳ ଭଣ୍ଡାରରେ କୋଟି କୋଟି ଟଙ୍କାର ଯନ୍ତ୍ରପାତି ଖତ ଖାଉଛି ଓ ବ୍ୟାଙ୍କ ଋଣ ଅନାଦେୟ ରହିଛି। ସମୟ ଆସିଛି, ଯେଉଁ ଯୁବକ ଯୁବତୀମାନେ ନିଜର ଜମିବାଡ଼ି ବିକି ମୂଳଧନ ଯୋଗାଡ଼ କରି ଶୀତଳ ଭଣ୍ଡାର ପ୍ରତିଷ୍ଠା କରିଥିଲେ, ସେଗୁଡ଼ିକୁ ଯଥାଶୀଘ୍ର ସଚଳ କରିବାକୁ ପଡ଼ିବ।

ସେଥିପାଇଁ, କୃଷି ସଚିବ, ସମ୍ପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷ, ଉଦ୍ୟାନ କୃଷି ଓ ଶକ୍ତି ବିଭାଗ ଏବଂ ଉଦ୍ୟୋଗୀଙ୍କୁ ଏକାଠି ବସାଇ ଗୋଟିଗୋଟି କରି ସମାଧାନର ରାସ୍ତା ବାହାର କରିବାକୁ ପଡ଼ିବ। ଶୀତଳ ଭଣ୍ଡାର ଗୁଡ଼ିକୁ ରାଜରାସ୍ତା ସହ ଯୋଡ଼ି, ସେଠାରେ ଗ୍ରାମ୍ୟ ଗୋଦାମ, ମଣ୍ଡି ଇତ୍ୟାଦି ନିର୍ମାଣ କରିବାକୁ ପଡ଼ିବ। ଆଳୁ ଚାଷ ହେଉଥିବା ଅଞ୍ଚଳରେ ଆବଶ୍ୟକ ସଂଖ୍ୟକ ଦଶ ମେଟ୍ରିକ୍ ଟନ୍ ଆଳୁ ରଖିବା ଭଳି ଶୀତଳ ଭଣ୍ଡାର ନିର୍ମାଣ ହେବା ଦରକାର; ଯେଉଁଠି, ନିଜସ୍ୱ ସୌରବିଦ୍ୟୁତ୍ ବ୍ୟବସ୍ଥା ହଇବ୍ରିଡ୍ ଆକାରରେ ରହିବା ଦରକାର। ସରକାର ପ୍ରଥମ ପାଞ୍ଚ ବର୍ଷ ପାଇଁ ଚାଷୀଙ୍କଠାରୁ ଆଳୁ କିଣି ନେଲେ, ଚାଷୀ ଆଳୁ ଚାଷ କରିବାକୁ ଆଗ୍ରହୀ ହେବେ ଏବଂ ଆଳୁ ଅମଳ ପରେ ସେଠାରେ ରାଶିଚାଷ ମଧ୍ୟ କରିବେ। ଗୋଟିଏ ଜମିରେ ଧାନ, ଆଳୁ ଓ ତୈଳବୀଜ ଚାଷ ହେବ। ଶୀତଳ ଭଣ୍ଡାର ସଂଖ୍ୟା ଓ ଆଳୁ ଉତ୍ପାଦନ ମଧ୍ୟରେ ତାଳମେଳ ରଖିବା ପାଇଁ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା କରିବାକୁ ପଡ଼ିବ।

ଓଡ଼ିଶା ସରକାର ଚାଷୀଙ୍କଠାରୁ ଚଳିତ ବର୍ଷ ଧାନ କୁଇଣ୍ଟାଲ ପିଛା ୩,୧୦୦ ଟଙ୍କା ଦେବାକୁ ସ୍ଥିର କରିଥିବାରୁ ଚାଷୀମାନେ ଆଳୁଚାଷ ନ କରିବାର ଆଶଙ୍କା ବଢ଼ିଛି। ସରକାରଙ୍କୁ ଅନୁରୋଧ ଯେ, ରବି ଋତୁରେ ଅଣଧାନ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ରବି ଧାନ କିଣନ୍ତୁ ନାହିଁ। ଖରିଫ୍ ଭଳି ରବି ଧାନ ୩,୧୦୦ ଟଙ୍କାରେ କିଣାଗଲେ ଆଳୁ ସମେତ ଡାଲି, ତୈଳବୀଜ ଓ ପରିବା ଚାଷ ବନ୍ଦ ହୋଇଯିବ; ଧାନ ଛଡ଼ା ଆଉସବୁ ଆମଦାନୀ କରିବାକୁ ପଡ଼ିବ।

ସରକାର ପ୍ରତି ସବ୍-ଡିଭିଜନରେ ଶୀତଳ ଭଣ୍ଡାର ନିର୍ମାଣ ନକରି ଅଧିକ ଆଳୁ ଉତ୍ପାଦନ ହେଉଥିବା ସ୍ଥାନରେ ଉଦ୍ୟୋଗୀମାନଙ୍କ ମାଧ୍ୟମରେ ଅଧିକ ଶୀତଳ ଭଣ୍ଡାର ପ୍ରତିଷ୍ଠା କରନ୍ତୁ। ଯଦି, ଉଦ୍ୟୋଗୀ ଅନାଗ୍ରହୀ ହେଉଥିବାର ଦେଖାଯିବ, ସରକାର ତାହା ପ୍ରତିଷ୍ଠା କରି ଆଗ୍ରହୀ ସ୍ଥାନୀୟ ବ୍ୟବସାୟୀ କିମ୍ବା କୃଷକ ଉତ୍ପାଦକ ସଂସ୍ଥାଙ୍କ ହାତରେ ପରିଚାଳନା ଭାର ଦେଇ ଦେବା ଉଚିତ।

୫୦ ହଜାର ହେକ୍ଟର୍ ଜମିରେ ଆଳୁ ଚାଷ ହେଲେ ୧୦ ହଜାର ମେଟ୍ରିକ୍ ଟନ୍ ସାମର୍ଥ୍ୟ ଥିବା ୯୦ଟି ଶୀତଳଭଣ୍ଡାର ରହିବା ଜରୁରୀ। କ୍ରମଶଃ ଆମେ ସଂଖ୍ୟାକୁ ୧୪୦ ଯାଏଁ ବଢ଼ାଇପାରିବା। ଚାଷୀଙ୍କ ପାଇଁ ରାଜ୍ୟରେ ଉନ୍ନତ ଆଳୁ ବିହନ ଉତ୍ପାଦନ କରିବାକୁ ହେବ ଏବଂ ଅକ୍ଟୋବର୍ ମାସ ସରିବା ପୂର୍ବରୁ ବିହନ ଯୋଗାଣ କରିବାକୁ ପଡ଼ିବ। ସମବାୟ ସମିତି ଓ ବ୍ୟାଙ୍କ ପକ୍ଷରୁ ଉଭୟ ଚାଷୀ ଓ ଶୀତଳ ଭଣ୍ଡାର ମାଲିକଙ୍କୁ ପର୍ଯ୍ୟାପ୍ତ ଋଣ ଦେବାକୁ ପଡ଼ିବ। ଫସଲ ବୀମା ସୁବିଧା ସହିତ ସାର ଯୋଗାଣ ବ୍ୟବସ୍ଥିତ କରାଗଲେ ଆଳୁଚାଷ ବଢ଼ିବା ସହିତ କୃଷିଶ୍ରମିକ ମଧ୍ୟ ବର୍ଷସାରା ଆମ ରାଜ୍ୟରେ କାମ ପାଇବେ। ଦାଦନ ସମସ୍ୟା କମିଯିବ।

ଜଳବାୟୁ ଓ ପରିବେଶଗତ ଅସନ୍ତୁଳନ କାରଣରୁ ଓଡ଼ିଶା ସମେତ ସମଗ୍ର ବିଶ୍ୱରେ ଖାଦ୍ୟାଭାବ ଦେଖାଦେବାର ଆଶଙ୍କା କରା ଯାଉଛି। ଏଭଳି ସ୍ଥିତିରେ ଆମେ ମାଟିତଳେ ଫଳୁଥିବା ଫସଲଠାରୁ ଆରମ୍ଭକରି ମରୁଡ଼ି, ବନ୍ୟା ଇତ୍ୟାଦି ସହିପାରୁଥିବା ଓ ମାଟି ଉପରେ ଫଳୁଥିବା ସବୁ ପ୍ରକାର ଫସଲ ଚାଷ କରିବାକୁ ପଡ଼ିବ। ଏହାକୁ ଖାଦ୍ୟ ରୂପେ ଜୀବଜଗତ ଗ୍ରହଣ କରିବେ। ଓଡ଼ିଶାରୁ ଏସବୁ ରପ୍ତାନୀ କରାଯାଇ ପାରିବ। ଫସଲ ଚାଷ ଓ ଖାଦ୍ୟ ଉତ୍ପାଦନ ଏବେ ଏକ ବୈଶ୍ୱିକ ଆବଶ୍ୟକତାରେ ପରିଣତ ହୋଇ ସାରିଥିବାରୁ କୃଷି ଓ କୃଷକଙ୍କ ପ୍ରତି ଅବହେଳା ଅଗ୍ରହଣୀୟ। ଓନିଶା ସରକାରଙ୍କ କୃଷି ଓ ଉଦ୍ୟାନ ବିଭାଗର ନିର୍ଦ୍ଦେଶକ ପଦରେ କୃଷି ବୈଷୟିକ ଅଧିକାରୀଙ୍କୁ ନିଯୁକ୍ତି ନଦେଇ ପ୍ରଶାସନିକ ଅଧିକାରୀଙ୍କୁ ନିଯୁକ୍ତି ଦେଇ ଚାଲିଥିବା ଯାଏଁ କାଗଜରେ ମିଶନ୍-ଚାଷ ଚାଲିଥିବ, ଜମିରେ ଆଳୁ ଚାଷ ସମ୍ଭବ ହେବନି।

ଓଡ଼ିଶାର ଚାଷୀ ପରିବାରଙ୍କ ହାରାହାରି ମାସିକ ରୋଜଗାର ବଢ଼ାଇବାକୁ ହେଲେ ଏହା ହିଁ ଉପଯୁକ୍ତ ସମୟ। ସମସ୍ୟାକୁ ସୁଯୋଗରେ ପରିଣତ କରିବା ମଧ୍ୟ ଅସ୍ମିତା, ଯାହା ଆମେ ଓଡ଼ିଶାବାସୀ ପ୍ରଦର୍ଶନ କରି ପାରିବା।

Related Articles

Leave a Reply

Your email address will not be published. Required fields are marked *

Back to top button