କ୍ରିପ୍ଟୋ ସ୍କାମ୍: ୩ ଦିନିଆ ରିମାଣ୍ଡରେ ୨ଅଭିଯୁକ୍ତ; ନିରୋଦ ସମ୍ପତ୍ତିର ଉଭାପୋତା ଖୋଜୁଛି ଇଓଡବ୍ଲ୍ୟୁ – Ibnodisha
[ad_1]
ଭୁବନେଶ୍ୱର: କ୍ରିପ୍ଟୋ କରେନ୍ସି ଇନ୍ଭେଷ୍ଟମେଣ୍ଟ ନାଁରେ ହଜାରେ କୋଟି ଟଙ୍କାର ଠକେଇ ଘଟଣାରେ ଗିରଫ ଦୁଇ ଅଭିଯୁକ୍ତଙ୍କୁ କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ୩ ଦିନିଆ ରିମାଣ୍ଡରେ ନେଇଛି । ଦୁଇ ଅଭିଯୁକ୍ତ ହେଲେ ପଞ୍ଜାବର ଗୁରୁତେଜ ସିଂ ସିଦ୍ଧୁ ଓ ଭଦ୍ରକର ନିରୋଦ ଦାସ । ଉଭୟଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଓପିଆଇଡି କୋର୍ଟରେ ଆବେଦନ କରିଥିଲା ଇଓଡବ୍ଲ୍ୟୁ । ତେବେ ତିନିଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି ।
ଡିଆଇଜି ଜୟନାରାୟଣ ପଙ୍କଜଙ୍କ ସୂଚନା ଅନୁସାରେ, ରାଜ୍ୟରେ କ୍ରିପ୍ଟୋ କରେନ୍ସି କାରବାର ଓ ଠକେଇ ସଂକ୍ରାନ୍ତରେ ଇଓଡବ୍ଲ୍ୟୁ ପାଖରେ ବିଶ୍ୱସ୍ତ ସୂତ୍ରରୁ ଖବର ପହଞ୍ଚିିଥିଲା । ବିଶେଷ କରି ଭଦ୍ରକ, ବାଲେଶ୍ୱର, ଭୁବନେଶ୍ୱର, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା ଏବଂ କେନ୍ଦୁଝର ଜିଲ୍ଲାରେ କାରବାର ସକ୍ରିୟ ରହିଥିବା ଜଣାପଡ଼ିଲା । ତଦନ୍ତ ସମୟରେ ଏସ୍ଟିଏ କ୍ରିପ୍ଟୋ ଟୋକନ୍ ସଂସ୍ଥାର କାରନାମା ପଦାକୁ ଆସିଲା । ଏହାର ୱେବ୍ସାଇଟ ଭାରତ ବାହାରୁ ଅପରେଟ ହେଉଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି; ଆର୍ବିଆଇ ଦ୍ୱାରା କ୍ରିପ୍ଟୋର କୌଣସି ଲିଗାଲ ଟେଣ୍ଡର ନଥିବା ସତ୍ତ୍ୱେ କାରବାର ଚାଲିଥିଲା । ଜିନିଷ କିଣାରେ କ୍ରିପ୍ଟୋ ଟୋକନ୍ ବ୍ୟବହାର ହେଉଥିଲା । କେନ୍ଦ୍ରୀୟ ବ୍ୟାଙ୍କ୍ ନିୟମର ଏହା ଖୋଲା ଉଲ୍ଲଙ୍ଘନ ବୋଲି ଇଓଡବ୍ଲ୍ୟୁ ଜାଣିବାକୁ ପାଇଥିଲା ।
ଏଥିରେ ସାରା ଦେଶରେ ପ୍ରାୟ ୨ ଲକ୍ଷ ସଦସ୍ୟ ରହିଥିବା ବେଳେ ଓଡ଼ିଶାରେ ସଂଖ୍ୟା ଥିଲା ୧୦ ହଜାରରୁ ଅଧିକ । ଏଥିରେ ପ୍ରାୟ ହଜାରେ କୋଟି ଟଙ୍କାର କାରବାର ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ସୂଚନା ମିଳିଛି । କ୍ରିପ୍ଟୋ କରେନ୍ସି ହେଉଛି ଏକ ଅନ୍ଲାଇନ ଟ୍ରାନଜାକ୍ସନ ସିଷ୍ଟମ । ଏହାଦ୍ୱାରା ୟୁଜର୍ସ କାହାକୁ ବି ଅନ୍ଲାଇନରେ ପେମେଣ୍ଟକରିପାରିବେ । ଏଥିପାଇଁ ବ୍ୟାଙ୍କ ଭେରିଫିକେସନ ଜରୁରୀ ହୋଇନଥାଏ । ଏସ୍ଟିଏ ସଂସ୍ଥା ଓଡ଼ିଶା ସମେତ ପଞ୍ଜାବ, ରାଜସ୍ଥାନ, ବିହାର, ଝାଡ଼ଖଣ୍ଡ, ହରିୟାଣା, ଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଆସାମରେ କାରବାର ମେଲାଇଥିଲା । ୨୦୨୧ରେ ପ୍ରତିଷ୍ଠିତ ଏହି ସଂସ୍ଥା ସୋଲାର ବ୍ୟବସାୟ କରୁଥିବା ତାର ୱେବ୍ସାଇଟରେ ଦର୍ଶାଇଥିଲା । କିନ୍ତୁ ଯାଞ୍ଚ ବେଳେ ଏହା କ୍ରିପ୍ଟୋ କରେନ୍ସି ନାଁରେ ଠକେଇ ସଂସ୍ଥା ବୋଲି ଜଣାପଡ଼ିଥିଲା ।
ପିରାମିଡ୍ ଆକୃତିର ଚେନ୍ ସିଷ୍ଟମରେ ଚାଲିଥିବା ଏହି କାରବାରରେ ପ୍ରତିଦିନ ନୂଆ ନୂଆ ସଦସ୍ୟ ସାମିଲ ହେଉଥିଲେ । ଏଥିପାଇଁ ହଜାର ହଜାର ଡଲାର ଅର୍ଥ ରୋଜଗାର କରିବାର ଲୋଭ ଦେଖା ଯାଉଥିଲା । କିଛିଦିନ ତଳେ ଗୁରୁତେଜ ଗୋଆର ଏକ ତାରକା ହୋଟେଲରେ ବଡ଼ ସଭାର ଆୟୋଜନ କରିଥିଲା । ଯେଉଁଠି ଓଡ଼ିଶା ସମେତ ୧୦ ରାଜ୍ୟରୁ ପ୍ରମୁଖ ସଦସ୍ୟମାନେ ଯୋଗ ଦେଇଥିଲେ । ସଭାରେ ବଲିଉଡ୍ ତାରକା ଗୋବିନ୍ଦା ଏସଟିଏକୁ ଖୁବ୍ ପ୍ରଶଂସା କରିଥିଲେ । ଏହି ଭିଡିଓକୁ ସଂପୃକ୍ତ ସଂସ୍ଥାପକ୍ଷରୁ ସାରା ଦେଶରେ ପ୍ରସାରିତ କରାଯାଇଥିଲା । ଯେତେବେଳେ କ୍ରିପ୍ଟୋ କାରବାର ନେଇ ଇଓଡବ୍ଲ୍ୟୁ ପକ୍ଷରୁ ଖୋଳତାଡ଼ କରାଯାଇଥିଲା ସେତେବେଳେ ନିରୋଦ ଦାସର ବ୍ୟାଙ୍କ୍ ଆକାଉଣ୍ଟରେ ୩୦ କୋଟି ଟଙ୍କାର କାରବାର ହୋଇଥିବା ଜଣାପଡ଼ିଥିଲା ।
ଏହା ପରେ ଗୁରୁତେଜକୁ ଧରିବା ପାଇଁ ତଦନ୍ତକାରୀ ଟିମ୍ ଗୋଆ ଯାଇଥିଲା । କିନ୍ତୁ ସେଠାରୁ ସେ ଫେରାର ହୋଇଯାଇଥିଲା । ଏହାପରେ ଗୁରୁତେଜର ପିଛା କରି ମୁମ୍ବାଇ, ଅମୃତସର ଯିବା ପରେ ରାଜସ୍ଥାନର ଏକ ହୋଟେଲ୍ରୁ ତାକୁ ଗିରଫ କରିଥିଲା ଇଓଡବ୍ଲ୍ୟୁ । ନିରୋଦର କେଉଁଠି କେଉଁଠି ସମ୍ପତ୍ତି ରହିଛି; ଉଭାପୋତା କେତେ ସେ ନେଇ ଖୋଳତାଡ଼ ଜାରିରହିଛି ଇଓଡବ୍ଲ୍ୟୁ । ବହୁ ବେନାମୀ ଆକାଉଣ୍ଟରେ ଟଙ୍କା ରହିଥିବା ଅନୁମାନ କରାଯାଉଛି । ରିମାଣ୍ଡ ବେଳେ ଏସବୁ ତଥ୍ୟ ହାସଲ କରିବାକୁ ଇଓଡବ୍ଲ୍ୟୁ ଲକ୍ଷ୍ୟ ରହିଛି ।
[ad_2]